୨୩ ଯାଏଁ ନିର୍ଧୂମ ଛେଚିବ ବର୍ଷା! ଅବପାତରେ ପରିଣତ ହୋଇଛି ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି ।

Weather Update

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି । ଏବେ ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୦ କିମି ଦୂର ଓ ଗୋପାଳପୁରରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୬୦ କିମି ଦୂରରେ ରହିଛି ଅବପାତ ।

ଆଜି ସକାଳ ସୁଦ୍ଧା ଅବପାତ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ପୁରୀ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିଛି । ଫଳରେ ପୁରୀ ସମେତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ଆଗାମୀ ଦୁଇ ଦିନ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଯାଇ ପୁରୀ ନିକଟ ଚିଲିକାରେ ଅବପାତ ଅତିକ୍ରମ କରିବ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୩ ତାରିଖ ଯାଏଁ ବର୍ଷା ହେବ । ଆଜି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ୧୫ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଆଲର୍ଟ ଜାରି ହୋଇଛି ।

ଆଜି ସକାଳୁ ସକାଳୁ ଅନେକ ସ୍ଥାନରେ ବର୍ଷାର ପରିମାଣ ବଢ଼ିଥିବା ବି ଦେଖିବାକୁ ମିଳିଥିବା ବେଳେ ଆକାଶ ମେଘୁଆ ରହିଛି । ସେପଟେ ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ରାଜରାସ୍ତା । ମାଲକାନଗିରି ଏବଂ କାଲିମେଳାକୁ ବିଚ୍ଛିନ୍ନ କରିଦେଇଛି କାଙ୍ଗୁରୁ କଣ୍ଡା ବ୍ରିଜ୍ । ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି ।

ସେହିପରି କାଲିମେଳାରୁ ମୋଟୁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କାରଣ MV-90 ଏବଂ MV-96 ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି । ଗତକାଲିଠୁ ପ୍ରବଳ ବର୍ଷା ଲାଗି ରହିବାରୁ ଜିଲ୍ଲାର ୫ଟି ସ୍ଥାନରେ ବୁଡ଼ିଛି ପୋଲ । ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲାର କାଙ୍ଗୁରୁ କଣ୍ଡା ବ୍ରିଜ୍ ଉପରେ ଏବେ ୭ରୁ ୮ ଫୁଟ୍ ଉଚ୍ଚର ପାଣି ଚାଲିଛି ।

ଫଳରେ ମାଲକାନଗିରି ଏବଂ କାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେହିଭଳି ପୋଟେରୁ, କନ୍ୟାଶ୍ରମ, MV-90 ଏବଂ MV-96 ପୋଲ ଉପରେ ମଧ୍ୟ ପାଣି ଚାଲୁଛି । ଏହି ୪ଟି ପୋଲ ମଧ୍ୟରୁ କେଉଁଠି ୨ରୁ ୩ ଫୁଟ ତ ଆଉ କେଉଁଠି ୩ରୁ ୪ ଫୁଟ ଉଚ୍ଚର ପାଣି ଚାଲିଛି । ଜିଲ୍ଲାର ଏକାଧିକ ମୁଖ୍ୟ ରାସ୍ତାରେ ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ, ଓ କାଳିମେଳ-ପଡ଼ିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେହିଭଳି ଆନ୍ଧ୍ର ଓ ତେଲେଙ୍ଗାନ ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ସମ୍ଭବ ହେଉନି । ସେପଟେ ସିରିପେଟାରେ ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।