BARGADA-MLA Photograph: (OTV)
ବରଗଡ଼ରେ ବଡ଼ ଗଡ଼ବଡ଼ ।
ଗାଡିକୁ ଆକ୍ରମଣ ପରଠୁ ଉଠୁଛି ପଡୁଛି ବରଗଡ଼ ରାଜନୀତି । କାରଣ ଚର୍ଚ୍ଚା ହେଉଛି କୁଆଡ଼େ ଏହି କଳା ରଙ୍ଗର ଏସୟୁଭି ଗାଡ଼ିରେ ଥିଲେ ସ୍ଥାନୀୟ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କ ପୁଅ । ଯଦିଓ ଘଟଣାଟି ଗତ ୨ ତାରିଖ ସନ୍ଧ୍ୟା ସମୟର ବରଡୋଲ ଛକର, ହେଲେ ଭିଡିଓ ଭାଇରାଲ୍ ହୋଇଛି ୫ ତାରିଖରେ ।
ଏଣେ ପୋଲିସ୍ କିଛି କହିବା ଆଗରୁ ନିଜେ ବିଧାୟକ ବରଡୋଲ ଗାଁର କିଛି ଗାଁ ଲୋକଙ୍କୁ ଡାକି ଆଲୋଚନା କରୁଥିବାବେଳେ ତାଙ୍କ କଥାରୁ ଘଟଣା ଦିନ ତାଙ୍କ ପୁଅ ଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି। ବିଧାୟକ କହିଛନ୍ତି ଯେଉଁ ଘଟଣା ଘଟିଛି ତାହା ପୂର୍ବ ଯୋଜନା ମୁତବାକ ନୁହେଁ। ହେଲେ ସେ ପୁଅକୁ ଏ ସମ୍ପର୍କରେ ପଚାରିଥିଲେ, କିନ୍ତୁ ପୁଅ ଗାଡ଼ି ସାଇଡ୍ କରି ଦେଇଥିବା କହିଥିଲା। ତେବେ ତାଙ୍କ ପୁଅକୁ ଆକ୍ରମଣ ହୋଇଥିବା ନେଇ ଯେଉଁ ପ୍ରଚାର ଚାଲିଛି ତାହା ସମ୍ପୂର୍ଣ୍ଣ ମିଛ, ବରଂ ପୁଅର କିଛି ହୋଇନି ଓ ସେ ମୋ ସାଙ୍ଗରେ ବୁଲୁଛି ବୋଲି କହିଥିଲେ ବିଧାୟକ।
ତେଣେ ବିଧାୟକଙ୍କ ସହ ଆଲୋଚନା ବେଳେ ଉପସ୍ଥିତ ଥିବା ବରଡୋଲ ଗ୍ରାମ କମିଟି ସଂପାଦକ ବି କହିଥିଲେ- ଘଟଣା ଦୁର୍ଭାଗ୍ୟ କ୍ରମେ ଘଟିଥିଲା- ଉକ୍ତ କଳା ରଂଗର କାର୍ କୌଣସି ଦୁର୍ଘଟଣା ଘଟାଇନଥିଲା, କିନ୍ତୁ ଉତ୍ତ୍ୟକ୍ତ ଲୋକେ ତା ଉପରେ ଆକ୍ରମଣ କରିଥିଲେ।...
ଘଟଣା ପଛର ସତ କଣ ?
ଏବେ ପ୍ରଶ୍ନ ୨ ତାରିଖର ଏ ଘଟଣା ପଛର ସତ କଣ ? ପୋଲିସ୍ ସୂଚନା ଅନୁସାରେ- ବରଗଡ ଥାନା ବରଡୋଲ ଛକରେ ଏକ ଟ୍ୟାଙ୍କର ଧକ୍କାରେ ସେଦିନ ଜଣଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ ଚାଲିଥିଲା।
ସେତେବେଳେ ଏହି ଛତିଶଗଡ଼ ନମ୍ବର ଥିବା କଳା ରଙ୍ଗର କାର ଲୋକଙ୍କ ଭିଡ଼ରୁ ଯିବାକୁ ଉଦ୍ୟମ କରିଥିଲା। ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ କ୍ଷୁବ୍ଧ ହୋଇ ହଠାତ୍ ଆକ୍ରମଣ କରି ଦେଇଥିଲେ। ଗାଡ଼ିକୁ ଟେକା ପଥର ମାଡ଼ ସହ ଠେଙ୍ଗା ବାଡ଼ିରେ ପିଟିଥିଲେ। ଏମିତିକି ଗାଡ଼ିରେ ଥିବା ଯୁବକଙ୍କୁ ଟାଣି ଆଣି ନିର୍ଧୁମ୍ ପିଟିଥିଲେ, ପୋଲିସ୍ ଉପସ୍ଥିତ ଥାଇ ବି ଅସହାୟ ହୋଇ ପଡିଥିଲା।
ପରେ ୩ ତାରିଖରେ ଘଟଣାସ୍ଥଳରେ ଥିବା ଏ.ଏସ.ଆଇ ଚିନ୍ମୟ ରାହୁଲ, ବରଗଡ଼ ଥାନାରେ ଏକ ଏତଲା କରିଥିଲେ- ଯାହାକୁ ଭିତ୍ତି କରି- ବରଡୋଲ ଗାଁର ୨୫ ଜଣ ଓ ୨୦ ଜଣ ଅଜଣା ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଅଥଚ କଳା କାର୍ ଭିତରେ କେଉଁମାନେ ଥିଲେ ? ଏପର୍ଯ୍ୟନ୍ତ ସେମାନଙ୍କ ନାଁ କି ପରିଚୟ ଖୁଲାସା କରୁନଥିବାରୁ ବଢ଼ିଛି ଚର୍ଚ୍ଚା- ଆଲୋଚନା।
ଖୋଦ୍ ଏସ୍ଡିପିଓ ବି ସେ ସମ୍ପର୍କରେ ସଠିକ୍ ତଥ୍ୟ ଦେଇ ନାହାନ୍ତି। ତେଣେ ଉକ୍ତ ଘଟଣାକୁ ନେଇ ତେଜିଛି ରାଜନୀତି। ବିଜେଡି ଅଭିଯୋଗ କରିଛି ବିଧାୟକଙ୍କ ପୁଅ ଆଇନଶୃଙ୍ଖଳାକୁ ଭ୍ରୁକ୍ଷେପ ନକରି ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଅମାନବୀୟ କାଣ୍ଡ ଘଟାଇଛନ୍ତି। ତେଣେ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ କହିଛନ୍ତି- ତାଙ୍କୁ ବଦନାମ କରିବାକୁ ହୀନ ଉଦ୍ୟମ ହୋଇଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/08/bargada-mla-2026-02-08-19-46-07.jpg)