MAO Photograph: (OTV)
ଇତିହାସ ପାଲଟିଯିବ ଲାଲବାହିନୀ...ଆଉ ଶୁଭିବନି ଲାଲ୍ ସଲାମ...ଉପାନ୍ତରେ ଗର୍ଜିବନି ବନ୍ଧୁକ...ବଣ ପାହାଡ଼ ଭିତରେ ଆଉ ଗଡ଼ିବନି ନିରୀହଙ୍କ ମୁଣ୍ଡ...କାରଣ ମାଓବାଦୀଙ୍କ ଏବେ ଖେଳ ଖତମ୍...ମୂରବୀଶୂନ୍ୟ ହୋଇଗଲାଣି ଲାଲ୍ ସଂଗଠନ...ଓଡ଼ିଶା ମାଟିରେ ବଳଶୂନ୍ୟ ହୋଇଗଲେଣି ହାତ ଗଣତି ବଳକା କ୍ୟାଡର୍। ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି। ବିସ୍ତୀର୍ଣ୍ଣ ଜଙ୍ଗଲ ଭିତରେ ଆତ୍ମଗୋପନ କରି ଘୁରୁବୁଲୁଥିବା ମାଓବାଦୀଙ୍କ ସହ ଜାରି ରହିଛି ନିର୍ଣ୍ଣାୟକ ଲଢ଼େଇ। CPI ମାଓବାଦୀ ସେଣ୍ଟ୍ରାଲ୍ କମିଟି ମେମ୍ବର ତଥା ଓଡ଼ିଶାରେ ନକ୍ସଲଙ୍କ ସର୍ଦ୍ଦାର ଗଣେଶ ସଫା ହେବା ପରେ ଶେଷ ପ୍ରହାରର ବ୍ଲୁ ପ୍ରିଣ୍ଟ ଧରି ଜଙ୍ଗଲ ଭିତରେ ଖେଦି ବୁଲୁଛନ୍ତି ଓଡ଼ିଶା ପୋଲିସ ସମେତ SOG ଫୋର୍ସ। ସ୍ବତନ୍ତ୍ର ଗୁଇନ୍ଦା ଶାଖାରୁ ଗୁପ୍ତ ସୂଚନା ଆଧାରରେ କନ୍ଧମାଳ-ଗଞ୍ଜାମ ସୀମାନ୍ତ ରମ୍ଭା ବନାଞ୍ଚଳର ନୋରାଂଝୋଲା ଜଙ୍ଗଲରେ ଚାଲିଛି ବଡ଼ ଅପରେସନ୍। ସାମିଲ ହୋଇଛନ୍ତି ୧୨ଟି SOG ଟିମ୍।
ଗଣେଶ ନିପାତ ହେବା ପରେ ଓଡ଼ିଶା ଜଙ୍ଗଲରେ ବଳଶୂନ୍ୟ ହୋଇ ବୁଲୁଛନ୍ତି ୭୫ ମାଓବାଦୀ। ତା’ମଧ୍ୟରେ ଜଗତସିଂହପୁର ଜିଲ୍ଲାର ନିରଞ୍ଜନ ରାଉତ ଓରଫ୍ ନିଖିଲ୍ ଏବଂ ତା’ପତ୍ନୀ ଅଙ୍କିତା ଓରଫ୍ ଇନ୍ଦୁ ଓରଫ୍ ରଶ୍ମିତା ଲେଙ୍କା ଭଳି ୪/୫ ଜଣ ଓଡ଼ିଆ ରହିଛନ୍ତି।ବଳକା ୭୦ ହେଉଛନ୍ତି ଅଣଓଡ଼ିଆ ତଥା ଛତିଶଗଡ଼ି ମାଓବାଦୀ। ଏମାନଙ୍କ ଭିତରେ ରହିଛି ଶୁକ୍ରୁ ଓରଫ କ୍ରିଷ୍ଣା। ସିଏ ବି ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟ। ତେଣୁ ଯେଉଁମାନେ ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟ ଅଛନ୍ତି, ସେମାନଙ୍କ ମୁଣ୍ଡ ପିଛା ସର୍ବାଧିକ ୬୫ ଲକ୍ଷ ଟଙ୍କାର ଇନାମ୍ ରାଶି ଘୋଷଣା କରିଛି ଓଡ଼ିଶା ପୋଲିସ। ଡିଭିଜନାଲ୍ କମିଟି, ଏରିଆ କମିଟି ମେମ୍ବରଙ୍କ ମୁଣ୍ଡ ପାଇଁ ବି ରହିଛି ଭିନ୍ନ ଭିନ୍ନ ଇନାମ ରାଶି। ଓଡ଼ିଶା ସୀମାନ୍ତରୁ ଝାଡ଼ଖଣ୍ଡ ଓ ଛତିଶଗଡ଼ ଯାଏଁ ୧୦ ହଜାର ପୋଷ୍ଟର ମାରିଛି ପୋଲିସ। ଯିଏ ଏମାନଙ୍କୁ ଧରାଇ ଦେବ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଲିସର ଘୋଷଣା ସହ ସଂପୃକ୍ତ ମାଓବାଦୀଙ୍କୁ ଆତ୍ମସମର୍ପଣ ନଚେତ୍ ଏନକାଉଣ୍ଟରକୁ ସାମ୍ନା ପାଇଁ ଆହ୍ବାନ ଦିଆଯାଇଛି। ଏଭଳି ସ୍ଥିତିରେ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଆସିବା ପାଇଁ ନିବେଦନ କରିଛନ୍ତି ଲାଲ ସଂଗଠନ ଛାଡ଼ି ଘରକୁ ଫେରିଆସିଥିବା ମାଲକାନଗିରି ଜିଲ୍ଲାର ରୁଷି କବାସୀ। ତା’ସହ ବଖାଣିଛନ୍ତି ନିଜ ଅନୁଭୁତି।
ଗତ କିଛିଦିନ ମଧ୍ୟରେ ଛତିଶଗଡ଼, ଆନ୍ଧ୍ର, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ କ୍ରମାଗତ ମାଓଦମନ ଅଭିଯାନ ଭିତରେ ଟଳି ପଡ଼ିଛନ୍ତି ବହୁ ଟପ୍ ନେତା। ସେଣ୍ଟ୍ରାଲ କମିଟି ମେମ୍ବର ବାସବ ରାଜୁ, କାଦରୀ ସତ୍ୟନାରାୟଣ ରେଡ୍ଡୀ, ମୋଡେମ୍ ବାଲକ୍ରିଷ୍ଣା, ଚଲପତି, ରାଜୁ ଓରଫ୍ କଟ୍ଟା ରାମଚନ୍ଦ୍ର ରେଡ୍ଡୀ, ହିଡ଼ମା ମାଡ଼ଭୀ ଓରଫ୍ ଦେବା ଭଳି ଦୁର୍ଦ୍ଦାନ୍ତ ନକ୍ସଲ ସଫା ହେବା ପରେ ଏବେ ଭାଙ୍ଗିଛି ମାଓ ସଂଗଠନର ମେରୁଦଣ୍ଡ। ଏସବୁ ଭିତରେ ଗତ ୨୫ ତାରିଖରେ ଓଡ଼ିଶାରେ ରହି ସଂଗଠନର କାୟା ମେଲାଇବା ପାଇଁ ଉଦ୍ୟମ ଜାରି ରଖିଥିବା ଗଣେଶ ନିହତ ହୋଇଛି ସୁରକ୍ଷାକର୍ମୀଙ୍କ ଗୁଳିରେ। ଏବେ ନିଖିଲ, ଇନ୍ଦୁ, ନିତୁ, ଶୁକ୍ରୁ ଭଳି ବହୁ କ୍ୟାଡର୍ ମାଓବାଦୀ ପୋଲିସ ନିଶାନାରେ।
ମାଓ ଦମନର ଡେଡଲାଇନ୍ ୨୦୨୬, ମାର୍ଚ୍ଚ ୩୧। ତେଣୁ ଶେଷ ନିଶ୍ବାସ ନେଉଥିବା ଲାଲବାହିନୀର ଆୟୁଷ ଆଉ ମାତ୍ର ଶହେ ଦିନରୁ କମ୍। ତେଣୁ ଅପେକ୍ଷା, ଦିନ ଗଣୁଥିବା ନକ୍ସଲଙ୍କ ଆଭିମୁଖ୍ୟକୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/28/mao-2025-12-28-20-52-18.jpg)