ପ୍ରବଳ ବର୍ଷାରେ ଉବୁଟୁବୁ ମାଲକାନଗିରି! ଖସୁଛି ପାଣି, କମିନି ଦୁର୍ଦ୍ଦଶା ...

ପୋଟେରୁ ପୋଲ୍ କିଛିଟା ଅଂଶ ନଷ୍ଟ ହୋଇଛି । ପ୍ରବଳ ଜଳ ପ୍ରବାହ ଯୋଗୁଁ ପୋଲର ସ୍ଲାବ୍‌ର କିଛି ଅଂଶ ଧୋଇ ନଷ୍ଟ ହୋଇଛି ।

Heavy Rainfall

ଦୁଇ ଦିନର ବିତ୍ପାତ ପରେ ମାଲକାନଗିରେ ଥମିଛି ବର୍ଷା । ଆଜି ବିଭିନ୍ନ ନଦୀରେ ଜଳସ୍ତର କମିବା ପରେ ସ୍ଥିତିରେ ସୁଧାର ଆସିଛି । ତେବେ ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ପୋଲ ଭାଙ୍ଗିଛି, ସ୍ଲାବ୍ ଧୋଇ ଯାଇଛି ଏବଂ ମାଟି ମଧ୍ୟ ଦବି ଯାଇଛି । ପୋଟେରୁ ପୋଲରୁ ପାଣି ଖସିଛି, ଗତକାଲି ଯେମିତି ପୋଲ ଉପରେ ପାଣି ଚାଲୁଥିଲା ଆଜି ସେଭଳି ସ୍ଥିତି ନାହିଁ ।

ପୋଟେରୁ ପୋଲ୍ କିଛିଟା ଅଂଶ ନଷ୍ଟ ହୋଇଛି । ପ୍ରବଳ ଜଳ ପ୍ରବାହ ଯୋଗୁଁ ପୋଲର ସ୍ଲାବ୍‌ର କିଛି ଅଂଶ ଧୋଇ ନଷ୍ଟ ହୋଇଛି । ଫଳରେ ଏହି ରୁଟ୍ ଦେଇ ଯାତାୟାତ ଏବେ ବନ୍ଦ ରହିଛି । ସେହିପରି ଖଇରପୁଟ ଗୁମାଝରନ ବ୍ରିଜ୍ ପାଖ ମାଟି ଦବି ଯାଇଥିବା ବେଳେ ରଙ୍ଗମାଟିଗୁଡ଼ାରେ ବ୍ରିଜ୍‌ର କିଛି ଅଂଶ ଦବି ଯାଇଛି ।

ଗତକାଲି ପ୍ରବଳ ବର୍ଷା ଫଳରେ ମାଲକାନଗିରିର ସ୍ଥିତି ବେହାଲ ହୋଇଥିଲା । ମାଲକାନଗିରି ଜିଲ୍ଲାର ୫ଟି ସ୍ଥାନରେ ପୋଲ ବୁଡ଼ିଯାଇଥିଲା । ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଲୋକଙ୍କ ଘରେ ପାଣି ପଶିଛି । ମାଲକାନଗିରି ଜିଲ୍ଲାର କାଙ୍ଗୁରୁ କଣ୍ଡା ବ୍ରିଜ୍ ଉପରେ ୭ରୁ ୮ ଫୁଟ୍ ଉଚ୍ଚର ପାଣି ଚାଲିଥିଲା ।

ତେବେ ସ୍ଥିତି ଏବେ ଟିକେ ସୁଧୁରିଥିବା ଜଣାପଡ଼ିଛି । ଗତକାଲି ମାଲକାନଗିରି ଓ କାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା । ସେହିଭଳି ପୋଟେରୁ, କନ୍ୟାଶ୍ରମ, MV-90 ଏବଂ MV-96 ପୋଲ ଉପରେ ପାଣି ଚାଲୁଥିଲା । ଏହି ୪ଟି ପୋଲ ମଧ୍ୟରୁ କେଉଁଠି ୨ରୁ ୩ ଫୁଟ ତ ଆଉ କେଉଁଠି ୩ରୁ ୪ ଫୁଟ ଉଚ୍ଚର ପାଣି ଚାଲିଥିଲା ।

ଜିଲ୍ଲାର ଏକାଧିକ ମୁଖ୍ୟ ରାସ୍ତାରେ ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ, ଓ କାଳିମେଳ-ପଡ଼ିଆ ମଧ୍ୟରେ ବିଚ୍ଛିନ୍ନ ହୋଇଯାଇଛି ଯୋଗାଯୋଗ । ସେହିଭଳି ଆନ୍ଧ୍ର ଓ ତେଲେଙ୍ଗାନା ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ସମ୍ଭବ ହେଉନି । ଏପଟେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଥିବା ଯୋଡାମ୍ବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଣି ପଶିଛି ।

ପାଣି ପ୍ରବଳ ମାତ୍ରାରେ ପ୍ରବେଶ କରିବା ଦ୍ୱାରା ବିଭିନ୍ନ ଔଷଧ ପତ୍ର, ମେଡିକାଲ କାଗଜପତ୍ର ଏବଂ କିଛି କିଛି ଯନ୍ତ୍ରାଂଶ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ମେଡିକାଲରେ ପାଣି ପଶିବା ପରେ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇଥିଲା । ସୌଭାଗ୍ୟ ବଶତଃ ମେଡିକାଲ କର୍ମାଚାରୀ କି ରୋଗୀଙ୍କର କୌଣସି କ୍ଷତି ହୋଇନାହିଁ ।