ମୌସୁମୀର ପ୍ରଭାବ ଜାରି; ଆସୁଛି ବଡ଼ ବର୍ଷା, ୨୬ରେ ଘୂର୍ଣ୍ଣିବଳୟ!

୨୬ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ।

Weather Update

୨୬ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ୨୬ରୁ ୨୮ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ଉପକୂଳ, ଦକ୍ଷିଣ ଆଭ୍ୟନ୍ତରୀଣ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶlର କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ୩୦ ରୁ ୪୦କିମି ବେଗରେ ପବନ ବହିପାରେ ।

ସାରା ରାଜ୍ୟକୁ ମୌସୁମୀ ଛୁଇଁଛି । ମୌସୁମୀ ସିଜିନରେ ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୪ ଜିଲ୍ଲାରେ ରେକର୍ଡ ହୋଇଛି ନିଅଣ୍ଟିଆ ବୃଷ୍ଟିପାତ । ଆଜି ସୁଦ୍ଧା ୧୫୪.୬ ମିଲିମିଟର ବର୍ଷା ହେବା କଥା । କିନ୍ତୁ ୪୧ ପ୍ରତିଶତ କମ୍ ବର୍ଷା ହୋଇଛି । ସେପଟେ ରାଜ୍ୟରେ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

ପଢନ୍ତୁ ଏହି ଖବର: ସାରା ରାଜ୍ୟକୁ ଛୁଇଁଲା ମୌସୁମୀ; ୯ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱରକୁ ଗତକାଲି ମୌସୁମୀ ଛୁଇଁବା ସହ ସାରା ରାଜ୍ୟରେ ସକ୍ରିୟ ହୋଇଛି । ମୌସୁମୀ ସକ୍ରିୟ ଯୋଗୁଁ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ୨୬ରୁ ବଢ଼ିବ ବର୍ଷାର ପରିମାଣ । ଏନେଇ ୯ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା । ତିନି ଦିନ ପାଇଁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ବିଜୁଳି, ଘଡଘଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୨୫ ତାରିଖ ପାଇଁ ୧୭ ଜିଲ୍ଲାକୁ ଝଡ଼ତୋଫାନ ଚେତାବନୀ ଜାରି ହୋଇଛି ।

ଏହାପରେ ୨୬ରୁ ପୁଣି ବଢିବ ବର୍ଷାର ପରିମାଣ । ୨୬ରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସେପଟେ ଜୁନ୍ ୧ରୁ ଏବେ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୩୯% କମ୍ ବର୍ଷା ହୋଇଛି । ୫ ଜିଲ୍ଲାରେ ସ୍ଥିତି ଅତି ଉତ୍କଟ ଏବଂ ୧୭ ଜିଲ୍ଲାରେ ୨୦ରୁ ୫୯% ନିଅଣ୍ଟିଆ ବର୍ଷା ହୋଇଛି ।

ପୁରୀରେ ସ୍ୱାଭାବିକ ଠାରୁ ସର୍ବାଧିକ ୭୧% କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ବନ୍ୟା ନିୟନ୍ତ୍ରଣ, ନଦୀ ପୁନରୁଦ୍ଧାର ଓ ଜଳପଥର ଉନ୍ନତୀକରଣ ପାଇଁ ରାଜ୍ୟରେ ଗଠନ ହେବ ୪ଟି ବୈଷୟିକ କମିଟି । ଜଳ ସଂପଦ ବିଭାଗ ଅଧିକାରୀଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନା ପ୍ରସ୍ତୁତିର ସମୀକ୍ଷା ସହିତ, ୪ଟି ବୈଷୟିକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ବନ୍ୟା ପରିଚାଳନା ନୀତି, ମହାନଦୀ ରିଜୁଭେନେସନ୍, ଜଳ ସଂରକ୍ଷଣ ନୀତି ଏବଂ ଆନ୍ତଃ ନଦୀ ଜଳପଥର ଉନ୍ନତି ପାଇଁ କମିଟି ଗଠନ ହେବ । ଏହି କମିଟି ଗଠନ କରି ୧୦୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବନ୍ୟା ନିୟନ୍ତ୍ରଣ ପାଇଁ ନଦୀବନ୍ଧ ସୁଦୃଢ଼ୀକରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।