SWARGADWARA Photograph: (OTV)
ସ୍ବର୍ଗଦ୍ବାର। କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ବାସ- ଇଏ କୁଆଡ଼େ ସ୍ବର୍ଗଲୋକକୁ ଯିବାର ମାର୍ଗ। ମୃତ୍ୟୁ ପରେ ଏଇଠି ଅନ୍ତିମ ସଂସ୍କାର ହେଲେ ପୁନର୍ଜନ୍ମରୁ ମୁକ୍ତି ପାଇ ମୃତକଙ୍କ ସ୍ବର୍ଗପ୍ରାପ୍ତି ହୁଏ। ସେଇ ବିଶ୍ବାସରେ ପ୍ରିୟଜନର ମୃତ୍ୟୁ ପରେ ସ୍ବର୍ଗଦ୍ବାରକୁ ମୃତଦେହ ଧରି କାହିଁ କେଉଁ ଆଡୁ ଧାଇଁ ଆସନ୍ତି ପରିବାର ପରିଜନ। ଯେଉଁଥିପାଇଁ ଦିନକୁ ଦିନ ସ୍ବର୍ଗଦ୍ବାରରେ ମୃତଦେହ ସଂଖ୍ୟା ବଢିଚାଲିଥିବା ବେଳେ ସେଇ ଅନୁଯାୟୀ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ କାଠର ଅଭାବ ଦେଖା ଦେଲାଣି। କାରଣ ଏବେ ଦୈନିକ ହାରାହାରି ଶହେରୁ 110 ଉପରେ ଶବ ସତ୍କାର ପାଇଁ ଆସୁଥିଲା ବେଳେ ସେଇ ତୁଳନାରେ ଯୋଗାଣ ହେଉଥିବା କାଠ ପର୍ଯ୍ୟାପ୍ତ ହେଉନାହିଁ। ଏପରିକି ଗଲା 15 ତାରିଖରେ ଦିନକରେ ରେକର୍ଡ ସଂଖ୍ୟକ 136ଟି ଶବ ସତ୍କାର ପାଇଁ ଆସିଯିବାରୁ ଶବଦାହ ପାଇଁ ନାକେଦମ୍ ହୋଇଥିଲେ ସଂପର୍କୀୟ ଓ ସ୍ବର୍ଗଦ୍ବାର ସେବା ସମତି ସଦସ୍ୟ।...
ତଥ୍ୟ କହୁଛି ହରିଶ୍ଚନ୍ଦ୍ର ଯୋଜନାରେ ଓଏଫଡିସି ପକ୍ଷରୁ ଶବ ପିଛା ୧.୮୦ କ୍ବିଣ୍ଟାଲ କାଠ ଯୋଗାଇ ଦିଆଯାଉଛି। ଏବେ ଦିନେ ଦିନେ ଶବ ସଂଖ୍ୟା 130 ଅତିକ୍ରମ କରୁଥିବାରୁ ଦୈନିକ ପ୍ରାୟ ୨୦୦ କ୍ବିଣ୍ଟାଲରୁ ଅଧିକ କାଠର ଆବଶ୍ୟକତା ପଡ଼ୁଛି। ଏହାବାଦ କିଛି ଲୋକ ନିଜସ୍ବ ଖର୍ଚ୍ଚରେ ଶବଦାହ ପାଇଁ ବ୍ୟବହାର କରୁଥିବା କାଠକୁ ହିସାବ କଲେ ପରିମାଣ ଆହୁରି ବଢ଼ିଯିବ। ତେଣୁ ଏତେ ପରିମାଣ କାଠ ଯୋଗାଣ ଓଏଫଡିସି ପକ୍ଷ ସମ୍ଭବ ହେଉ ନଥିବା କହିଛନ୍ତି ସ୍ଥାନୀୟ ଓଏଫଡିସି ଅଧିକାରୀ।
ଏଭଳି ସ୍ଥିତିରେ ସ୍ବର୍ଗଦ୍ବାରରେ ଶବଦାହ ପାଇଁ କାଠର ବିକଳ୍ପ ଉପରେ ଗୁରୁତ୍ବ ଦିଆ ନଗଲେ ଆଗକୁ ସ୍ଥିତି ଜଟିଳ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ କଣ ହୋଇପାରେ ଏହି ବିକଳ୍ପ ? ପୂର୍ବରୁ ସ୍ବର୍ଗଦ୍ବାରରେ ବିଦ୍ୟୁତ୍ ଚୁଲାର ବ୍ୟବହାର ଏବଂ କାଠ ବଦଳରେ ଗୋବର ଘସିରେ ଶବଦାହ ବ୍ୟବସ୍ଥା କଥା ଉଠିଥିଲା। ଖୋଦ୍ ପ୍ରାଣୀ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଗୋବର ଘସିରେ ଶବଦାହ ଯୋଜନା ହେଉଥିବା ନେଇ ସୂଚନା ଦେଇଥିଲେ। ହେଲେ ସ୍ବର୍ଗଦ୍ବାରକୁ ନେଇ ଥିବା ଧାର୍ମିକ ଭାବାବେଗ ଏଦିଗରେ ଅନ୍ତରାୟ ସାଜୁଥିଲା ବେଳେ ଆଗକୁ ବିଦ୍ୟୁତ ଚୁଲାରେ ସଂସ୍କାର ଉପରେ ଗୁରୁତ୍ବ ଦେଇଛନ୍ତି ବୁଦ୍ଧିଜୀବୀ।...
କେବଳ କାଠ ନୁହେଁ ସ୍ବର୍ଗଦ୍ବାରରେ ପିଣ୍ଡିର ଅଭାବ ବି ଆଉ ଏକ ସମସ୍ୟା। ଏବେ ଶବଦାହ ପାଇଁ ମାତ୍ର 28ଟି ପିଣ୍ଡି ଥିବାରୁ ଦାହ ସଂସ୍କାର ପାଇଁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡୁଛି। ଯଦି ଘସିକୁ ବିକଳ୍ପ ଭାବେ ନିଆଯାଏ ତାହେଲେ କାଠ ତୁଳନାରେ ଦାହ ପାଇଁ ଲାଗିବାକୁ ଥିବା ଦ୍ବିଗୁଣା ସମୟ ପର୍ଯ୍ୟାପ୍ତ ପିଣ୍ଡି ସହ ସ୍ବର୍ଗଦ୍ବାର ସଂପ୍ରସାରଣର ବି ଆବଶ୍ୟକତା ରହିଛି। ଏସବୁ ଦିଗକୁ ବିଚାର କରି କାଠର ଅଭାବ ଓ ବିକଳ୍ପ ଦିଗରେ କି ପଦକ୍ଷେପ ନିଆଯାଉଛି ଏବେ ତାକୁ ଅପେକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/18/swargadwara-2025-12-18-20-59-29.jpg)