AYUSMAN-CARD-PROBLEM Photograph: (OTV)
ଆୟୁଷ୍ମାନ କାର୍ଡକୁ ଧରି ହନ୍ତସନ୍ତ ରୋଗୀ । ବୁଲୁଛନ୍ତି ଏ ହସ୍ପିଟାଲରୁ ସେ ହସ୍ପିଟାଲ । ନବରଙ୍ଗପୁର ଜିଲ୍ଲା ଝରିଗାଁର ଡି. ଶୁଭୁରାଜଙ୍କ ସ୍ତ୍ରୀ ପଦ୍ମିନୀ । ଗଲା ୮ମାସ ହେଲା ସ୍ୱାସ୍ଥ୍ୟ ଭଲ ନାହିଁ, ଅନବରତ ଭାବେ ଋତୁସ୍ରାବ ହେଉଛି । ଚିକିତ୍ସା ପାଇଁ ପଡୋଶୀ ଛତିଶଗଡର ଜଗଦଲପୁର ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଚିକିତ୍ସା ହୋଇ ଖର୍ଚ୍ଚାନ୍ତ ହୋଇଛନ୍ତି ।
ଆୟୁଷ୍ମାନ କାର୍ଡ ଆକ୍ଟିଭ ନଥିବା ଯୋଗୁଁ ଅସ୍ତ୍ରୋପଚାର କରିପାରୁନାହାନ୍ତି। ପୂର୍ବରୁ ପଦ୍ମିନୀ ଶୁଭୁରାଜଙ୍କ BSKY କାର୍ଡ ଥିଲା । ହେଲେ ବର୍ତ୍ତମାନ ଆୟୁଷ୍ମାନ କାର୍ଡରେ ବଦଳି ହୋଇପାରୁନାହିଁ । ଯାହା ଫଳରେ ସମସ୍ୟା ହେଉଛି ।
ଆୟୁଷ୍ମାନ କାର୍ଡକୁ ନେଇ ହନ୍ତସନ୍ତ ରୋଗୀ
ସମାନ ଅଭିଯୋଗ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଦୋରାଗାଁର ଡ଼ମ୍ବୁରଧର ପୂଜାରୀଙ୍କର । କର୍କଟ ରୋଗରେ ପୀଡିତ ଡମ୍ବୁରୁଧର ଚିକିତ୍ସା ପାଇଁ ଆନ୍ଧ୍ରପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆୟୁଷ୍ମାନ କାର୍ଡ କାମ ନଦେବାରୁ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଖର୍ଚ୍ଚ କରିବା ସତ୍ତ୍ବେ କୌଣସି ଉପାୟ ନପାଇ ଘରକୁ ଫେରିଲେ । କିଛି ଦିନ ପରେ ଡ଼ମ୍ବୁରଙ୍କ ଦେହାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସାନ ପୁଅ ।
ସେହିପରି ଛତିଶଗଡ଼ରେ ଆୟୁଷ୍ମାନ କାର୍ଡ କାମ କରୁନଥିବାରୁ ମେଡିକାଲ ଫେରାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ଉମରକୋଟର ବରିଷ୍ଠ ନାଗରିକ ଦ୍ରୌପଦୀ ତ୍ରିପାଠୀ । ପାରାଲିସସ ରୋଗରେ ଆକ୍ରାନ୍ତ ଦ୍ରୌପଦୀ ଚିକିତ୍ସା ଅବହେଳାରୁ ଏବେ ଶଯ୍ୟା ଶାୟୀ ।
ଏପଟେ ସାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଆୟୁଷ୍ମାନ ଯୋଜନାକୁ ନେଇ ସମସ୍ତ ସମସ୍ୟାର ସମାଧାନ ଆସନ୍ତା ୩ ଦିନରେ ହେବ । ଆଜି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ଓ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM) ସମ୍ପର୍କରେ ଦୁଇ ଦିନିଆ ଚିନ୍ତନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ଯୋଜନାର କାର୍ଯ୍ୟାନ୍ୱୟନ, କାର୍ଡ ତିଆରି ପ୍ରକ୍ରିୟା ଓ ଡିଜିଟାଲ ସୁବିଧା ନେଇ ଆଲୋଚନା କରାଯାଇଛି ।
ଶିବିରରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ଯେ, ଆୟୁଷ୍ମାନ ଭାରତ କାର୍ଡ ସମ୍ପର୍କିତ ସମସ୍ତ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଯେଉଁ ଯୋଗ୍ୟ ଲାଭାର୍ଥୀ ମାନଙ୍କର ଏ ପର୍ଯ୍ୟନ୍ତ କାର୍ଡ ହୋଇନାହିଁ, ସେମାନେ ଡିଜିଟାଲ ମାଧ୍ୟମରେ ନିଜ ତଥ୍ୟ ଦେଖିପାରିବେ ଓ ଆବେଦନର ସ୍ଥିତି ଜାଣିପାରିବେ । ଆଗାମୀ ଦିନରେ ଆୟୁଷ୍ମାନ ଭାରତ ସଂପର୍କିତ ସମସ୍ତ ଡାଟା ଓଡ଼ିଆ ଭାଷାରେ ଉପଲବ୍ଧ ହେବ, ଯାହା ଫଳରେ ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/19/ayusman-card-problem-2026-01-19-19-47-26.jpg)