RERA Photograph: (OTV)
କାହା ସ୍ବାର୍ଥରେ ରିଏଲ୍ ଇଷ୍ଟେଟ୍ ରେଗୁଲେଟରୀ ଅଥରିଟି- ରେରା ? କ୍ରେତା ନାଁ ବିଲଡର ? ଯେଉଁ ଉଦ୍ଦେଶ୍ୟ ନେଇ ରେରା ଗଠନ ହୋଇଥିଲା ସେଥିପାଇଁ କାମ କରୁଛି ତ ? କ୍ରେତାଙ୍କ ସ୍ବାର୍ଥ ଅପେକ୍ଷା ବିଲଡରଙ୍କୁ ଲାଭ ପ୍ରଦାନ କରୁନି ତ ? ରେରାକୁ ନେଇ ସୁପ୍ରିମକୋର୍ଟଙ୍କ କଡା ମନ୍ତବ୍ୟ ଉପରେ ଏହି ସଂଗଠନକୁ ନେଇ ଏବେ ଅନେକ ପ୍ରଶ୍ନ । ଗତ ୧୨ ତାରିଖରେ ହିମାଚଳ ପ୍ରଦେଶର ରେରା ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଧାନ ବିଚାରପତି ଏହି ପ୍ରତିଷ୍ଠାନର କାର୍ଯ୍ୟକାରିତାକୁ ନେଇ ଭର୍ସନା କରିଥିଲେ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟ କହିଥିଲେ, ରେରା କ୍ରେତାଙ୍କ ଅପେକ୍ଷା ବିଲଡରଙ୍କ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଛି । ଆଉ ଏହା ଅବସରପ୍ରାପ୍ତ ବ୍ୟୁରୋକ୍ରାଟଙ୍କ ଥଇଥାନ କେନ୍ଦ୍ର ପାଲଟିଛି। ଏହା ଠିକ୍ ଭାବେ କାର୍ଯ୍ୟ କରୁନି । ସୁପ୍ରିମକୋର୍ଟଙ୍କ ମତକୁ ନିରୀକ୍ଷଣ କଲେ ଓଡିଶାରେ ଥିବା ଓରେରାର ନିର୍ଦ୍ଦେଶ ମଧ୍ୟ ଠିକ୍ ଭାବେ ପାଳନ ହେଉ ନ ଥିବା କହିଛନ୍ତି ରିୟଲ୍ ଇଷ୍ଟେଟ୍ କର୍ମୀ ।
ତାଙ୍କ ମତ ଅନୁସାରେ, ଓରେରା ଆଇନ ଅନୁଯାୟୀ ୫ଶହ ବର୍ଗ ମିଟରରୁ ଅଧିକ କ୍ଷେତ୍ରଫଳ କିମ୍ବା ୮ଟିରୁ ଅଧିକ ଫ୍ଲାଟ୍ ଥିବା ପ୍ରକଳ୍ପ ପାଇଁ ରେରା ସହିତ ପ୍ରାକ୍ ଲଞ୍ଚ ପଞ୍ଜୀକରଣ ବାଧ୍ୟତାମୂଳକ ରହିଛି । ହେଲେ ଆମ ରାଜ୍ୟରେ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନାହିଁ । ଫଳରେ ଭବିଷ୍ୟତରେ କ୍ରେତାମାନଙ୍କ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଲଡର୍ସ ଆସୋସିଏସନର କହିବା କଥା କ୍ରେତା ଅପେକ୍ଷା ରେରା ସମସ୍ୟାରେ ଅଧିକ ଛନ୍ଦି ହେଉଛନ୍ତି ବିକ୍ରେତା ସଂଘ ବା ବିଲଡର । ...
କେବଳ ସେତିକି ନୁହଁ ORERA ନିୟମ ଅନୁଯାୟୀ ଯେ କୌଣସି କ୍ରେତାଙ୍କ ଅଭିଯୋଗର ଫଇସଲା ପାଇଁ ଆଇନଗତ ସମୟ ସୀମା ୬୦ ଦିନ ଥିବା ବେଳେ ସେଥିରେ ଦୀର୍ଘଦିନ ଧରି ବିଳମ୍ବ ହେଉଛି। କୌଣସି କେସର ଫଇସଲା ପାଇଁ ବର୍ଷ ବର୍ଷ ଧରି ସମୟ ବିତୁଥିଲେ ବି ତାର ସମାଧାନ ହୋଇପାରୁନି । ଏପରିକି ଓରେରା ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଆଦେଶର ଠିକ୍ ଭାବେ ପାଳନ ହେଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ଲକ୍ଷ ଲକ୍ଷ ଟଙ୍କାରେ ଫ୍ଲାଟ୍ କିଣି ଘାଣ୍ଟି ହେଉଛନ୍ତି ଅନେକ କ୍ରେତା । ସେଥିପାଇଁ ସିଙ୍ଗିଲ ଉଇଣ୍ଡୋ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
ଅନ୍ୟ ପକ୍ଷରେ ଓରେରାରେ ଏଯାଏ ମୋଟ ୫ ହଜାର ୨୧୫ଟି କେସ୍ ଦାୟର ହୋଇଥିବା ବେଳେ ୭୯୨ଟି କେସର ଶୁଣାଣି ଚାଲିଛି। ୨୦୧ଟି ମାମଲା ପେଣ୍ଡିଂ ରହିଛି। ବାକି ୩ ହଜାର ୫ଶହ କେସର ଫଇସଲା ହୋଇଛି ସତ, ହେଲେ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନି । ତେବେ କ୍ରେତାଙ୍କ ଅଭିଯୋଗକୁ ନେଇ ଓରେରା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/15/rera-2026-02-15-20-46-06.jpg)