ବେପରୱା ଡ୍ରାଇଭିଂ...ବାରମ୍ବାର ଦୁର୍ଘଟଣା Photograph: (OTV)
ଲାଇଫଲାଇନ୍ ପାଲଟି ଯାଇଥିବା ଆମ ବସ୍, ରାସ୍ତାରେ ଗଡ଼ିବା ବେଳେ ଯମର ଦୁର୍ନାମ ମୁଣ୍ଡାଇବା ଏବଂ ରାଜଧାନୀ ରାଜରାସ୍ତାରେ ଶନିବାରର ହରର୍ ପରେ ସବୁଠି ଉଦବେଗ, ଆକ୍ରୋଶ। ଆଉ ତା’ରି ଭିତରେ ଆକ୍ସନ ବି। କେଉଁଠି ଗାଡ଼ି ଚଳାଇଲା ବେଳେ ଡ୍ରାଇଭର ନିଶାସକ୍ତ ରହୁଛନ୍ତି କି ନାହିଁ ଜାଣିବାକୁ ଠାଆକୁ ଠାଆ କମିଶନରେଟ୍ ପୋଲିସ୍ ବ୍ରେଥ୍ ଆନାଲାଇଜର ଟେଷ୍ଟ, ତ ପୁଣି କେଉଁଠି ପରିବହନ ବିଭାଗ ଏନଫୋର୍ସମେଣ୍ଟ ଟିମର ତନ୍ନ ତନ୍ନ ଯାଞ୍ଚ।
ତେବେ ଅସଲରେ ଟ୍ରାଫିକ୍ ପୋଷ୍ଟରେ ରେଡ୍ ସିଗ୍ନାଲ ନ ମାନି ଯେଉଁଭଳି ଢଙ୍ଗରେ ଆମ ବସଟି ଅରଣା ମଇଁଷି ଭଳି ଅଟୋକୁ ଚାପି ଦେଇ ଚାଳକଙ୍କ ଜୀବନ ନେଲା ତାକୁ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ଓ ନିର୍ଦ୍ଦେଶ ପରେ ଚେତା ପଶିଲା। ଆଉ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡରେ କମିଶନରେଟ୍ ପୋଲିସ୍ ଓ ପରିବହନ ବିଭାଗ।
ମାଷ୍ଟର କ୍ୟାଣ୍ଟିନସ୍ଥିତ ଆମ ବସ୍ ଷ୍ଟାଣ୍ଡରେ ପରିବହନ କମିଶନରଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମର ବସ୍ ଫିଟନେସ୍, ସଡ଼କ ସୁରକ୍ଷା ନିୟମର କଡ଼ା ଯାଞ୍ଚ ତ ଏପଟେ ଖୋଦ୍ ପୋଲିସ କମିଶନରଙ୍କ ନେତୃତ୍ୱରେ ପୋଲିସର ଧରପଗଡ଼। ପାହାଳରୁ ନେଇ ଖଣ୍ଡଗିରି, ନନ୍ଦନକାନନରୁ ନେଇ ଧଉଳି ସବୁଠି ଯାଞ୍ଚର ଫୋକସରେ ବ୍ରେଥ୍ ଆନାଲାଇଜର ଟେଷ୍ଟ୍।
ଏସବୁ ଭିତରେ ଆମ ବସ ପରିଚାଳନା ଦାୟିତ୍ୱରେ ଥିବା କ୍ରୁଟ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ।
ରୁପାଲି ଛକ ଦୁର୍ଘଟଣାରେ ମୃତ ଅଟୋ ଚାଳକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା ସହ ବାରମ୍ବାର ଆମ ବସ୍ ଦୁର୍ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ସହ ନିୟମିତ ଟ୍ରେନିଂ, ସେମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି, ବସ୍ର ନିୟମିତ ଫିଟନେସ୍ ଯାଞ୍ଚକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ବିଶେଷ କରି ବାଣିଜ୍ୟ ଓ ପରିବହନ ବିଭାଗକୁ ଏଥିପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଆମ ବସ ପରିଚାଳନା ସଂସ୍ଥା CRUT ସହିତ ସମନ୍ୱୟ ରକ୍ଷା କରି ପଦକ୍ଷେପ ନେବା ସହ ଏହିପରି ଦୁର୍ଭାଗ୍ୟଜନକ ଘଟଣା ଯେପରି ବାରମ୍ବାର ନ ଘଟେ ସେଥିପାଇଁ ନିୟମିତ ସମୀକ୍ଷା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏପଟେ ଆମବସ୍ ଦୁର୍ଘଟଣାରେ ଅଟୋ ଚାଳକଙ୍କ ଜୀବନ ଯିବା ପରେ ରାଜଧାନୀର ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଥିଲା ଅନଲାଇନ୍ ଅଟୋ ଚାଳକ ସଂଘ। ମୃତ ଅଟୋ ଚାଳକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ଡ୍ରାଇଭରଙ୍କ ସୁରକ୍ଷା ଭଳି ଦାବି ସହ କେଉଁଠି ଆମ ବସକୁ ଯମ ଆଖ୍ୟା ଦେଇ ଶାନ୍ତି ପାଇଁ ପୂଜାର୍ଚ୍ଚନା କରାଯାଇଛି ତ କେଉଁଠି କାନିପାତି ଅଟୋ ଚାଳକଙ୍କ ଜୀବନ ଭିକ୍ଷା କରାଯାଇଛି। ଏଥିସହ ଓମଫେଡ ଛକରେ ଆମବସକୁ ଅଟକାଇ ବିକ୍ଷୋଭ କରିବାରୁ ଘଣ୍ଟାଏ କାଳ ଠପ୍ ହୋଇଯାଇଥିଲା ଆମ ବସ୍ ଚଳାଚଳ। ଯାହାକୁ ନେଇ ଯାତ୍ରୀଙ୍କ ଭିତରେ ତୀବ୍ର ଅସନ୍ତୋଷ ବି ଦେଖିବାକୁ ମିଳିଥିଲା।
ତେବେ କେବଳ ଭୁବନେଶ୍ୱର ନୁହେଁ, କଟକ ଓ ରାଉରକେଲାରେ ବି ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଆମ ବସର କଡ଼ାକଡ଼ି ଯାଞ୍ଚ କରାଯାଇଛି। ଅପରପକ୍ଷେ କେଉଁ ପରିସ୍ଥିତିରେ ରୁପାଲି ଛକରେ ଆମ ବସ ଦୁର୍ଘଟଣା ଘଟାଇଲା, ତଦନ୍ତ ପରେ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ରିପୋର୍ଟ ଦିଆଯିବ, ଏହାପରେ ଡ୍ରାଇଭରଙ୍କ ପାଇଁ ଏସଓପି ଆସିବ ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/04/ama-bus-horror-triggers-crackdown-2026-01-04-20-27-30.jpg)