ଶେଷରେ ହଟିଲା ଜାତିପ୍ରଥା, ଜିତିଲା ମାନବିକତା Photograph: (OTV)
ଶେଷରେ ହଟିଲା ଜାତିପ୍ରଥା, ଜିତିଲା ମାନବିକତା। ଦୀର୍ଘ ପ୍ରାୟ ୩ ମାସ ପରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ନୂଆଗାଁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଫେରିଲେ ପିଲା। କୁତ୍ସିତ ଜାତିପ୍ରଥା ପରମ୍ପରାକୁ ନେଇ ଅଙ୍ଗନୱାଡ଼ି କେନ୍ଦ୍ରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ଅନୁସୂଚିତ ଜାତିର ଅଙ୍ଗନୱାଡ଼ି ସହାୟିକା ଶର୍ମିଷ୍ଠା ସେଠୀ, ଆଜି ନିଜେ ରୋଷଇ କରି ପିଲାଙ୍କୁ ନିଜ ହାତରେ ଖାଦ୍ୟ ପରଷି ଦେବା ପରେ ପୁଣି ସ୍ବାଭାବିକ ହୋଇଛି ଅଙ୍ଗନୱାଡ଼ି କେନ୍ଦ୍ର। ଆଉ ସେପଟେ ଏ ଘଟଣାର ହାପି ଏଣ୍ଡିଂ ପରେ ଶାନ୍ତିରେ ନିଶ୍ବାସ ମାରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ।...
ତୁଟିଲା ବିବାଦ, ମିଶିଲା ମନ। କୁନି କୁନି ପିଲାଙ୍କ କୋଳାହଳରେ ପୁଣି କମ୍ପିଲା ଅଙ୍ଗନୱାଡ଼ି କେନ୍ଦ୍ର। କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ଘଡ଼ିଆମାଳ ପଞ୍ଚାୟତର ନୂଆଗାଁ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜି ଯେମିତି ଥିଲା ଉତ୍ସବର ପରିବେଶ। ଅଙ୍ଗନୱାଡ଼ି ସମୟ ସକାଳ ସାଢ଼େ ୬ଟାରୁ ଥିଲେ ବି କୁହୁଡ଼ି କାରଣରୁ ଟିକିଏ ବିଳମ୍ବରେ ଆସିଥିଲେ ପିଲା। ପିଲାଙ୍କୁ କେନ୍ଦ୍ରକୁ ଆଣିବାକୁ ସକାଳୁ ସକାଳୁ ଗାଁରେ ଡେରା ପକାଇ ସରିଥିଲା ଶାସନ ଓ ପ୍ରଶାସନ। ସ୍ଥାନୀୟ ବିଧାୟକ, କେନ୍ଦ୍ରାପଡ଼ା ସିଡିପିଓ ଆଉ ରାଜନଗର ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ଗାଁର ନେତା ଓ ମୁରବୀମାନେ ପିଲାଙ୍କୁ କୋଳେଇ କାଖେଇ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆଣିଥିଲେ।
ସେହିପରି, ପିଲା ଆସୁନଥିବାରୁ ପ୍ରାୟ ୩ ମାସ ଧରି ଖାଁ ଖାଁ ଲାଗୁଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ଲାଗିଥିଲା ଗହଳି ଚହଳି। ଏତେ ଦିନ ପରେ କୁନି କୁନି ପିଲାମାନେ କେନ୍ଦ୍ରକୁ ଫେରୁଥିବାରୁ ସେମାନଙ୍କୁ ଫୁଲ ଚନ୍ଦନ ଲଗେଇ ଶ୍ରେଣୀଗୃହକୁ ପାଛୋଟି ନେବାକୁ ପ୍ରସ୍ତୁତ ଥିଲେ ସହାୟିକା ଶର୍ମିଷ୍ଠା ସେଠୀ। ପିଲାଏ ପହଞ୍ଚିବା ପରେ ସେମାନଙ୍କୁ ପାଠ ପଢାଇଥିଲେ ନିଜେ ସିଡିପିଓ।
ଆଉ ଏପଟେ ଆରମ୍ଭ ହୋଇଥିଲା ରୋଷେଇ କାର୍ଯ୍ୟ। ଶର୍ମିଷ୍ଠା ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପରେ ଏକାଠି ଖାଇବାକୁ ବସିଥିଲେ ସମସ୍ତେ। ଆଉ ଶର୍ମିଷ୍ଠା ନିଜ ହାତରେ ପିଲାଙ୍କୁ ଖୁଆଇ ଦେବା ସହ ସମସ୍ତଙ୍କ ଗେହ୍ଲୀ ଭଉଣୀ ଭଳି ସବୁପିଲାଙ୍କୁ ସ୍ନେହ ଆଉ ଆଦରରେ ଖୁଆଇ ଦେବାର ସୁଯୋଗ ପାଇଥିବାରୁ ତାଙ୍କ ଆଖିରେ ଆସିଯାଇଥିଲା ଆନନ୍ଦର ଅଶ୍ରୁ।
ଗତ ନଭେମ୍ବର ୨୦ରେ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ନୂଆ କରି ସହାୟିକା ଭାବେ ନିଯୁକ୍ତି ପାଇଥିଲେ ଏଇ ଗାଁର ଶର୍ମିଷ୍ଠା ସେଠୀ। ତେବେ ସେ ଅନୁସୂଚିତ ଜାତିର ହୋଇଥିବାରୁ ତାଙ୍କ ହାତରନ୍ଧା ରୋଷେଇ ଖାଇବା ଓ ତାଙ୍କ ହାତରୁ ଅଣ୍ଡା ଛତୁଆ ଆଦି ଗ୍ରହଣ କରିବାକୁ ଅଭିଭାବକମାନେ ଅରାଜି ହୋଇଥିବା ଅଭିଯୋଗ ହୋଇଥିଲା। ତେଣୁ ଅଙ୍ଗନୱାଡ଼ି କେନ୍ଦ୍ରର ଅସୁବିଧା ଓ ଗାଁ ସମସ୍ୟାକୁ ଆଳ କରି ଆଉ କେନ୍ଦ୍ରକୁ ପିଲାଙ୍କୁ ଛାଡ଼ିନଥିଲେ ଅଭିଭାବକ। ଯାହାକୁ ନେଇ ସୃଷ୍ଟି ହୋଇଥିଲା ଅଚଳାବସ୍ଥା।
ଏକବିଂଶ ଶତାବ୍ଦୀର ଏ ମଧ୍ୟଯୁଗୀୟ ଜାତିପ୍ରଥା ଓ ଛୁଆଁ ଅଛୁଆଁ ଭେଦଭାବକୁ ନେଇ ନୂଆଗାଁ ଖବର ରାଜ୍ୟସଭାରେ ଉଠିବା ପରେ ଜାତୀୟ ଗଣମାଧ୍ୟମରେ ବି ଖୁବ୍ ଚର୍ଚ୍ଚା ହୋଇଥିଲା।ଏହା ପରେ ନୂଆଗାଁର ଏ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରପଡା ଜିଲ୍ଲା ପ୍ରଶାସନ ଆଖିରୁ ନିଦ ହଜିଯାଇଥିଲା। ଗଲା କିଛି ଦିନ ଧରି ଗାଁରେ ଘନ ଘନ ବୈଠକ, ଅଭିଭାବକଙ୍କୁ ବୁଝାସୁଝା ଆଉ ସେଚତନ ପାଇଁ ଯାବତୀୟ ବ୍ୟବସ୍ଥାକୁ ଆପଣାଇଥିଲା ପ୍ରଶାସନ।
ଦୁଇ ଦିନ ତଳେ ଗାଁରେ ଜିଲ୍ଲା ପ୍ରଶାସନିକ ଅଧିକାରୀ, ମହିଳା କମିଶନ ସଦସ୍ୟା ଏବଂ ଶିଶୁ ସୁରକ୍ଷା ଆୟୋଗ ପ୍ରମୁଖ ଗାଁକୁ ଯାଇ ଶର୍ମିଷ୍ଠାଙ୍କ ହାତରନ୍ଧା ଖାଦ୍ୟ ଖାଇ ଲୋକଙ୍କୁ ବୁଝାଇଥିଲେ। ଆଉ ଗତକାଲି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ଗାଁ ଲୋକଙ୍କ ସହିତ ଏକାଠି ବସି ଭୋଜନ କରିଥିଲେ। ସୋମବାରଠୁ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବାକୁ ସମସ୍ତେ ଏକାଠି ଶପଥ ନେଇଥିଲେ।...
ତେବେ ପ୍ରାୟ ୩ ମାସ ପରେ ଏ ବିବାଦର ସମାଧାନ ପରେ ଅଙ୍ଗନୱାଡ଼ି କେବଳ ଅଙ୍ଗନୱାଡ଼ି କେନ୍ଦ୍ରରେ ସ୍ବାଭାବିକତା ଫେରିନି, ବରଂ ଜାତିପ୍ରଥାକୁ ନେଇ ଶର୍ମିଷ୍ଠାଙ୍କୁ ଯେଉଁ ଦୁଃଖ ଓ ଆଘାତ ଦେଇଥିଲେ, ସେଥିରୁ ତାଙ୍କୁ ଉପସମ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/16/caste-row-ends-in-kendrapara-2026-02-16-19-57-29.jpg)