Advertisment

Failed to Return: ହୁଗୁଳା ଜେଲ, ମୁକୁଳା କଏଦୀ...ଜେଲରୁ ପାରୋଲରେ ଯାଇ ଫେରୁନାହାନ୍ତି

ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ପାରୋଲରେ ଓ  ଜେଲ କର୍ତ୍ତୃପକ୍ଷ ମନୋନୀତ କରି ଫର୍ଲୋରେ ଛାଡିଥାନ୍ତି । ୨୦୦୦ ମସିହାଠାରୁ ଏହିଭଳି ଭାବେ ଘରକୁ ଯାଉଥିବା କଏଦୀଙ୍କ ମଧ୍ୟରୁ ହାରାହାରି ୨ ଜଣ ଲେଖାଏଁ  କଏଦୀ ଆଉ ଜେଲକୁ ଫେରି ନାହାନ୍ତି ।

72 Prisoners Failed to Return

72 Prisoners Failed to Return Photograph: (OTV)

Advertisment

ମର୍ଡର କେସରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିଲେ । ଦୀର୍ଘଦିନ ଧରି ଜେଲରେ ରହିବା ପରେ ମାସକ ପାଇଁ ପାରୋଲରେ ଘରକୁ ଗଲେ । ହେଲେ ୨୦୨୪ରେ ପାରୋଲରେ ଯାଇଥିବା ଫୁଲବାଣୀ ସଦର ଥାନା ଅଞ୍ଚଳର ସୁଶୀଲ ଦିଗାଲ ଆଜି ଯାଏଁ ଫେରାର । ଦୀର୍ଘ ଦେଢ ବର୍ଷ ବିତି ଯାଇଥିଲେ ମଧ୍ୟ ଆଉ ଝାରପଡା ଜେଲକୁ ଫେରିନାହାନ୍ତି ।

Advertisment

ସେହିଭଳି ଦୁଷ୍କର୍ମ ମାମଲାରେ ୨୦ ବର୍ଷ ସଜା କାଟୁଥିବା ଢେଙ୍କାନାଳର ରଞ୍ଜିତ ନାୟକ ଫର୍ଲୋରେ ୧୪ ଦିନ ପାଇଁ ଛୁଟିରେ ଯାଇଥିଲେ । ହେଲେ ଝାରପଡା ଜେଲକୁ ଫେରିବା ବାଟ ଭୁଲିଗଲେ । ଖାଲି ଏହି ଦୁଇଜଣ ନୁହନ୍ତି ୨୦୧୮ ମସିହାରୁ ଚନ୍ଦକା ଜାମୁଝରିରେ ଥିବା ବିଜୁ ପଟ୍ଟନାୟକ ମୁକ୍ତାକାଶ କାରଗାରରୁ ୧୭ ଜଣ କଏଦୀ ଘରକୁ ଯାଇଛନ୍ତି ଯେ ଏ ଯାଏଁ ଆଉ ଫେରି ନାହାନ୍ତି । ଯାହାକୁ ନେଇ ପୋଲିସରେ ମାମଲା ରୁଜୁ ହୋଇଛି । ହେଲେ ଫେରାର କଏଦୀଙ୍କର କୌଣସି ଖୋଜ ଖବର ନାହିଁ ।  ଜେଲ ବିଭାଗର ସୂଚନା ଅନୁସାରେ ପ୍ରତ୍ୟେକ ବର୍ଷ ୩ ହଜାରରରୁ ଉର୍ଦ୍ଧ କଏଦୀ ପାରୋଲ ଓ ଫର୍ଲୋରେ ଯାଇଥାନ୍ତି । ଜେଲ ସଂସ୍କାର ଆଇନ ଅନୁସାରେ ଯେଉଁ କଏଦୀମାନେ ସଜା ସମୟର ଅର୍ଦ୍ଧାଧିକ କଏଦୀ ଜୀବନ କାଟି ସାରିଥିବେ ଆଉ ନିଜ ସ୍ବଭାବରେ ସୁଧାର ଆଣି ସାରିଥିବେ ସେହିମାନଙ୍କୁ ପାରୋଲ ଓ ଫର୍ଲୋରେ ଘରକୁ ଛଡାଯାଇଥାଏ ।  

ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ପାରୋଲରେ ଓ  ଜେଲ କର୍ତ୍ତୃପକ୍ଷ ମନୋନୀତ କରି ଫର୍ଲୋରେ ଛାଡିଥାନ୍ତି । ୨୦୦୦ ମସିହାଠାରୁ ଏହିଭଳି ଭାବେ ଘରକୁ ଯାଉଥିବା କଏଦୀଙ୍କ ମଧ୍ୟରୁ ହାରାହାରି ୨ ଜଣ ଲେଖାଏଁ  କଏଦୀ ଆଉ ଜେଲକୁ ଫେରି ନାହାନ୍ତି । ଏହିଭଳି ବର୍ତ୍ତମାନ ସୁଦ୍ଧା ୭୨ ଜଣ କଏଦୀ ଏବେ ବାହାରେ ବୁଲୁଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସକୁ ଜଣା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯେଉଁଥିପାଇଁ ଏବେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ । ସମସ୍ତ ଫେରାର କଏଦୀଙ୍କୁ ଜେଲକୁ ଫେରାଇ ଆଣିବା ପାଇଁ ଆରମ୍ଭ  ହୋଇଛି ଅଭିଯାନ । ଏ ନେଇ ଏକ ତାଲିକା ପ୍ରସ୍ତୁତ କରିବା ଫେରାର ଅଭିଯୁକ୍ତଙ୍କ ଘର ଅଞ୍ଚଳ ଥାନାରେ ଦିଆଯାଇଛି ଏଫଆଇଆର  ।

ତେବେ ପାରୋଲ ଓ ଫର୍ଲୋରେ ଯାଇଥିବା କଏଦୀମାନଙ୍କ ଉପରେ କାହିଁକି ନଜର ରଖାଯାଉନାହିଁ । ଅବଧି ସରିଯିବା ପରେ ତୁରନ୍ତ ସେମାନଙ୍କୁ ଫେରାଇ ଆଣିବା ଲାଗି କାହିଁକି ବ୍ୟବସ୍ଥା କରୁନି ଜେଲ୍ ବିଭାଗ । କେଉଁ ମାନଦଣ୍ଡ ଆଧାରରେ ପାରୋଲ, ଫର୍ଲୋ ପାଇଁ କଏଦୀଙ୍କୁ ଚୟନ କରାଯାଉଛି । ସେମାନଙ୍କ ଚରିତ୍ର ପଞ୍ଜିକା ଭଲ ଭାବେ ଯାଞ୍ଚ କରାଯାଉଛି ତ  ? ସେପଟେ ଫେରାର କଏଦୀ ଫେରାର ସଂପର୍କରେ ପୂର୍ବତନ ଜେଲ ଅଧୀକ୍ଷକ କହିଛନ୍ତି, ଉଭୟ ଜେଲ ଓ ପୋଲିସ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ ଯାଇ ଏହି କଏଦୀମାନଙ୍କୁ ଧରାଯାଇପାରିବ । ଯଦି ବାରମ୍ବାର ନୋଟିସ ସତ୍ବେ କଏଦୀ ଜେଲକୁ ଫେରୁ ନାହିଁ ତେବେ ସେମାନଙ୍କୁ  ଜିମା ନେଇଥିବା ଲୋକଙ୍କୁ ଗିରଫ କରାଯିବା କଥା । ଏଭଳି କଠୋର ଦଣ୍ଡ ବିଧାନ ହେଲେ ଯାଇଁ ଜେଲ କ୍ଷେତ୍ରରେ ସୁଧାର ଆସିବ ।

ବିଧାନସଭା ତଥ୍ୟ ଅନୁସାରେ, ଏଭଳି କଏଦୀ ଫେରାର ହେବା ବାଦ ବିଚରାଧୀନ ଅବସ୍ଥାରେ ଜୁଲାଇ ୨୦୨୪ରୁ ୨୦୨୫ ନଭେମ୍ବର  ସୁଦ୍ଧା ରାଜ୍ୟର ୯ ଜେଲରୁ ୧୩ କଏଦୀ ଚମ୍ପଟ ମାରିଛନ୍ତି । ସେଥି ମଧ୍ୟରୁ ୬ ଜଣଙ୍କୁ ଧରିବାରେ ସକ୍ଷମ  ହୋଇଛି ପୋଲିସ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ