APARTMENT Photograph: (OTV)
ହଟିଲା ଆପାର୍ଟମେଣ୍ଟ୍ ଟେନସନ୍ । ଷ୍ଟାମ୍ପ ଡ୍ୟୁଟି ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର । ପୂର୍ବରୁ ଦଲିଲ୍ ନିମନ୍ତେ ୫% ଷ୍ଟାମ୍ପ ଦେୟ ଦେବାକୁ ପଡୁଥିଲା । 5 ପ୍ରତିଶତ ନୁହେଁ, ଆପର୍ଟମେଣ୍ଟର କମନ୍ ଏରିଆ ରେଜିଷ୍ଟ୍ରେସନ୍ ପାଇଁ ଷ୍ଟାମ୍ପ ଡ୍ୟୁଟି ବାବଦକୁ ପଡ଼ିବ ମାତ୍ର 50 ହଜାର ଟଙ୍କା ଫି। ରାଜ୍ୟ କ୍ୟାବିନେଟରେ ଗତକାଲି ଷ୍ଟାମ୍ପ ଡ୍ୟୁଟି ସଂଶୋଧନ ପ୍ରସ୍ତାବରେ ମୋହର ବାଜିବା ପରେ ହଟିଛି ଆପାର୍ଟମେଣ୍ଟ କମନ୍ ଏରିଆ ରେଜିଷ୍ଟ୍ରେସନ୍ ଦ୍ବନ୍ଦ୍ବ। ସରକାରଙ୍କ ଏଇ ନିଷ୍ପତ୍ତି ଫଳରେ ଆଗକୁ ମାତ୍ର 70 ହଜାର ଟଙ୍କାରେ ଉଭୟ କମନ୍ ଏରିଆ ଓ କମନ୍ ଫାସିଲିଟିର ପଞ୍ଜିକରଣ ହୋଇପାରିବ। ଯାହାକୁ ସ୍ବାଗତ କରିଛନ୍ତି ଉଭୟ କ୍ରେତା ଓ ବିକ୍ରେତା।...
ଝିନଝଟ୍ ହଟିଲା
ଆପାର୍ଟମେଣ୍ଟ ହସ୍ତାନ୍ତର ଦଲିଲ୍ ପଞ୍ଜୀକରଣ ସମୟରେ କମନ୍ ଏରିଆ ବା ସାଧାରଣ କ୍ଷେତ୍ରକୁ ଆସୋସିଏସନ୍ ଅଫ୍ ଆଲଟି ବା ବାସଗୃହ କ୍ରେତା ସଂଘ ନାମରେ ହସ୍ତାନ୍ତର କରିବା ବାଧ୍ୟତାମୂଳକ। ଗତ ଡିସେମ୍ବର 17 ତାରିଖରେ ରାଜସ୍ବ ବିଭାଗ ମାତ୍ର ୨୦ ହଜାର ଟଙ୍କାରେ କମନ୍ ଏରିଆ ରେଜିଷ୍ଟ୍ରେସନ୍ ହେବ ବୋଲି ବିଜ୍ଞପ୍ତି ପ୍ରକାଶ କରିବା ପରେ ବି ଦ୍ବନ୍ଦ୍ବ ହଟିନଥିଲା। କାରଣ ପୂର୍ବରୁ ପଞ୍ଜିକରଣ ବେଳେ ଦଲିଲ୍ ନିମନ୍ତେ 5 ପ୍ରତି ଷ୍ଟାମ୍ପ ଦେୟ ଦେବାକୁ ପଡୁଥିଲା। ଯାହାକି ଆପାର୍ଟମେଣ୍ଟ ମାଲିକଙ୍କ ଉପରେ ଅଧିକ ଆର୍ଥିକ ବୋଝ ସୃଷ୍ଟି କରୁଥିଲା। ଫଳରେ ଆପାର୍ଟମେଣ୍ଟ ପଞ୍ଜୀକରଣରେ ବାଧା ଉପୁଜୁଥିଲା।
ହେଲେ ଏବେ ଏହି ପ୍ରକ୍ରିୟାକୁ ସରଳୀକରଣ କରିବାକୁ ବଡ଼ ପଦକ୍ଷେପ ସ୍ବରୂପ ଗତକାଲି ରାଜ୍ୟ କ୍ୟାବିନେଟରେ ଭାରତୀୟ ଷ୍ଟାମ୍ପ ଅଧିନିୟମ 1899ରେ ସଂଶୋଧନ ପ୍ରସ୍ତାବ ପାରିତ ହୋଇଛି। ଯାହାଫଳରେ ଷ୍ଟାମ୍ପ ଡ୍ୟୁଟି ବାବଦରେ କ୍ରେତା ସଂଘ ବା ସୋସାଇଟିକୁ 5 ପ୍ରତିଶତ ବଦଳରେ ମୋଟ୍ ଉପରେ ମାତ୍ର 50 ହଜାର ଟଙ୍କା ଦେବାକୁ ପଡିବ। ଅର୍ଥାତ୍ ପଞ୍ଜିକରଣ ବାବଦକୁ 20 ହଜାର ଏବଂ ଷ୍ଟାମ୍ପ୍ ଡ୍ୟୁଟି ବାବଦରେ 50 ହଜାରକୁ ମିଶାଇ ସମୁଦାୟ 70 ହଜାର ଟଙ୍କାରେ କମନ୍ ଏରିଆ ଏବଂ କମନ୍ ଫାସିଲିଟି ବା ସାଧାରଣ କ୍ଷେତ୍ର ଓ ସାଧାରଣ ସୁବିଧାର ରେଜିଷ୍ଟ୍ରେସନ୍ ହେବ।...
ପଞ୍ଜିକରଣରେ ବଡ଼ ପ୍ରତିବନ୍ଧକ ଥିଲା
କେବଳ ସେତିକି ନୁହେଁ ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଆପାର୍ଟମେଣ୍ଟକୁ କେହି ବିକ୍ରି କରିବାକୁ ଚାହିଁଲେ କମନ୍ ଏରିଆ ଓ କମନ୍ ଫାସିଲିଟି ପାଇଁ ପୁଣି ଥରେ କ୍ରେତାଙ୍କୁ ଦେୟ ପୈଠ କରିବାକୁ ପଡ଼ିବନି। ୨୦୨୩ରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସ୍ୱତ୍ୱ ଆଇନ ଆସିଥିବା ସତ୍ତ୍ବେ ଆଇନରେ କିଛିଟା ଦ୍ବନ୍ଦ୍ବ ଯୋଗୁଁ କମନ୍ ଏରିଆ ରେଜିଷ୍ଟ୍ରେସନ ହୋଇପାରୁନଥିଲା। ଯାହାକି ଆପାର୍ଟମେଣ୍ଟ ପଞ୍ଜିକରଣରେ ବି ବଡ଼ ପ୍ରତିବନ୍ଧକ ସାଜିଥିଲା।
ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତି ପରେ କ୍ରେତା ଏବଂ ବିଲଡର ମଧ୍ୟରେ ଦୀର୍ଘଦିନର ଦ୍ବନ୍ଦ୍ବ ଅବସାନ ଘଟିଲା। ଯାହାକୁ ଉଭୟେ କ୍ରେଡାଇ ଏବଂ କ୍ରେତାଙ୍କ ପାଇଁ ଲଢ଼େଇ ଜାରି ରଖିଥିବା ରିଅଲ ଇଷ୍ଟେଟ କର୍ମୀ ସ୍ୱାଗତ କରିଛନ୍ତି।...
ବିକ୍ରିସରିଥିବା ପୁରୁଣା ଅପାର୍ଟମେଣ୍ଟ ପାଇଁ ଏହି ନିୟମ ଲାଗୁ ହେବନି। କେବଳ ଆଂଶିକ ଭାବେ ଅଟକି ରହିଥିବା କିମ୍ବା ଆଗକୁ ବିକ୍ରି ହେବାକୁ ଥିବା ଅପାର୍ଟମେଣ୍ଟ କିଣା ବିକା କ୍ଷେତ୍ରରେ ଏହି ନିୟମ ଲାଗୁ ହେବ। ଫଳରେ ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ ମାଲିକାନା ସେଠାକାର ବାସଗୃହ କ୍ରେତା ସଂଘଙ୍କ ହାତକୁ ଯିବ।....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/10/apartment-2026-01-10-20-21-58.jpg)