ବିଡିଓ ବାବୁଙ୍କ କଙ୍ଗାରୁ କୋର୍ଟ, ସିଧା ଗରିବଙ୍କ ପେଟକୁ ଲାତ Photograph: (OTV)
ବିଡିଓ ବାବୁଙ୍କ କଙ୍ଗାରୁ କୋର୍ଟ, ସିଧା ଗରିବଙ୍କ ପେଟକୁ ଲାତ। ଅଧା ଗଢ଼ା ପିଏମ୍ ଆବାସ ଘର ପାଇଁ ୫ ମାସ ହେଲା କାହାର ଚାଉଳ ତ କାହାର ବନ୍ଦ କରିଛନ୍ତି ଭତ୍ତା। ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରୁ ଆସିଥିବା ଏ ଘଟଣା ହଲଚଲ ସୃଷ୍ଟି କରିଥିବାବେଳେ ବିଡିଓଙ୍କ ନିର୍ଦ୍ଦୟପଣକୁ ବି ପଦାରେ ପକାଇଛି। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ ପରେ ବିଡିଓଙ୍କ ଟାଣପଣ ବି ଭାଙ୍ଗିଛି।
ବିଡିଓଙ୍କ ନିର୍ଦ୍ଦୟପଣକୁ ନେଇ ଜଣେ କୁନି ଉଭଣୀ ଭିଡିଓ ମାଧ୍ୟମରେ ଗୁହାରି କରିଛନ୍ତି। ବାପା-ମାଆ ଦାଦନ ଖଟି ଯାଇଛନ୍ତି। ଦୁହେଁ ଅଜା ପାଖେ ରହି ପଢୁଛନ୍ତି। ସେମାନଙ୍କ ଆଶା ଭରସା କେବଳ ରାସନ କାର୍ଡରେ ମିଳୁଥିବା ସରକାରୀ ଚାଉଳ। କିନ୍ତୁ ୫ମାସ ହେଲା ତାହା ବନ୍ଦ। କାରଣ ସେମାନଙ୍କ ପେଟର ଦାନାକୁ ବନ୍ଦ କରିଛନ୍ତି ଖୋଦ୍ ବିଡିଓ ବାବୁ। ହେଲେ କାହିଁକି ? କାରଣ ଶୁଣିଲେ କାନ ମୁଣ୍ଡା ଝାଇଁ ମାରିଯିବ।
ଅଭିଯୋଗ ଅନୁସାରେ ଦୁଇ ଛୁଆଙ୍କ ବାପା ତଥା ଆଗଲପୁର ବ୍ଳକ ରେଙ୍ଗାଲି ଗାଁର ନରେଶ ସେଠଙ୍କୁ ପିଏମ୍ ଆବାସ ଘର ମିଳିଥିଲା। ଟଙ୍କା ଉଠାଇଥିଲେ ବି ଘର ଅଧାପନ୍ତରିଆ କରି ଦାଦନ ଖଟିବାକୁ ପଳାଇଛନ୍ତି। ସେଥିପାଇଁ ବିଡିଓଙ୍କ ରାଗ, ତାଙ୍କ କାର୍ଡରେ ଚାଉଳ ବନ୍ଦ କରିଛନ୍ତି।
ଏଣେ ସୋସିଆଲ ମିଡିଆରେ ଦୁଇ ଭଉଣୀଙ୍କ ଗୁହାରି ଭାଇରାଲ ପରେ କିଟକିଟ ଅନ୍ଧାର ରାତିରେ କୁଆଡ଼େ ହଠାତ୍ ତାଙ୍କୁ ଦିଆଯାଇଛି ଚାଉଳ। ଠିକ୍ ସେମିତି ଆଉ ଦୁଇ ବୟସ୍କା ଭଉଣୀଙ୍କ ଦୁଃଖ। ଘୁଚେପାଲି ଗାଁର ଅବିବାହିତା ବନିତା ତ୍ରୀପାଠୀ ଓ ସବିତା ତ୍ରୀପାଠୀ ଭତ୍ତା ପାଉଥିଲେ, ହେଲେ ତାଙ୍କର ବି ଅଧାଗଢ଼ା ଆବାସ ଘର ପାଇଁ ଚାରିମାସ ହେଲା ଭତ୍ତା ବନ୍ଦ।
ସେହିପରି ଡୁଡୁକାମୁଣ୍ଡା ଗାଁର ଦମ୍ପତି କେଶବ ରାଉତ ଓ ସଂଯୁକ୍ତା ରାଉତ ବି ସମାନ ଦଣ୍ଡ ଭୋଗୁଛନ୍ତି। ଏମାନଙ୍କର ଏକମାତ୍ର ଛୁଆ ସିକିଲ୍ସେଲ ରୋଗରେ ଆକ୍ରାନ୍ତ। ହେଲେ ତାଙ୍କ ପଡିକାର୍ଡରେ ଅଗଷ୍ଟ ମାସରେ ଶେଷ ଥର ପାଇଁ ଚାଉଳ ମିଳିଥିଲା। ଏଣେ ଓଟିଭିରେ ଖବର ବାଜୁ ବାଜୁ ଯୁଦ୍ଧକାଳୀନ ଭିତ୍ତିରେ ଦିଆଯାଇଛି ଚାଉଳ। ପୂରା ଘଟଣାକୁ ନେଇ ଖପ୍ପା ହୋଇଛନ୍ତି ବଲାଙ୍ଗିର ଜିଲ୍ଳା ପରିଷଦ ଅଧ୍ୟକ୍ଷା, କହିଛନ୍ତି ଗୋଟି ଗୋଟି କଥା ଜିଲ୍ଲାପାଳଙ୍କୁ ଜଣାଇଛି।
ତେବେ ଏଠି ପ୍ରଶ୍ନ- କାହିଁକି ଆଗଲପୁର ବିଡିଓ କୁଲଦୀପ ମହାନ୍ତି ହୋଇଗଲେ ଏତେ ନିର୍ଦ୍ଦୟ ? କେଉଁଥି ପାଇଁ ଗରିବଙ୍କ ପେଟକୁ ଲାତ ମାରିଲେ ? ଅସଲ କଥା ହେଲା- ଆଗଲପୁର ବ୍ଳକର ୭୫୦ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ନେଇ ଘର ସଂପୂର୍ଣ୍ଣ କରିନାହାନ୍ତି। ବହୁ ଲୋକ ଏବେ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ତେଣୁ ସେମାନଙ୍କ ବିରୋଧରେ ଜାରି ହୋଇଛି ଫତୱା। ଏନେଇ କଂଗାରୁକୋର୍ଟ ଆଚରଣ ପ୍ରଦର୍ଶନ କରି କାହାର ଚାଉଳ ତ କାହାର ଭତ୍ତା ବନ୍ଦ କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।
ତେବେ ବିଡିଓ ଏଭଳି ଷ୍ଟେପ୍ ଆଦୌ ନେଇ ପାରିବେନି ବୋଲି ଜିଲ୍ଳା ଯୋଗାଣ ଅଧିକାରୀ ଓ ସାମାଜିକ ସୁରକ୍ଷା ଅଧିକାରୀ ସ୍ପଷ୍ଟ କରିଥିବାବେଳେ ଓଟିଭି ହାତରେ ବି ଲାଗିଛି- ବିଡିଓଙ୍କ ଭୁଲ କାମର ସ୍ୱୀକାରୋକ୍ତି। ଏମିତିକି ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଅଫିସିଆଲ ହ୍ୱାଟସଆପ୍ ଗ୍ରୁପରେ ମେସେଜ ଦେଇ, ଦୁଃଖିତ ବୋଲି ଜଣାଇଛନ୍ତି। ହେଲେ ଏତେ ପ୍ରମାଣ ସତ୍ତ୍ୱେ ଓଟିଭିକୁ ପ୍ରତିକ୍ରିୟାବେଳେ ତାଙ୍କ ମୁହଁ ଫୁଟାଣି କମି ନଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/09/bdo-kangaroo-court-odisha-2026-01-09-21-01-46.jpg)