• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pragnya Choudhury

କେବେ ଭାବିଛନ୍ତି ପିଲାଙ୍କୁ କେମିତି ବୁଝେଇବେ ଶରତ କିଏ ? ହୁଏତ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପୂର୍ବରୁ ଶରତର ପତ୍ତା ମିଳୁନି l ପାଠକଗଣ ଏଇଠି ଶରତ କୌଣସି ବ୍ୟକ୍ତି ନୁହେଁ ବରଂ ଋତୁ l ୧୨ ମାସରେ ୬ ଋତୁ ଭିତରେ ଅନ୍ୟତମ ଶରତ ଋତୁ l ସତ କହିଲେ, କେଉଁ ବର୍ଷ ଆପଣ ଶରତର ସତ୍ତା ଅନୁଭବ କରିଥିଲେ ? ଆପଣଙ୍କ ମଧ୍ୟରୁ ଅନେକ ଏ ପ୍ରଶ୍ନର ଉତ୍ତର ମନେପକାଇ ପାରୁନଥିବେ l ଆଜିର ପ୍ରସଙ୍ଗ ଭିତରକୁ ଆପଣଙ୍କୁ ଟାଣିବା ପୂର୍ବରୁ ମୁଁ ଆପଣଙ୍କୁ ଭକ୍ତ କବି ମଧୁସୂଦନ ରାଓଙ୍କ ରଚିତ ଏହି କବିତାଟିକୁ ମନେ ପକାଇଦେବାକୁ ଚାହୁଁଛି- 
‘’ଗ୍ରୀଷ୍ମେ, ବୈଶାଖ, ଜ୍ୟେଷ୍ଠ ମାସ ପ୍ରଚଣ୍ଡ ରୌଦ୍ର ପରକାଶ 
ବର୍ଷାରେ ଆଷାଢ ଶ୍ରାବଣ ମେଘ ବରଷେ ଘନ ଘନ 
ଭାଦ୍ର ଆଶ୍ୱୀନ ଶରତରେ ନିର୍ମଳ ଶୋଭା ଜଗତରେ

ଶୀତରେ ପୌଷ ମାଘ ମାସ ଦେହରେ ରଖ ଶୀତବାସ
ଫାଲଗୁନ ଚୈତ୍ର ବସନ୍ତରେ ମୃଦୁ ମଳୟ ମନହରେ..’’

ଆକାଶ ସ୍ପଷ୍ଟ, ଖଣ୍ଡ ଖଣ୍ଡ ମେଘ ଭାସୁଥାଏ, ନଈର ଜଳ କାଚକେନ୍ଦୁ ଭଳି ଦିଶୁଥାଏ..ଜାଣିବେ ଶରତ ଋତୁ ଚାଲିଛି..ଆପଣ ଭାବୁଥିବେ ମୁଁ କାହିଁକି ଶରତ ଋତୁ ଦୋହାରାଉଛି ! ଯଦି ମୋ ଅନୁମାନ ଠିକ୍ ଆମେ କଂକ୍ରିଟ୍ ଜୀବନରେ ପାଦ ଦେବା ଆରମ୍ଭ ସମୟରେ ୬ ଋତୁ ଭିତରୁ ଏଇ ଶରତ ଋତୁଟି ପ୍ରଥମେ ନିଜର ପରିଚୟ ହଜାଇଥିଲା l ଆଉ ଏହା ପଛରେ ପ୍ରମୁଖ କାରଣ ଥିଲା ପାଣିପାଗ ବା ଜଳବାୟୁ ପରିବର୍ତ୍ତନ l ଛୋଟ ବେଳୁ ସ୍କୁଲରେ ଆମେ ଏ ବିଷୟରେ ପାଠ ପଢିଛେ କିନ୍ତୁ କାହିଁକି କେବେ ଗୁରୁତ୍ୱ ଦେଇନେ ? ଯଦିଓ ଆମେ କଥା କଥାକେ ଅନ୍ୟକୁ ଗାଳି ଦେବା ବେଳେ କହୁଛେ ‘ସେ ଲୋକଟାର ପ୍ରକୃତି ନଷ୍ଟ !’ ତା’ହେଲେ ଯେତେବେଳେ ଏ ପରିବେଶ ଆଉ ପ୍ରକୃତି ନଷ୍ଟ ହେଉଛି ଏତେ ବଡ଼ ଗମ୍ଭୀର ବିଷୟକୁ ଆମେ ଅଣଦେଖା କରିଦେଉଛେ ବା କିପରି !

ଏବେ ଫେବୃଆରୀ ମାସ ଚାଲିଛି, ବସନ୍ତ ଋତୁର ସମୟ l ପିଲାଟି ବେଳୁ ଆମେ ଜାଣିଛେ ଋତୁଙ୍କ ରାଜା ବସନ୍ତ l ମଳୟର ଛୁଆଁରେ ଦେହ ଶିହରୀ ଯିବା କଥା l ମଲ୍ଲି ଫୁଲର ବାସ୍ନାରେ ପରିବେଶ ମହକିଯିବା କଥା l ସମସ୍ତଙ୍କ ପାଇଁ ଉଲ୍ଲାସ ଆଉ ଖୁସି ନେଇକି ଆସିଥାଏ ବସନ୍ତ l ହେଲେ ଆପଣ ଏବେ ଘରେ ଏସି ନ ଲଗାଇ ଶୋଇପାରୁନାହାନ୍ତି, ଫ୍ରିଜ୍ ପାଣି ଆପଣଙ୍କୁ ଦରକାର ପଡ଼ିଲାଣି, କଳାଚଷମା ପିନ୍ଧି ଘରୁ ବାହାରୁଛନ୍ତି l ବସନ୍ତରେ ବି ପ୍ରଚଣ୍ଡ ଖରା ହେଲାଣି l ତାପମାତ୍ରା ଗତ ସପ୍ତାହରେ ଏକାଥରକେ ବିଭିନ୍ନ ସ୍ଥାନରେ ୨ରୁ ୭ ଡିଗ୍ରୀ ଯାଏଁ ବଢ଼ିଯାଇଥିଲା । ଏ କଣ ପ୍ରକୃତି ନଷ୍ଟ ନୁହେଁ ! ସତରେ କଣ ଏହାର କୌଣସି ପ୍ରଭାବ ପଡ଼ୁନି ଆମ ଉପରେ ! ନା ସବୁ ଜାଣି ଆପଣ ବେପରୁଆ ଏଇୟା ଭାବି ଯେ ‘ସରକାର ତ ଗଛ କାଟୁଛନ୍ତି, ସିଏ ଲଗେଇବେ, ପାଣିପାଗ ବଦଳିଲେ ଆମେ କଣ କରିବୁ !’

ଯଦି ଏମିତି ଚିନ୍ତାଧାରା ଆପଣଙ୍କର ବି ଅଛି, ତା’ହେଲେ ଆପଣ ନିଜ ଉତ୍ତରପିଢିର ଶତ୍ରୁ ! ଆପଣ ଛଦ୍ମବେଶୀ ବୁଦ୍ଧିଜୀବୀ ! ଆପଣ ପରିବେଶ ସହ ନିଜର ବି ଶତ୍ରୁ ! ଆପଣ କଣ ଅପେକ୍ଷା କରିଛନ୍ତି ଅମ୍ଳଜାନ ମୁଖା ପିନ୍ଧି ଘରୁ ବାହାରିବାର ସମୟକୁ ? ତା’ହେଲେ ସଜାଗ ହୁଅନ୍ତୁ, ସେମିତିରେ ବି ବିଳମ୍ବ ହୋଇଗଲାଣି, ଆଉ ଦେରି କଲେ ପଶ୍ଚାତାପ ନିଶ୍ଚିତ !

ଏବେ ବର୍ଷତମାମ ଖାଲି ଖରା ହେଉଛି ନ ହେଲେ ବର୍ଷା ! ଏମିତି ଲାଗି ରହିଲେ ଖାଇବେ କଣ ! ବଞ୍ଚିବେ କେମିତି ! ପରପିଢି ପାଇଁ ସାଇତିବେ କଣ ! ସହରୀକରଣର ଦ୍ୱାହି ଦେଇ ପରିବେଶକୁ କେତେ ଯେ ନିର୍ଯାତନା ଦେବା ପରେ ପ୍ରକୃତିର ତାଣ୍ଡବ ଆରମ୍ଭ ହୋଇଛି l ଦଶନ୍ଧି ପୂର୍ବେ ଅଳ୍ପ ଅଳ୍ପ ହେଉଥିଲା, ଏବେ ଏହାର ମାତ୍ରା ବହୁତ ବଢିଯାଇଛି l ଭୂକଂପ, ଭୂସ୍ଖଳନ, ବନ୍ୟା, ବାତ୍ୟା, ଅଦିନିଆ ବର୍ଷା, ଅଦିନିଆ ଖରା, ତାପମାତ୍ରା ବୃଦ୍ଧି ସବୁ ପଛରେ ପରିବେଶ ଅସନ୍ତୁଳ ମୂଳ କାରଣ l ତେବେ ନେଡି ଗୁଡ଼ କହୁଣୀକୁ ତ ବୋହି ସାରିଛି, ଏବେ କରିବା କଣ ! ଆସନ୍ତୁ ଜାଣିବା.. 

  1. ତାପଜ ବିଦ୍ୟୁତ (ଥର୍ମାଲ) ଦ୍ୱାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବଢିଚାଲିଛି l ବ୍ୟାପକ ମାତ୍ରାରେ ପରିବେଶ ପ୍ରଦୂଷିତ କରିବାରେ ଏହାର ଯୋଗଦାନ ବେଶୀ l ଏହା ସହ ଖଣି ବି ଆମର ସରି ସରି ଯିବ l କିନ୍ତୁ ଭଲ କଥାଟି ହେଉଛି- ଓଡ଼ିଶାରେ ଏହାର ବିକଳ୍ପ ରହିଛି l ଜଳ ବିଦ୍ୟୁତ୍, ସୌର ବିଦ୍ୟୁତ୍, ପବନ ଚାଳିତ ବିଦ୍ୟୁତ୍ ଏ ସବୁ ହେଉଛନ୍ତି ଅକ୍ଷୟ ଶକ୍ତି ବା ଅସରନ୍ତି ଉତ୍ସ l ଏହାଦ୍ୱାରା ପରିବେଶ ପ୍ରଦୂଷଣ ହେବାର ପ୍ରଶ୍ନ ଉଠୁନି l ଆମେ ଏଭଳି ଏକ ବିକଳ୍ପ ବିଷୟରେ ବହୁ ପୂର୍ବରୁ ଚିନ୍ତା କରିବାର ଥିଲା l କିନ୍ତୁ ବିଡମ୍ବନା, ଏ ଦିଗରେ ଏବେ ଏବେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି, ଯାହାର ତ୍ୱରିତ ବେଗରେ କାର୍ଯ୍ୟକାରିତା ନେଇ ବି ସନ୍ଦେହ ଉପୁଜୁଛି l ଆମ ପାଖରେ ବିଶାଳ ସମୁଦ୍ର ବେଳାଭୂମି ରହିଛି, ବେଳାଭୂମିରୁ ଆମେ ପବନ ଶକ୍ତି ସଂଗ୍ରହ କରିପାରିବା l ଏହା ବ୍ୟତୀତ ବେଳାଭୂମିରେ ସୋଲାର୍ ସେଲ୍ ସ୍ଥାପନ କରି ପ୍ରଚୂର ମାତ୍ରାରେ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ କରାଯାଇପାରିବ l ସେହିଭଳି ବିଶାଳ ଜଳ ବିଦ୍ୟୁତ୍ ପ୍ରକଳ୍ପ ନ କରିପାରିଲେ ବି ଅନେକ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରି ତାପଜ ବିଦ୍ୟୁତ୍ ବ୍ୟବହାର କମାଇପାରିବା l ଏସବୁ ପରିବେଶର ସନ୍ତୁଳନ ରକ୍ଷା ଆଉ ଜଳବାୟୁ ପରିବର୍ତ୍ତନ ରୋକିବାରେ ମାଇଲ୍ ଷ୍ଟୋନ୍ ଭଳି ସହଯୋଗ କରିପାରିବ l
  2. ଇଟା ଭାଟି କଥା ଆମେ ସମସ୍ତେ ଜାଣିଛନ୍ତି lମାଟିକୁ ପୋଡ଼ି ଇଟା ପ୍ରସ୍ତୁତ କରିବାକୁ ସୁପ୍ରିମ କୋର୍ଟ ବାରଣ କରିଛନ୍ତି l ଫ୍ଲାଏ ଆସ୍ ଏବଂ ସିମେଣ୍ଟ ଇଟାକୁ ଏହାର ବିକଳ୍ର ଭାବେ ବ୍ୟବହାର କରିବାକୁ ସୁପ୍ରିମ କୋର୍ଟ ପରାମର୍ଶ ଦେଇଛନ୍ତି l କିନ୍ତୁ ଏବେ ବି ରାଜ୍ୟରେ ବେଧଡ଼କ ଭାବେ ବେଆଇନ୍ ଇଟାଭାଟି ଚାଲିଛି l ନିକଟରେ ଢେଙ୍କାନାଳରେ ବେଆଇନ ଇଟାଭାଟିରେ କାମ କରୁଥିବା ୬ ଶ୍ରମିକଙ୍କ ଧୂଆଁରେ ଅଣନିଶ୍ୱାସୀ ହୋଇ ଜୀବନ ଚାଲିଯାଇଛି l ଭାବନ୍ତୁ ଏମିତି କେତେ ଧୂଆଁ ଆମେ ପରିବେଶକୁ ଛାଡ଼ୁଛେ ! ପ୍ରକୃତି କେତେ ଅଣନିଃଶ୍ୱାସୀ ହୋଇପଡ଼ୁନଥିବ l
  3. ଯଦିଓ ପଞ୍ଜାବ ହରିଆଣା ଭଳି ନଡ଼ା ପୋଡ଼ା ଓଡ଼ିଶାରେ ଏକ ସମସ୍ୟା ନୁହେଁ, କିନ୍ତୁ ଜଙ୍ଗଲରେ ନିଆଁ ଲଗାଇବା ରାଜ୍ୟରେ ଏକ ଉଦବେଗଜନକ ସ୍ଥିତି ସୃଷ୍ଟି କରୁଛି l ମହୁଲ ସଂଗ୍ରହ ଆଶାରେ ସ୍ଥାନୀୟ ଲୋକେ କିଲୋମିଟର କିଲୋମିଟର ବ୍ୟାପୀ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି l ଏହାଦ୍ୱାରା କେବଳ ଜୈବବିବିଧତା ନଷ୍ଟ ହେଉଛି ତା’ନୁହେଁ ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବଢୁଛି, ହୁ ହୁ ହୋଇ ଅଙ୍ଗାରକାମ୍ଳ ମଧ୍ୟ ବଢିଚାଲିଛି, ଜଙ୍ଗଲରେ ଉଠୁଥିବା ନୂଆ ଚାରାଗୁଡ଼ିକ ମଧ୍ୟ ପୋଡି ନଷ୍ଟ ହୋଇଯାଉଛି l
  4. ସହରୀକରଣ ନିଶାରେ ଆମେ କଂକ୍ରିଟ୍ ଜଙ୍ଗଲ ଗଢି ଗଢି ଚାଲିଛୁ l ଶହ ଶହ ବର୍ଷର ପୁରୁଣା ଗଛ କାଟି ସଫା କରିଦିଆଯାଉଛି l ତେବେ ସହରର ସୌନ୍ଦର୍ଯ୍ୟକରଣ ବେଳେ ଯେତିକି ଗଛ କଟାଯାଉଛି ତାର ଦୁଇଗୁଣ ଗଛ ଲଗାଯିବା କଥା, ହେଲେ ବାସ୍ତବତା କଣ ରାଜଧାନୀ ଭୁବନେଶ୍ୱର ହେଉଛି ତା’ର ଜ୍ୱଳନ୍ତ ଉଦାହରଣ l ଏଠି ଶହ ଶହ ବର୍ଷର ଶାଳ, ଆମ୍ବ, ପଣସ, ବରଗଛ କଟା ହୋଇ ସଫା ହୋଇଯାଉଛି, ଆଉ ରାସ୍ତାରେ ମିଳୁଛି ଚାକୁଣ୍ଡା ଏବଂ କାଗଜୀ ଫୁଲ ଗଛ । ବରଂ ସ୍କୁଲମାନଙ୍କରେ ଗଛ ଲଗା ପିରିୟଡ୍ ରହୁ, ତାସହିତ ଗଛ ବଞ୍ଚାଇ ବଡ଼ କଲେ ପିଲାମାନଙ୍କୁ ଗ୍ରେସ୍ ମାର୍କ ମିଳୁ।
  5. ଦ୍ରୁତଯାନ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁ ଯାନବାହାନ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି l କେବଳ ରାଜଧାନୀ ଭୁବନେଶ୍ୱରରେ ଏବେ ଗାଡ଼ି ସଂଖ୍ୟା ୨୦ ଲକ୍ଷରୁ ଅଧିକ ଟପିଲାଣି l ସଡ଼କ ଭିତ୍ତିଭୂମିରେ ଯେତେ ପରିମାଣର ଗାଡ଼ି ଗଡ଼ିବା କଥା ତା’ଠାରୁ ୧୦ ଗୁଣ ଅଧିକ ଗାଡ଼ି ଗଡ଼ୁଛି l ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ ଆସୋସିଏସନ ତଥ୍ୟ ଅନୁସାରେ ୨୦୨୩ ଜାନୁଆରୀ ତୁଳନାରେ ଏବର୍ଷ ଜାନୁଆରୀରେ ଓଡ଼ିଶାରେ ୧୪ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଛି l ଆପଣ ଜାଣିରଖନ୍ତୁ ଯେ, ଦୁଇ ଚକିଆ ଯାନ ସବୁଠାରୁ ଅଧିକ ପ୍ରଦୂଷଣ କରାଇଥାଏ l ୨୦୨୪ ଜାନୁଆରୀରେ ବିକ୍ରି ହୋଇଥିବା ମୋଟ ଗାଡ଼ି ମଧ୍ୟରୁ ଦୁଇଚକିଆ ପରିମାଣ ହେଉଛି ୫୩ ହଜାର ୪୯୧ l
  6. ଦିଲ୍ଲୀ ମହାନଗର ଭଳି ବିଭିନ୍ନ ସହରରେ ଗାଡ଼ି ଚଳାଚଳ ନିର୍ଦ୍ଦିଷ୍ଟ ଢାଞ୍ଚାରେ ବନ୍ଦ କରାଯାଉଥିବା ବେଳେ ଓଡ଼ିଶା ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଇନାହିଁ l ଦିଲ୍ଲୀ ଭଳି ଓଡ଼ିଶାର ଅନୁଗୋଳ, କଟକ, ଭୁବନେଶ୍ୱର, ବାଲେଶ୍ୱର, କେନ୍ଦୁଝରରେ ମଧ୍ୟ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହିଛି l ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ପରିବେଶବିତ୍ ପରାମର୍ଶ ଦେଲେଣି l କିନ୍ତୁ ଆମେ ଏଯାଏ ଏହାକୁ ଗୁରୁତ୍ୱ ଦେବାରେ ଅସମର୍ଥ l ଏହାକୁ ଦେଖି ଅଧିକ ଟାଉନ୍ ବସ୍, ମେଟ୍ରୋ ଟ୍ରେନ୍ ସେବା ଶୀଘ୍ର ଉପଲବ୍ଧ ହେଲେ public transport ଉପରେ ଲୋକେ ଅଧିକ ନିର୍ଭର କରିବେ, ରାସ୍ତାରୁ ଗାଡ଼ି ସଂଖ୍ୟା କମିବ।
  7. ଦିଲ୍ଲୀରେ ଲୋକଙ୍କ ଯାତାୟତ ପାଇଁ ମେଟ୍ରୋ ପ୍ରାୟ ଅଧିକାଂଶ ଲୋକଙ୍କ ପସନ୍ଦ ସାଜିଛି l ଲୋକେ କାର୍, ବସ୍, ଦୁଇ ଚକିଆ ଯାନ ଅପେକ୍ଷା ମେଟ୍ରୋରେ ଯାତାୟତ କରିବାକୁ ସହଜ ମଣୁଛନ୍ତି, ଯାହା ଅଳ୍ପ ସମୟରେ ଅଧିକ ଦୂର ପହଞ୍ଚାଇବା ସହ ଖର୍ଚ୍ଚ ମଧ୍ୟ ବଞ୍ଚାଇଥାଏ ଏବଂ ପରିବେଶକୁ ମଧ୍ୟ ସୁହାଇଥାଏ l ହେଲେ ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରୁ କରୁ ଅବଶ୍ୟ ଟିକେ ବିଳମ୍ବ କରିଦେଇଛନ୍ତି l ତେବେ କାର୍ଯ୍ୟକାରିତାରେ ବିଳମ୍ବ ହେଲେ ପରିବେଶର ସ୍ଥିତି ନେଡି ଗୁଡ଼ କହୁଣିରେ ପହଞ୍ଚିଲା ଭଳି ହେବ l
  8. ଇଲେକ୍ଟ୍ରିକ୍ ଭେଇକିଲ୍ ବା EV ଆପଣାଇବା ଦିଗରେ ଜନସଚେତନତା ଆହୁରି ଦରକାର l ଆଗୁଆ ସତର୍କ ହୋଇ ପ୍ରଦୂଷିତ ସହରଗୁଡ଼ିକର ନିର୍ଦ୍ଦିଷ୍ଟ ଅଞ୍ଚଳରେ ରେଷ୍ଟ୍ରିକଟେଡ୍ ଜୋନ୍ କରି ଗାଡିମୋଟର ଚଳପ୍ରଚଳକୁ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ରୋକାଯାଇପାରିବ l

ସଚେତନତା ତୁଳନାରେ ପରିବେଶ ପ୍ରଦୂଷଣର ମାତ୍ରା ବହୁଗୁଣିତ ହୋଇଯାଇଛି l ମଣିଷର ପ୍ରକୃତି ନଷ୍ଟ ହେଲେ ରସାତଳକୁ ବୋଲି ଆମେ କହି ଚେତେଇ ଦେଇଥାଉ l ଆଉ ଯଦି ପ୍ରକୃତିର ପ୍ରକୃତି ନଷ୍ଟ ହୁଏ, ଆମେ କେଉଁଠି ଲୁଚିବା ? ଦେଖାଣିଆ ପାଇଁ ଗାଡି ଉପରେ ଗାଡ଼ି କିଣୁଛେ, ହାଟକୁ ଗଲେ ବି ଗାଡି ଚଢୁଛେ, ସୌନ୍ଦର୍ଯ୍ୟକରଣ ନାଁରେ କଂକ୍ରିଟ୍ ସହର ତିଆରି କରୁଛେ, ବାୟୁମଣ୍ଡଳ ପ୍ରତି ସର୍ବାଧିକ ଅବଦାନ ଥିବା ବୃକ୍ଷଗୁଡ଼ିକୁ କାଟି କାଗଜୀ ଫୁଲ ଗଛ ଲଗାଉଛେ l ସରକାରଙ୍କୁ ଅପେକ୍ଷା ନ କରି ନିଜ ନିଜ ସ୍ତରରେ ଯଦି ସଚେତନ ନ ହେବା ତେବେ ଏକ ବିରାଟ ବିପର୍ଯ୍ୟୟକୁ ସ୍ୱାଗତ କରିବାକୁ ଆମକୁ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ହେବ l