ଖସୁଛି ସୁବର୍ଣ୍ଣରେଖା, ତଥାପି ବନ୍ୟାରେ ଉବୁଟୁବୁ ୨୫୦ରୁ ଅଧିକ ଗାଁ

ଝାଡ଼ଖଣ୍ଡରୁ ଜଳପ୍ରବାହ କମିବା ପରେ ଏବେ ବର୍ଷା ବଢ଼ାଇଲା ଲୋକଙ୍କ ଦୁର୍ଦ୍ଦଶା । ଛିଣ୍ଡା ପାଲ ତଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବିପନ୍ନ ।

Flood

ସୁବର୍ଣ୍ଣରେଖାର ବଢ଼ି, ଗାଁ ଓ ଘର ବୁଡ଼େଇ ଦେଇଛି । ତେଣୁ ସେହି ଗାଁ ଗୁଡ଼ିକରେ ପରିସ୍ଥିତି କିଭଳି ଥିବ ତାହା ଆପଣ ଅନୁଭବ କରିପାରୁଥିବେ । ଗାଁରେ ପାଣି ପଶିଥିବାରୁ ଏବେ ରାସ୍ତା କଡ଼ରେ ଶୁଖିଲା ଜାଗା ଦେଖି ଦିନ କାଟୁଛନ୍ତି ବନ୍ୟା ବିପନ୍ନ । ପିଲାଛୁଆ, ବୟସ୍କଙ୍କୁୁ ଧରି ମୁଣ୍ଡ ଗୁଞ୍ଜିବାକୁ କିଏ ଛିଡ଼ା ପାଲରେ ତମ୍ବୁ ଟାଣି ରହୁଛି ତ, କିଏ ଟାଙ୍ଗି ଦେଇଛି ପିନ୍ଧା ଲୁଗା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣରେଖାର ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ଭୋଗରାଇ ବ୍ଲକ୍‌ର କୁହ୍ଲା ଓ ପମ୍ପେଇ ଗାଁରେ । ତିନି ଦିନ ତିନି ରାତି ହେଲାଣି ନା ଖାଇବାର ଠିକଣା ଅଛି, ନା ରହିବାର, ନା ଶୋଇବାର । ତାରି ଭିତରେ କାଳ ହେଇ ଝରିଲାଣି ଝିପି ଝିପି ବର୍ଷା । କୁନି କୁନି ପିଲାଙ୍କ ଦୁଃଖ ତ ଆଖିରେ ଦେଖି ହେଉନି ଯେମିତି ।

ହେଲେ ଏଦୁଃଖ ସରକାରୀ ବାବୁଙ୍କୁ ଦେଖା ଯାଉନି । ବିପନ୍ନଙ୍କ ଅଭିଯୋଗ ଦୁର୍ଦ୍ଦଶା ଦେଖିବାକୁ ଖୋଦ୍ କଲେକ୍ଟର ଓ ସ୍ଥାନୀୟ ବିଧାୟକ ଆସିଥିଲେ । ହେଲେ କେହି ଶୁଣିଲେନି । ଅନ୍ୟ କଥା ଦୂରେ ଥାଉ ପଲିଥିନ୍ ଟିଏ ବି ମିଳିଲାନି ।

ନଈ ନିର୍ଦ୍ଦୟ ହେବା ପରଠୁ ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ୍‌ର ୨୫୦ରୁ ଅଧିକ ଗାଁ ୩ ଦିନ ହେବ ପାଣିରେ ବୁଡ଼ିଛି । ତଥାପି ବନ୍ୟାର ତୋଡ଼ ସାମାନ୍ୟ କମୁକମୁ ଯେମିତି ନିଦରେ ଶୋଇପଡ଼ିଛି ପ୍ରଶାସନ । ବିଷ୍ଣୁପୁର ଠାରେ ୩୦ ଫୁଟ୍‌ର ଘାଇ ପରଠୁ ସଂପୂର୍ଣ୍ଣ ଜଳବନ୍ଦୀ ବିଷ୍ଣୁପୁର ଗାଁ ।

ସରକାରୀ ବୋଟ୍ ବନ୍ଧା ହେଇଛି । ହେଲେ ଚଲେଇବା ପାଇଁ ପ୍ରଶାସନ ମନା କରିବାରୁ କିଏ ଛାତିଏ ପାଣିରେ ପଶି ଜରୁରୀ ଔଷଧ ତ କିଏ ମୁଢ଼ି ଭଳି ଶୁଖିଲା ଖାଦ୍ୟ ନେବାକୁ ବାହାରିଛି । ସେପଟେ ନୟାବାଲି ଗାଁରେ ୩ ଦିନ ଧରି ଜଳବନ୍ଦୀ ପରିବାର ପାଖରେ ପହଞ୍ଚି ପାରିନି ପ୍ରଶାସନ । ସେହିଭଳି ଘୂର୍ଣ୍ଣିବଳୟ ପ୍ରଭାବରେ ବାଲେଶ୍ୱର ଜିଲ୍ଲାରେ ଆସନ୍ତାକାଲି ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତାବନୀ ବିପନ୍ନଙ୍କ ଦୁର୍ଦ୍ଦଶାକୁ ଆହୁରି ଦୁର୍ବିସହ କରିବାର ଆଶଙ୍କା ରହିଛି ।