Advertisment

IAS Reshuffle Triggers Discussion: ମ୍ୟାଡମ ସିଏସ୍ ଦାୟିତ୍ୱ ନେବା ପରେ , ଆଇଏଏସ ରି-ସଫଲକୁ ନେଇ ପାୱାର କରିଡରରେ ଚର୍ଚ୍ଚା

ଲୋକସେବା ଭବନରୁ ସତ୍ୟବ୍ରତ ସାହୁ ଆଉଟ୍। ହେମନ୍ତ ଶର୍ମାଙ୍କୁ ଗୁରୁତ୍ବପୂର୍ଣ୍ଣ ଗୃହ ବିଭାଗର ଗୁରୁ ଦାୟିତ୍ୱ। ଡିସି ଭାବେ ଡିକେଙ୍କ ଉପରେ ସିଏମ ମୋହନଙ୍କ ଭରସା। ଆଉ ଏକାଧିକ ଅଧିକାରୀଙ୍କ କାନ୍ଧରେ ୨ରୁ ୩ଟି ବିଭାଗ ଭାର।

CHALLENGE-BEFORE-CS

CHALLENGE-BEFORE-CS Photograph: (OTV)

Advertisment

ଲୋକସେବା ଭବନରୁ ସତ୍ୟବ୍ରତ ସାହୁ ଆଉଟ୍। ହେମନ୍ତ ଶର୍ମାଙ୍କୁ ଗୁରୁତ୍ବପୂର୍ଣ୍ଣ ଗୃହ ବିଭାଗର ଗୁରୁ ଦାୟିତ୍ୱ। ଡିସି ଭାବେ ଡିକେଙ୍କ ଉପରେ ସିଏମ ମୋହନଙ୍କ ଭରସା। ଆଉ ଏକାଧିକ ଅଧିକାରୀଙ୍କ କାନ୍ଧରେ ୨ରୁ ୩ଟି ବିଭାଗ ଭାର। ନୂଆ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ପରେ ଗତକାଲିର ଆଇଏଏସ ଅଧିକାରୀ ସ୍ତରରେ ବଡ ଧରଣର ଅଦଳ ବଦଳକୁ ନେଇ ପାୱାର କରିଡରରେ ଏବେ ଏମିତି ଚର୍ଚ୍ଚା। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ବରିଷ୍ଠ ଆଇଏଏସ ଅଫିସର ସତ୍ୟବ୍ରତ ସାହୁଙ୍କୁ ଲୋକସେବା ଭବନ ପାୱାର କରିଡରରୁ କାଢି କଟକ ବୋର୍ଡ ଅଫ ରେଭେନ୍ୟୁକୁ ପଠାଇ ଦିଆଯାଇଛି। ଆଉ ତାଙ୍କ ଠାରୁ ୨ ବର୍ଷ କନିଷ୍ଠ ୧୯୯୩ ବ୍ୟାଚର ଆଇଏଏସ ଅଧିକାରୀ ଦେଓରଞ୍ଜନ କୁମାର ସିଂଙ୍କୁ  ପ୍ରଶାସନିକ କଳର ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ଉନ୍ନୟନ କମିଶନର ଭାବେ ମିଳିଛି ଦାୟିତ୍ୱ। ଏଥିସହ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ବି ତୁଲାଇବେ ଦେଓରଞ୍ଜନ। ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନ୍ୟ ପଟେ ଅଦଳ ବଦଳରେ ହେମନ୍ତ ଶର୍ମାଙ୍କୁ ମିଳିଥିବା ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା। ଶିଳ୍ପ, ସୂଚନା ଓ ଲୋକସଂପର୍କ ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସହ ଇପିକଲର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ ହେମନ୍ତ। ଏବେ ପୁଣି ସିଏମଙ୍କ ଅଧୀନରେ ଆସୁଥିବା ଗୃହ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ସେ ଆଜି ଦାୟିତ୍ୱ ନେଇଛନ୍ତି।

Advertisment



ତେବେ ଖାଲି ଡିକେ କିମ୍ବା ହେମନ୍ତଙ୍କୁ ନୁହେଁ, ଗତକାଲିର ରିସଫଲରେ ଅନେକ ଅଧିକାରୀଙ୍କୁ ମିଳିଛି ଏକାଧିକ ବିଭାଗ। ୧୯୯୯ ବ୍ୟାଚର ଆଇଏଏସ ଦମ୍ପତ୍ତି ଶୁଭା ଶର୍ମା ଏବଂ ଭାସ୍କର ଜ୍ୟୋତି ଶର୍ମାଙ୍କ ଉପରେ ମଧ୍ୟ ରାଜ୍ୟ ସରକାର ଅଧିକ ଭରସା କରିଥିବା କୁହାଯାଉଛି। ଭାସ୍କରଜ୍ୟୋତି ଶର୍ମା ଅବକାରୀ ବିଭାଗର ପ୍ରମୁଖ ସଚିବ ସହ ଓଡିଶା ମଦ ନିଗମର ଅଧ୍ୟକ୍ଷ ଏଭଂ ଓପିଟିସିଏଲର ସିଏମଡି ଥିବା ବେଳେ ପୁଣି ତାଙ୍କୁ ଅତିରିକ୍ତ ଭାବେ ଜଙ୍ଗଲ ଏବଂ ପରିବେଶ ବିଭାଗ ଦାୟିତ୍ୱ ଦିଆଯାଇଛି । ଆଉ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୋଭା ଶର୍ମାଙ୍କୁ ଅତିରିକ୍ତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଜଳସଂପଦ ବିଭାଗର ଦାୟିତ୍ୱ ମଧ୍ୟ ମିଳିଛି। ସେଭଳି ନୂଆ ସ୍ବତନ୍ତ୍ର ରିଲିଫ କମିଶନର ତଥା ଓସଡମା ପରିଚାଳନା ନିର୍ଦ୍ଦେଶକ ହୋଇଛନ୍ତି  ରାଜେଶ ପ୍ରଭାକର ପାଟିଲ। ଏହି ଦାୟିତ୍ବ ମଧ୍ୟ ତାଙ୍କୁ ଅତିରିକ୍ତ ଭାବେ ଦିଆଯାଇଛି । ୨୦୦୫ ବ୍ୟାଚର ଆଇଏଏସ ଅଫିସର ପାଟିଲ ପୂର୍ବରୁ ସମବାୟ ବିଭାଗର ସଚିବ, ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଓଡିଶା ରାଜ୍ୟ ପଣ୍ୟାଗାର ନିଗନର ଅଧ୍ୟକ୍ଷ ଭାବେ କାମ କରୁଛନ୍ତି । ତେବେ ବଡ କଥା ହେଉଛି ପୂର୍ବରୁ ବି ସୁରେନ୍ଦ୍ର କୁମାର, ଅରବିନ୍ଦ ପାଢୀ, ଉଷା ପାଢୀ, ସଞ୍ଜୟ ସିଂ, ତିରୁମାଲା ନାଏକ, ଅରବିନ୍ଦ ଅଗ୍ରୱାଲଙ୍କ ଭଳି ବରିଷ୍ଠ ଆଇଏଏସ ଅଧିକାରୀ ଏକାଧିକ ଦାୟିତ୍ୱରେ ଅଛନ୍ତି। ତେବେ ଓଡିଶା ପ୍ରଶାସନିକ କଳକୁ ଆହୁରି କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ଗତକାଲି ୧୫ ସୂତ୍ରୀ ନିର୍ଦ୍ଦେଶବଳୀ ଧରେଇଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ଅନେକ ଅଧିକାରୀଙ୍କ ଉପରେ ଏକାଧିକ ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ୟକୁ ହାସଲ କରିବାରେ ବାଧା ଉପଜାଇବନି ତ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ