Advertisment

Big Raid in Nuapada: ଭୋଟ୍ ପୂର୍ବରୁ ନୂଆପଡ଼ାରେ ବଡ଼ ରେଡ୍ , ଜଣେ ନବାଗତ ବିଜେଡି ନେତାଙ୍କ ଘରେ ଚଢ଼ାଉ

ଉପ ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜଧାନୀ ପାଲଟିଛି ନୂଆପଡ଼ା। ମନ୍ତ୍ରୀଙ୍କଠୁ ବିଧାୟକ, ବରିଷ୍ଠ ନେତାଙ୍କଠାରୁ ମାଳ ମାଳ କର୍ମୀଙ୍କ ଗହଳିରେ ଚଳଚଞ୍ଚଳ ହୋଇ ଉଠିଛି ସାରା ଜିଲ୍ଲା। ତେବେ ଆସନ୍ତାକାଲି ସରିବ ନିର୍ବାଚନ ପ୍ରଚାର।

RAID

RAID Photograph: (OTV)

Advertisment

ନୂଆପଡ଼ା ଉପନିର୍ବାଚନ ପାଇଁ ସରି ଆସୁଛି ପ୍ରଚାର...ଏହାପରେ ନେତା କର୍ମୀଙ୍କ ଅନ୍ଧାରୀ ବିଜେ ପାଳି...ଭୋଟ୍ ପାଇଁ ଚାଲିପାରେ ନୋଟ୍ କାରବାର...ତେଣୁ ନୂଆପଡ଼ା ଜିଲ୍ଲା ବ୍ୟାପି ଚାଲିଛି ଘନ ଘନ ରେଡ୍...ନେତା ଆଉ କର୍ମୀଙ୍କ ଆଡ୍ଡା ପାଲଟିଥିବା ହୋଟେଲ୍ ଓ ଘରେ ଜାରି ରହିଛି ଚଢ଼ାଉ।

Advertisment

ଖରିଆର୍ ରୋଡରେ ରହିଛି ମଙ୍ଗଳମୂର୍ତ୍ତି ହୋଟେଲ । ଏହାର ଲଗବୁକ୍ ଯାଞ୍ଚ କରିଛି ସ୍ବତନ୍ତ୍ର ପୋଲିସ ଟିମ୍। ହୋଟେଲରେ କେଉଁଠୁ, କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଆସି ରହିଛନ୍ତି, ତାର ଯାଞ୍ଚ ହେଇଛି। ସେହିପରି ନୂଆପଡ଼ା ଗଣପତି ହୋଟେଲରେ ବି ୪ ଜଣିଆ ଟିମ୍ ଯାଞ୍ଚ କରିଛି। ତେବେ ଯାଞ୍ଚରୁ କ’ଣ ପାଇଛି ସ୍ବତନ୍ତ୍ର ଟିମ୍, ତାହା ସ୍ପଷ୍ଟ ହୋଇନାହିଁ। ଏସବୁ ଭିତରେ ଚର୍ଚ୍ଚାରେ କଂଗ୍ରେସ ଛାଡ଼ି ଏବେ ଏବେ ବିଜେଡିରେ ଯୋଗଦେଇଥିବା ମହମ୍ମଦ ଜୁନେଦ୍। ସିଧା ଘରେ ପଶି ମିଳିତ ଭାବେ ଛାପା ମାରିଛି ଆୟକର ଏବଂ ପୋଲିସ ଟିମ୍। ବେଡରୁମରୁ ଆରମ୍ଭ କରି ଲକର୍ ଯାଏଁ କିଛି ସମୟ ଧରି ଖାନ ତଲାସୀ କରିଛି। ବିଜେଡ଼ି ପାଇଁ ଆର୍ଥିକ କାରବାର ଅଭିଯୋଗ ଆଧାରରେ ତାଙ୍କ ଘରେ ଆୟକର ବିଭାଗ ଓ ପୋଲିସର ସ୍ବତନ୍ତ୍ର ସ୍କାଡ୍ ଯାଞ୍ଚ କରିଥିବା କୁହାଯାଉଛି। 

ଉପ ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜଧାନୀ ପାଲଟିଛି ନୂଆପଡ଼ା। ମନ୍ତ୍ରୀଙ୍କଠୁ ବିଧାୟକ, ବରିଷ୍ଠ ନେତାଙ୍କଠାରୁ ମାଳ ମାଳ କର୍ମୀଙ୍କ ଗହଳିରେ ଚଳଚଞ୍ଚଳ ହୋଇ ଉଠିଛି ସାରା ଜିଲ୍ଲା। ତେବେ ଆସନ୍ତାକାଲି ସରିବ ନିର୍ବାଚନ ପ୍ରଚାର। ଆସନ୍ତାକାଲି ଅପରାହ୍ନ ୪ଟାରୁ ଆରମ୍ଭ ହୋଇଯିବ ସାଇଲେନସ ପିରିୟଡ୍। ତା’ଆଗରୁ ବାହାରୁ ଆସିଥିବା ବ୍ୟକ୍ତିବିଶେଷଙ୍କୁ ନୂଆପଡ଼ା ଛାଡ଼ିବା ପାଇଁ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସେହିପରି ରହଣୀ ସ୍ଥଳୀ ଗୁଡ଼ିକରେ ଯାଞ୍ଚ କରିବା ସହ ଯାହା ଉପରେ ସନ୍ଦେହ ହେବ ତାଙ୍କ ଉପରେ ବି ଯାଞ୍ଚ ହେବ। 

ନିର୍ବାଚନୀ ପ୍ରଚାର ଲଢ଼େଇ ଭିତରେ ପ୍ରତିପକ୍ଷ ପ୍ରାର୍ଥୀ ଏବଂ ଦଳୀୟ ନେତାଙ୍କୁ AI ଜରିଆରେ ମିଛ ଫଟୋ ଏବଂ ଭିଡ଼ିଓ ତିଆରି କରି ସୋସିଆଲ୍ ମିଡ଼ିଆରେ ବଦନାମ ଉଦ୍ୟମକୁ ନେଇ ମୁହାଁମୁହିଁ ବିଜେପି-ବିଜେଡ଼ି। ବିଜେପିର ଏକ ପ୍ରତିନିଧି ଦଳ ବିଜେଡିର ଅପପ୍ରଚାର ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ୍ ହୋଇଛି। ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଧାୟକ ହିମାଂଶୁ ସାହୁଙ୍କ ଫଟୋକୁ AI ସହାୟତାରେ ମିଛ ଚିତ୍ରଣ କରି ନୂଆପଡ଼ା ଭୋଟରଙ୍କୁ ବିଜେଡି ଭ୍ରମିତ କରୁଛି ବୋଲି ଅଭିଯୋଗ ଆଣିଛି ବିଜେପି।...ପ୍ରତିକ୍ରିୟାରେ ବିଜେଡି କହିଛି, ଆମର ସୋସିଆଲ ମିଡିଆ ଟିମ୍ ଅତ୍ୟନ୍ତ ଭଦ୍ର। ସେମାନେ ଶାଳୀନତା ଭିତରେ କାମ କରନ୍ତି। କିଏ ଫଟୋ ଭିଡ଼ିିଓ ଭାଇରାଲ୍ କରୁଛି, ତଦନ୍ତ ହେଲେ ସବୁ ସ୍ପଷ୍ଟ ହେବ।   

ଆସନ୍ତାକାଲି ଅପରାହ୍ନ ୪ଟା ସୁଦ୍ଧା ସରିବ ପ୍ରଚାର। ଏହାପରେ ୧୧ରେ ମତଦାନ ଏବଂ ୧୪ରେ ହେବ ଗଣତି। ତେବେ ଆରୋପ ପ୍ରତ୍ୟାରୋପ ଲଢ଼େଇ ଭିତରେ କାହାର ହେଉଛି ନୂଆପଡ଼ା, ତାକୁ ଏବେ ଅପେକ୍ଷା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ