dinabandhu
ଚାନ୍ଦବାଲି ( ବାସୁଦେବ ଦାସ) : ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟ କଲା ଭଳି ଖବରଟିଏ । ୧୦୩ ବର୍ଷ ବୟସର ଯୁବକଙ୍କୁ କେବେ ଦେଖିଛନ୍ତି ? ଏ ବୟସରେ ତାଙ୍କ କାମ ଆଉ ମନୋବଳକୁ ଦେଖିଲେ, ଆପଣ ବି ଠିକ୍ ଏୟା କହିବେ, ଯାହା ଆମେ କହୁଛୁ । ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭଦ୍ରକ ଚାନ୍ଦବାଲି ଅନ୍ତର୍ଗତ ନରସିଂହପୁର ଗାଁର ଲୁହାର ମଣିଷ ଦିନବନ୍ଧୁ ସୂତାର।
୫ କିଲୋ ଓଜନର ହାତୁଡ଼ିରେ ପିଟି ଲୁହାକୁ ଆକାର ଦେଉଥିବା ଏ ଲୁହାର ମଣିଷକୁ ଦେଖିଲେ ଜାଣିପାରିବେ ତାଙ୍କ ବୟସକୁ, ଶକ୍ତିକୁ ଆଉ ସାମର୍ଥ୍ୟକୁ। ଦିନବନ୍ଧୁ ସୂତାରଙ୍କ ଜନ୍ମ ୧ଅଗଷ୍ଟ୧୯୧୭ରେ । ଅର୍ଥାତ୍ ବୟସ ୧୦୩ । ହେଲେ ଏବେ ବି ଯୁବକ ଭଳି ତର୍ପରତା ତାଙ୍କ ଠାରେ । ଶାଳ କାମ ତାଙ୍କ କୌଳିକ ବୃତ୍ତି। ଆଗରୁ ବାପା କରୁଥିଲେ, ତାଙ୍କୁ ୧୫ ବର୍ଷ ବୟସରୁ ସେ ବି ଏଇ କାମ କରି ଆସୁଛନ୍ତି । ଦାଆ, କଟୁରୀ, ପନିକି, ଯେତେସବୁ ଘର ଓ ଚାଷ ଉପକରଣ ଜିନିଷ । ଏଇଥିପାଇଁ ଏ ଦିନାଶାଳର ଆଖପାଖ ୩ ଖଣ୍ଡ ପଞ୍ଚାୟତରେ ଥିବା ନାଁ ଡାକ ଆଜି ବି ଅତୁଟ।
ଦିନଟିଏ ତାଙ୍କ ହାତ ଥକିନି କି କମିନି ଦିନାଶାଳରୁ ଲୋକଙ୍କ ଭିଡ଼। ତାଙ୍କ ହାତ ତିଆରି ଦାଆ ଆଗରେ କୁଆଡ଼େ ମେସିନ ଦାଆ କିଛି ନୁହଁ । ସମସ୍ତଙ୍କ ମୁହଁରେ ତାଙ୍କ କାରିଗରିର ତାରିଫ୍।
ତିନି ପୁଅ ବୋହୂଙ୍କୁ ନେଇ ଦିନବନ୍ଧୁଙ୍କ ହସ ଖୁସିର ସଂସାର । ସମସ୍ତେ ରୋଜଗାର କଲେଣି। ତାଙ୍କ ଉପରେ ନିର୍ଭର ବି ନାହିଁ । ହେଲେ ସେ କିନ୍ତୁ ବିଶ୍ରାମ ନେବାକୁ ଚାହାନ୍ତିନି। ହାତଗୋଡ଼ ଚାଲୁଛି ତ କାମ ବି ଚାଲୁଛି । ସାମାନ୍ୟ ଥଣ୍ଡା କାଶକୁ ଛାଡ଼ି ଦେଲେ ସେମିତି ଦେହ ଖରାପରେ ପଡ଼ିନାହାନ୍ତି। ଗାଁ ଲୋକଙ୍କ କହିବା କଥା ୧୫ କୋଡିଏ ବର୍ଷ ତଳେ ଦିନବନ୍ଧୁ ଯେମିତି ଥିଲେ, ଯେମିତି କାମ କରୁଥିଲେ, କୁଆଡ଼େ ଆଜି ବି ସେମିତି । ସକାଳ, ସଂଧ୍ୟାରେ ଚଲାବୁଲା, ସାଇକେଲ୍ ଚଲା, ସବୁ ଚାଲିଛି।
ଦିନବନ୍ଧୁଙ୍କ ଲୁହା ଭଳି ଦୃଢ଼ ମନୋବଳ ଓ କର୍ମନିଷ୍ଠା ଆଗରେ ଯେମିତି ହାରିଯାଇଛି ବାର୍ଦ୍ଧକ୍ୟ। ଶରୀରର ଅନ୍ୟ ଅଙ୍ଗ କଥା ଛାଡନ୍ତୁ ତାଙ୍କ ଆଖି ବି ଚଷମା ଲୋଡ଼ିନି ଏଯାଏଁ।
ହେଲେ ବର୍ତ୍ତମାନ ସମୟରେ ଦିନବନ୍ଧୁଙ୍କ ଏ ସୁସ୍ଥ ସ୍ୱାସ୍ଥ୍ୟ, ଓ ଦୀର୍ଘ ଜୀବନର ରହସ୍ୟ କଣ , ପଚାରିଲେ କୁହନ୍ତି 'ସେତେବେଳେ ଆମେ ଫୁଟା ଚାଉଳର ଭାତ ଖାଉଥିଲୁ ଓ ପେଜ ପିଉଥିଲୁ । ଖତ ଦିଆ ବାଡ଼ି ବଗିଚାର ଫଳ ଖାଉଥିଲୁ । ଏବେ ତ ଲୋକେ ଖାଲି ସାର୍ ଦିଆ ବିଷ ଖାଦ୍ୟ ଖାଉଛନ୍ତି । ସ୍ୱାସ୍ଥ୍ୟବାନ ହେବେ କେମିତି ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dinabandhu_1626687501.jpg)