ଗଭୀର ଅବପାତ ବାତ୍ୟାର ରୂପ ନେବ ନାହିଁ: IMD DG

ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଅବପାତ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ଉପକୂଳ ଛୁଇଁବ ।

Cyclone Update

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଗଭୀର ଅବପାତର ରୂପ ନେଇସାରିଛି । ଏହା ଆଉ ଅଧିକ ଘନୀଭୂତ ହେବ ନାହିଁ କି ବାତ୍ୟାର ରୂପ ନେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ଅବପାତଟି ଏବେ ଦୀଘାରୁ ୧୪୦, ବାଲେଶ୍ୱରରୁ ୨୦୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଏହାର ପ୍ରଭାବରେ ଉପକୂଳରେ ୫୫ରୁ ୬୫ କିମି ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅବପାତ ପ୍ରଭାବରେ ଆଭ୍ୟନ୍ତର ଓଡ଼ିଶାରେ ୩୦ରୁ ୫୦ କିମି ପର୍ଯ୍ୟନ୍ତ ପବନ ବହିପାରେ ବୋଲି ପୂର୍ବନୁମାନ କରିଛନ୍ତି ଆଇଏମଡି ଡିଜି।

ଅବପାତ ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅବପାତ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ଉପକୂଳ ଛୁଇଁପାରେ । ତେବେ ଆଜି ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିପାରେ ଗଭୀର ଅବପାତ । ଅବପାତ ପ୍ରଭାବରେ ରାଜ୍ୟର  ୪ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପାଇଁ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ଜିଲ୍ଲାରେ ଅକସ୍ମାତ ବନ୍ୟା, ପାହାଡ଼ି ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ବି ରହିଛି । କେବଳ ଏତିକି ନୁହେଁ ବରଂ ରାଜ୍ୟର ୧୨ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ ,ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୋଟାମୋଟି ଭାବେ ବର୍ଷାର ପ୍ରଭାବ ସାରା ରାଜ୍ୟରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।