Advertisment

Elderly Woman Declared Dead, Pension Stopped: ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତା ପାଇଁ ସରୁନି ଯନ୍ତ୍ରଣା; ଜୀଇଁ ଥାଉ ଥାଉ ମାରିଦେଲେ!

ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତା ପାଇଁ ସରୁନି ଯନ୍ତ୍ରଣା। ଜୀଇଁ ଥାଉ ଥାଉ ମୃତ ଘୋଷଣା କାରଣରୁ ଭତ୍ତା ବନ୍ଦ। ୯୫ ବର୍ଷ ବୟସ ପରେ ବି ଶେଷ ହେଉନି ପେନସନ୍ ଅପେକ୍ଷା। ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନାକୁ ନେଇ ନାନା ପ୍ରଶ୍ନ। ଦୁର୍ବିସହ ସ୍ଥିତିରେ ଶେଷ ଜୀବନ କାଟିବାକୁ ଗରିବ ମଣିଷ ବାଧ୍ୟ।

Elderly Woman Declared Dead, Pension Stopped

ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତା ପାଇଁ ସରୁନି ଯନ୍ତ୍ରଣା; ଜୀଇଁ ଥାଉ ଥାଉ ମାରିଦେଲେ! Photograph: (OTV)

Advertisment

କେଉଁଠି ମୃତ ଘୋଷଣା କାରଣରୁ ଜୀବନ୍ତ ଲୋକ ଭତ୍ତାରୁ ବଞ୍ଚିତ। ପୁଣି କେଉଁଠି ୯୫ ବର୍ଷ ଅତିକ୍ରାନ୍ତ ପରେ ବି ସବୁ ଯୋଗ୍ୟତା ଥାଇ ମିଳୁନି ବାର୍ଦ୍ଧକ୍ୟ ଭତ୍ତା। ଏଣିକି ବାର୍ଦ୍ଧକ୍ୟ କି ବିଧବା ଭତ୍ତା ପାଇଁ କାହାକୁ ଅପେକ୍ଷା କରିବାକୁ ପଡ଼ିବନି ବୋଲି ଗଲା ବଜେଟରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସାମ୍ନାକୁ ଆସିଛି ଏମିତି ଚିତ୍ର। ଏପରିକି ୨୦ ବର୍ଷ କାଳ ଧାଇଁ ଧାଇଁ ବି ଭତ୍ତା ନପାଇ ଦୁର୍ବିସହ ସ୍ଥିତିରେ ଶେଷ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ଗରିବ ମଣିଷ। 

Advertisment

ଜିଇଁ ଥାଉ ଥାଉ ମାରିଦେଲେ। କାଟି ଦେଲେ ୨୦ ବର୍ଷ ଧରି ପାଇ ଆସୁଥିବା ଭତ୍ତା। ରୋଗ ଦୁଃଖରେ ଜୀବନ ଏବେ ଦୁର୍ବିସହ। ଚନ୍ଦ୍ରା ପଟେଲ୍, ଭତ୍ତାରୁ ବଞ୍ଚିତ ବୃଦ୍ଧା। ନୂଆପଡ଼ା ବାଦି ପଞ୍ଚାୟତ ବାସିନ୍ଦା ୮୧ ବର୍ଷିୟା ଚନ୍ଦ୍ରା ପଟେଲଙ୍କ ଏ କାହାଣୀ ବ୍ୟବସ୍ଥା ଗାଲରେ ଶକ୍ତ ଚାପୁଡ଼ା ଯେମିତି। ଚନ୍ଦ୍ରାଙ୍କ ଅଭିଯୋଗ ସ୍ବାମୀଙ୍କ ମୃତ୍ୟୁ ପରେ 20 ବର୍ଷ ଧରି ସେ ଭତ୍ତା ପାଇ ଆସୁଥିଲେ। କିନ୍ତୁ ଗଲା ମେ ମାସରୁ ହଠାତ୍ ଆକାଉଣ୍ଟକୁ ଭତ୍ତା ଟଙ୍କା ଆସିବା ବନ୍ଦ ହୋଇଗଲା। 

ବୁଝୁ ବୁଝୁ ଗୋଟାପଣେ ଜିଇ ଥାଉ ଥାଉ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ରିପୋର୍ଟରେ କୁଆଡ଼େ ତାଙ୍କୁ ମୃତ ଦର୍ଶାଯିବାରୁ ତାଙ୍କର ଏ ଦଶା। ଏହାପରେ ଖଡ଼ିଆଳ ବିଡିଓ, ନୂଆପଡ଼ା ଜିଲ୍ଲାପାଳଙ୍କୁ ବି ଭେଟି ସେ ବଞ୍ଚିଛନ୍ତି ବୋଲି ସ୍ବଦେହରେ ପ୍ରମାଣ ଦେଲେ। ତଥାପି ଗଲା ମେ ମାସରୁ ଏଯାଏଁ ଭତ୍ତା ଟଙ୍କାର ଦେଖା ନଥିବାରୁ ଔଷଧ ଟିକେ କିଣି ପାରୁନଥିବା କହିଛନ୍ତି ଚନ୍ଦ୍ରା। ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀଙ୍କ କହିବା କଥା ମାସକ ଭିତରେ ପୁଣି ମହିଳାଙ୍କ ଭତ୍ତାକୁ ନିୟମିତ କରାଯିବ। ଏଠି ପ୍ରଶ୍ନ, ଏମିତି ହେଲା କେମିତି? ଜିଇଁ ଥିବା ମହିଳାଙ୍କୁ ମୃତ ଘୋଷଣା କରାଗଲା କେମିତି ?

Advertisment

ୟେ ତ ଗଲା ଚନ୍ଦ୍ରାଙ୍କ କଥା, ହାତରେ ଆଧାର କାର୍ଡ ସହ ଭାରି ମନରେ ବସିଥିବା ଇଏ ହେଲେ ଗଞ୍ଜାମ ବଂହାରପୁର ପଞ୍ଚାୟତ ସୁନ୍ଦରଗଡ଼ ଗାଁର ଶୁକ୍ର ଗମାଙ୍ଗ। ଆଧାର କାର୍ଡ କହୁଛି ଶୁକ୍ରଙ୍କ ବୟସ ୯୫ ଡେଇଁଲାଣି। ପୋଡୁ ଚାଷ ସହ ଜଙ୍ଗଲ ଜମିରୁ ମିଳୁଥିବା ଆୟ ଏ ଆଦିବାସୀ ପରିବାରର ଏକମାତ୍ର ସମ୍ବଳ। ତା ସତ୍ତ୍ବେ ସବୁ ଯୋଗ୍ୟତା ଥାଇ ବି ଶୁକ୍ରଙ୍କ ଭାଗ୍ୟରେ ନା ଅଛି ଭତ୍ତା ନା ରାସନ୍ କାର୍ଡ। ଶୁକ୍ରଙ୍କ ପୁଅ ଧନ୍ୟ ମଣ୍ଡଳଙ୍କ କହିବା କଥା, ବାପାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଲାଗି ୨୦୦୬ ଠାରୁ ବାରମ୍ବାର ଆବେଦନ ହୋଇ ଆସିଛି, ହେଲେ ଫଳ ଶୂନ। 

ଏମିତିକି ଧନ୍ୟଙ୍କ ବୟସ ୬୦ ଡେଇଁବା ପରେ ସେ ବି ଭତ୍ତା ପାଇଁ ଆବେଦନ କରିଛନ୍ତି। ହେଲେ ଯେଉଁଠି 20 ବର୍ଷ ଧରି ଧାଇଁ ଧାଇଁ ବାପାଙ୍କୁ ମିଳୁନି ସେଠି ମୋ କଥା କଣ ବୋଲି କ୍ଷୋଭ ବାଢ଼ିଛନ୍ତି ପୁଅ ଧନ୍ୟ ? ତେବେ ସ୍ଥାନୀୟ ବିଡିଓ କିନ୍ତୁ ଏଥିପାଇଁ ଡେଥ୍ ଭ୍ୟାକେନ୍ସିକୁ ଆଳ କରି ଖୁବ୍ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି।

Advertisment

କେଉଁଠି ମୃତ ଘୋଷଣା କାରଣରୁ ଜୀବନ୍ତ ଲୋକ ଭତ୍ତାରୁ ବଞ୍ଚିତ, ତ କେଉଁଠି ଶହେ ଛୁଇଁବାକୁ ଯାଉଥିବା ଯୋଗ୍ୟ ହିତାଧିକାରୀ ଭତ୍ତା ପାଇଁ ଜୀବନ୍ତ ହିତାଧିକାରୀଙ୍କ ମୃତ୍ୟୁ ଅପେକ୍ଷାରେ। ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ସାମାଜିକ ସୁରକ୍ଷା ଯୋଜନାରେ ଇଏ ବାସ୍ତବ ସ୍ଥିତି। ହେଲେ ଏସବୁ ଭିତରେ ଗଲା ବଜେଟରେ ଯୋଗ୍ୟତା ପୂରଣ କରୁଥିବା ହିତାଧିକାରୀଙ୍କୁ ଭତ୍ତା ପାଇଁ ଆଉ କାହା ମରିବାକୁ ଅପେକ୍ଷା କରିବାକୁ ପଡ଼ିବନି ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଶୁକ୍ର, ଧନ୍ୟ ଭଳି ମଣିଷଙ୍କୁ କେବେ ଏହାର ସୁଫଳ ମିଳୁଛି ତାକୁ ଅପେକ୍ଷା।

Social Security Scheme Old Age Pension Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ