ତାତି କମିବ! ଆର୍ଦ୍ରତା ପାଇଁ ଗରମ-ଗୁଳୁଗୁଳିରେ ସଢ଼ିବେ ଜନତା

ଆଜି ତାତି କମିଲେ ବି, କଲବଲ କରିବ ଗରମ ଓ ଗୁଳୁଗୁଳି । ୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ । ପାରଦ ୨ ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Weather

ଆଜି ତାତି କମିଲେ ବି, କଲବଲ କରିବ ଗରମ ଓ ଗୁଳୁଗୁଳି । ୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ । ପାରଦ ୨ ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ଲୋକଙ୍କୁ ସତର୍କତା ଅବଲମ୍ବନ ଜାରି ରଖିବାକୁ କୁହାଯାଇଛି ।

ତେବେ ଆର୍ଦ୍ରତା ଅଧିକ ରହିବାରୁ ଭୀଷଣ ଗୁଳୁଗୁଳି ଅନଭୂତ ହେବ । ବିଶେଷ କରି ଉପକୂଳବର୍ତ୍ତୀ ଏବଂ ତା ଆଖପାଖ ଜିଲ୍ଲାରେ ଗୁଳୁଗୁଳି ହେବ । ଏହାପରେ ୨୫ ତାରିଖରୁ ପୁଣି ଥରେ ତାପମାତ୍ରା ବଢ଼ିବ ବୋଲି ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଗତକାଲି ପ୍ରଚଣ୍ଡ ଖରାରେ ସିଝିଥିଲା ସାରା ଓଡ଼ିଶା । ୪୩.୮ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ୱର ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ।

ରାଜ୍ୟର ୧୭ ସହରରେ ୪୦ ଡିଗ୍ରୀ କିମ୍ବା ତା ଉପରେ ପାରଦ ରେକର୍ଡ ହୋଇଥିଲା । ସେପଟେ ଚଳିତ ବର୍ଷ ୧୬ ଜିଲ୍ଲାରୁ ଆସିଲାଣି ଅଂଶୁଘାତଜନିତ ସୂଚନା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ତରଫରୁ ସୂଚନା ମିଳିଛି । ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ୮୯ ଜଣ ମେଡିକାଲରେ ଭର୍ତ୍ତି ହୋଇସାରିଲେଣି ।

ଅଧିକ ପଢ଼ନ୍ତୁ: ଖରାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୨୫ରୁ ବନ୍ଦ ରହିବ ସ୍କୁଲ

ସେଥିମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୪୧, ଖୋର୍ଦ୍ଧାରୁ ୧୨ ଅନୁଗୁଳରୁ ୯ ସହ ଝାରସୁଗୁଡାରୁ ୭, ସମ୍ବଲପୁରରୁ ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆସନ୍ତା ୨ ଦିନ ଅର୍ଥାତ୍ ୨୩ ଓ ୨୪ ତାରିଖରେ ହିଟୱେଭ୍ ନରହିଲେ ବି ଖରା ଓ ଗୁଳୁଗୁଳି ଜୀବନଯାତ୍ରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ସମସ୍ତ ଉପକୂଳବର୍ତ୍ତୀ ଓ ଆଖପାଖ ଜିଲ୍ଲାରେ ଖରା ଓ ଗୁଳୁଗୁଳି ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ଗ୍ରୀଷ୍ମ ପ୍ରବାହରେ ନିର୍ବାଚନ ପ୍ରଚାରକୁ ନେଇ ଏବେ ବଢ଼ିଛି ଚିନ୍ତା । ଭାରତୀୟ ପାଣିପାଗ ବିଭାଗ ସହ ନିର୍ବାନ କମିଶନ ପ୍ରତିଟି ସ୍ଥିତି ଉପରେ ନଜର ରଖିଛି । ଆଜି ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବିଭିନ୍ନ ରାଜ୍ୟର ପାଣିପାଗ ଓ ସ୍ଥିତି ସମ୍ପର୍କରେ IMD ସୂଚନା ଦେଉଛି ।

ପର୍ଯ୍ୟାୟକ୍ରମେ ହେଉଥିବା ନିର୍ବାଚନ ଓ ଏ ସମ୍ପର୍କିତ ରାଜ୍ୟର ପାଣିପାଗ ସ୍ଥିତି ଅବଗତ କରାଯାଉଥିବା ସେ ସୂଚନା ଦେଇଛନ୍ତି । ଏନେଇ ନିର୍ବାଚନ କମିଶନ ସହ ଆଜି ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି । ବିଶେଷ ଭାବେ, ୧୩ ମେ’ରୁ ଓଡ଼ିଶାରେ ନିର୍ବାଚନ ହେବାକୁ ଥିବା ବେଳେ ଏହି ସମୟରେ ଖରା ଆହୁରି ଅଧିକ ହୋଇପାରେ ।