ଗୋଟିଏର ସରିନି, ମାଡ଼ି ଆସିଲାଣି ଆଉ ଏକ ଲଘୁଚାପ; ୪ ଜିଲ୍ଲାକୁ ୱାର୍ଣ୍ଣିଂ ଦେଲେ SRC

ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ । ଆଜି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Odisha Weather

ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ । ଆଜି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଘୂର୍ଣ୍ଣିବଳୟ ଏବଂ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲା ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁର ଓ ପୁରୀକୁ ଆଲର୍ଟ କରିଛନ୍ତି SRC ।

ମୌସୁମୀ ସକ୍ରିୟ, ଘନ ଘନ ଲଘୁଚାପ … ଗୋଟିଏର ପ୍ରଭାବ ସରିନି, ପୁଣି ଏକ ଲଘୁଚାପ .. ଉତ୍ତର ବଙ୍ଗୋପସାଗରର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ଆଜି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧିରେ ଧିରେ ଏହା ଅଧିକ ଘନୀଭୂତ ହେବ ଏବଂ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଆରମ୍ଭ ହୋଇଯାଇଛି ପ୍ରଭାବ ।

ତୁହାକୁ ତୁହା ବର୍ଷୁଛି । କେଉଁଠି ମୂଷଳ ଧାରାରେ ତ କେଉଁଠି ଛେଚୁଛି । ଘୂର୍ଣ୍ଣିବଳୟ ସହ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଦି ଦିନର ଲଗାଣ ବର୍ଷା ବେହାଲ କରିଦେଇଛି ଜନଜୀବନକୁ । ତଳିଆ ଅଞ୍ଚଳରେ ପାଣି ପଶିଛି, ଲୋକେ ଜଳବନ୍ଦୀ । ପାଣିପାଗ ବିଭାଗ କହିଛି, ଲଘୁଚାପ ହେଲେ ତାର ପ୍ରଭାବ ୨ ଦିନ ପାଇଁ ରହିବ ।

ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏପରିକି ୨୦ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ । ତେବେ ୪ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ କରିଛନ୍ତି SRC । ସେହି ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁର ଏବଂ ପୁରୀ । ଏହାକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ସତର୍କ କରିଛନ୍ତି SRC ।

ପ୍ରବଳ ବର୍ଷା ଯୋଗୁଁ ଦୃଶ୍ୟମାନ ଦୂରତା ହ୍ରାସ ପାଇବା ସହ ରାସ୍ତା ଓ ବ୍ରିଜ୍ ଉପରେ ବନ୍ୟାପାଣି ପ୍ରବାହିତ ହୋଇପାରେ । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ସଂପୃକ୍ତ ଅଞ୍ଚଳରେ ସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ତଳିଆ ଅଞ୍ଚଳରେ ପାଣି ଜମିଲେ ବନ୍ୟାପାଣି ବାହାର କରିବାକୁ ପମ୍ପ ବ୍ୟବହାର ପାଇଁ କୁହାଯାଇଛି ।

ଯଦି ଆବଶ୍ୟକ ପଡ଼େ ତେବେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC । ସେପଟେ ଏଯାଏଁ ସ୍ୱାଭାବିକ ରହିଛି ମୌସୁମୀ ବର୍ଷା । ଜୁନରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଜୁଲାଇରେ ଭରପୂର ବର୍ଷିଛି । ପ୍ରାୟ ୯ ପ୍ରତିଶତ ଅଧିକ ବର୍ଷା ହୋଇଥିବା ସୂଚନା ଦେଇଛନ୍ତି IMD ଡିଜି ।