Advertisment

Odisha Healthcare Crisis : ଅଧାରେ ରହିଲା ୩ ଶହ ଶଯ୍ୟା ବିଶିଷ୍ଟ ନୂତନ ମେଡ଼ିକାଲ୍ କୋଠାର ଉଦ୍‌ଘାଟନ; ରୋଗୀ ହନ୍ତସନ୍ତ

ଉଦଘାଟନ ପାଇଁ ସମସ୍ତ ପ୍ରସ୍ତୁତି ହୋଇ ସାରିଥିବା ବେଳେ ଆଲୋକମାଳାରେ ସୁସଜ୍ଜିତ ରଙ୍ଗ ବେରଙ୍ଗ ଲାଇଟ ସହ ଫୁଲ ମାଳରେ ଝଲସି ଉଠୁଥିଲା ନୂତନ ମେଡିକାଲ କୋଠା। ହେଲେ ସବୁ ଆଶା ଆଶଙ୍କାରେ ହିଁ ରହିଗଲା।

Odisha Healthcare Crisis

ଅଧାରେ ରହିଲା ୩ ଶହ ଶଯ୍ୟା ବିଶିଷ୍ଟ ନୂତନ ମେଡ଼ିକାଲ୍ କୋଠାର ଉଦ୍‌ଘାଟନ Photograph: (OTV)

Advertisment

ବୌଦ୍ଧ ମହୋତ୍ସବରେ ଯୋଗଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୩ ଶହ ଶଯ୍ୟା ବିଶିଷ୍ଟ ନୂତନ କୋଠାର ଉଦ୍‌ଘାଟନ କରିବେ, ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ମଧ୍ୟ କରାଗଲା ତାରିଖ ସ୍ଥିର ହୋଇ ନିମନ୍ତ୍ରଣପତ୍ର ଛପାଗଲା। ଜିଲ୍ଲା ପ୍ରଶାସନ ତତ୍ପର ହୋଇ ପ୍ରସ୍ତୁତି ଜୋରଦାର କରିଥିଲା। ଏହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଆଶା ସଂଚାର ହୋଇଥିଲା ଏଥର ଆଉ ଡାକ୍ତରଖାନାରେ ଶଯ୍ୟା ଅଭାବ ଦେଖାଦେବନି, ବାଧ୍ୟହୋଇ ବାରଣ୍ଡାରେ ଚିକିତ୍ସିତ ହେବାକୁ ପଡ଼ିବନି।

Advertisment

ନୂଆ ବୋହୁ ଭଳି କୋଠାକୁ ସଜେଇବା ସହ ଅତ୍ୟାଧୁନିକ ଚିକିତ୍ସା ହେବ ବୋଲି ଲୋକେ ଆଶା ଆଶଙ୍କା ରଖିଥିଲେ। ଆଉ ଛୋଟ ଛୋଟ ସମସ୍ୟା ପାଇଁ ବୁର୍ଲା ହେଉ କି କଟକ ରେଫର୍ ହେବାକୁ ପଡିବନି ବୋଲି ଆଶା ବାନ୍ଧିଥିଲେ ଜିଲ୍ଲାବାସୀ। ହେଲେ ସବୁକିଛି ଫସର୍ ଫାଟିଗଲା। ଗତ ୪ ତାରିଖ ଦିନ ଉଦଘାଟନ କରିବା ପାଇଁ ଆସିଲେ ନାହିଁ ମୁଖ୍ୟମନ୍ତ୍ରୀ। ହୋଇପାରିଲା ନାହିଁ ୩୦୦ ଶଯ୍ୟା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟର ଉଦ୍‌ଘାଟ।

ଉଦଘାଟନ ପାଇଁ ସମସ୍ତ ପ୍ରସ୍ତୁତି ହୋଇ ସାରିଥିବା ବେଳେ ଆଲୋକମାଳାରେ ସୁସଜ୍ଜିତ ରଙ୍ଗ ବେରଙ୍ଗ ଲାଇଟ ସହ ଫୁଲ ମାଳରେ ଝଲସି ଉଠୁଥିଲା ନୂତନ ମେଡିକାଲ କୋଠା। ଅସ୍ଥାୟୀ ମଞ୍ଚ ପ୍ରସ୍ତୁତି ହୋଇଥିଲା। ମୁଖ୍ୟମନ୍ତ୍ରୀ କରକମଣ୍ଡଳରେ ନୂତନ କୋଠା ଉଦ୍‌ଘାଟନ ହେବାକୁ ଯାଉଥିବା ବଡ଼ ବଡ଼ ହୋଡିଂ ଲଗାଯାଇଥିଲା। ସମସ୍ତେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ଆସିବେ, ଉଦଘାଟନ କରିବେ ନୂତନ କୋଠା। ହେଲେ ସବୁ ଆଶା ଆଶଙ୍କାରେ ହିଁ ରହିଗଲା।

Advertisment

ସେପଟେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର କହୁଛି, ହାଡ଼ଭଙ୍ଗା ଶୀତରେ ମେଡିକାଲ୍ ବାରଣ୍ଡାରେ ଖଟିଆ ଅଭାବରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ରୋଗୀ। ଏଥିପ୍ରତି ତିଳେମାତ୍ର ନିଘା ନାହିଁ ଜିଲ୍ଲା ପ୍ରଶାସନ ବା ସରକାରଙ୍କର। ଅନ୍ୟପଟେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପାଲଟିଛି ରେଫରାଲ ହସ୍ପିଟାଲ୍। ସ୍ଵାଧୀନତା ର ୭୮ ବର୍ଷ ବିତି ଯାଇଥିଲେ ବି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଡହଡହ ବାରି ହେଉଛି। ଆଜିବି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନ୍ୟ ଜିଲ୍ଲା ଉପରେ ନିର୍ଭର କରୁଛି ବୌଦ୍ଧ।

ଅନ୍ୟପକ୍ଷରେ ମନ୍ତ୍ରୀ ଅଧିକାରୀଙ୍କ  ଦୋଷ ଲଦାଲଦିକୁ ନେଇ ଉଠିଚି ପ୍ରଶ୍ନ। ଗତ ୪ ତାରିଖ ଦିନ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବୌଦ୍ଧ ଗସ୍ତରେ ଆସି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆସି ପାରିଲେ ନାହିଁ। ପୁନର୍ବାର ପୁଣି ଥରେ ଆସିବେ, ଉଦଘାଟନ କରିବେ। ଯେହେତୁ ଆଉ କିଛି କାମ ବାକି ରହିଛି ସେଥିପାଇଁ ମୁଖ୍ୟମନ୍ତ୍ରୀ ଆସି ନାହାନ୍ତି। କାମ ସଂପୂର୍ଣ୍ଣ ହେବାପରେ ଉଦଘାଟନ କରିବେ।

Advertisment

ଏଥିରେ ବୌଦ୍ଧ CDMO ଶଙ୍ଘମିତ୍ରା ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି ଆଉ କହିଛନ୍ତି, ଯେହେତୁ ମେଡ଼ିକାଲ୍‌ରେ ବେଡ୍ ଅଭାବ ସେଥିପାଇଁ ରୋଗୀ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି। ନୂଆ ମେଡିକାଲ ଦିଆଗଲେ ରୋଗୀ ଆଉ ତଳେ ଶୋଇବେ ନାହିଁ। ସବୁ ସୁବିଧା ପାଇ ପାରିବେ। ଏ ପର୍ଯ୍ୟନ୍ତ ନୂତନ ମେଡ଼ିକାଲ କୋଠା ହସ୍ତାନ୍ତର କରାଯାଇ ନାହିଁ। 

ସେପଟେ ଠିକା ସଂସ୍ଥା କହୁଛି କାମ ସଂପୂର୍ଣ୍ଣ ହୋଇଯାଇଛି। ବୌଦ୍ଧ ଓ ଗୃହ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଗତ ୪ ତାରିଖ ଦିନ ଉଦଘାଟନ ହେବା କଥା, ସମସ୍ତ ପ୍ରସ୍ତୁତି ସରିଥିଲା ହେଲେ ମୁଖ୍ୟମନ୍ତ୍ରୀ ଆସିଲେ ନାହିଁ। କିଏ ସତ କହୁଛି କିଏ ମିଛ କହୁଛି ଏଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ରୋଗୀ ହେଉଛନ୍ତି ହନ୍ତସନ୍ତ। ତାହାଲେ ଏଠି ଦେଖିବାକୁ ବାକି ରହିଲା କେବେ ଉଦ୍‌ଘାଟନ ହେଉଛି ୩୦୦ ଶହ  ଶଯ୍ୟା ବିଶିଷ୍ଟ ନୂତନ ମେଡିକାଲ କୋଠା।

Boudh Hospital Odisha Healthcare Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ