Landslide
ସିକ୍କିମରେ ପୁଣି ଅଘଟଣ । ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପତ୍ତା ମିଳିନଥିବା ବେଳେ ଉତ୍ତର ସିକ୍କିମରେ ଘଟିଛି ଭୂସ୍ଖଳନ । ଗତ ରବିବାର ସନ୍ଧ୍ୟାରେ ଚାଟେନ୍ ଅଞ୍ଚଳରେ ଏହି ଭୂସ୍ଖଳନରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ସୁରକ୍ଷା କର୍ମୀ ନିଖୋଜ ଅଛନ୍ତି । ସେହି ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି । ୪ ଆହତଙ୍କୁ ଉଦ୍ଧାର କରାଯାଇଛି ।
ଏହି ଘଟଣାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜନବସତି ଓ ଏକ ସେନା କ୍ୟାମ୍ପ ନିକଟରେ ଘଟିଛି ଏହି ଘଟଣା । ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଓ ପୋଲ ଭୁଶୁଡିବା ସହ ତୀସ୍ତା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଲାଚେନ ଓ ଲାଚୁଙ୍ଗରେ ହଜାରେରୁ ଅଧିକ ପର୍ଯ୍ୟଟକ ଅଟକି ରହିଛନ୍ତି ।
ସେନାବାହିନୀ ପକ୍ଷରୁ କୁହାଯାଇଛି ଯେ, ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । କ୍ଷତିଗ୍ରସ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି । ଲାଚୁଙ୍ଗରେ ଅଟକି ରହିଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଲାଚୁଙ୍ଗ ହୋଟେଲ୍ ଆସୋସିଏସନ୍ ସଭାପତି କହିଛନ୍ତି, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରାଯିବ । ପୋଲିସ, ଜଙ୍ଗଲ ବିଭାଗ ଓ ସ୍ଥାନୀୟ ଲୋକମାନଙ୍କର ସହଯୋଗର ଆବଶ୍ୟକତା ରହିଛି । ଲାଚୁଙ୍ଗପା ସଂପ୍ରଦାୟର ଲୋକମାନେ ଓ ହୋଟେଲ୍ ମାଲିକମାନେ ପର୍ଯ୍ୟଟକଙ୍କୁ ସହାୟତା କରୁଛନ୍ତି । ପର୍ଯ୍ୟଟକଙ୍କ ନିରାପତ୍ତା ସ୍ଥାନୀୟ ଲୋକମାନେ ଦେଖୁଛନ୍ତି । ପର୍ଯ୍ୟଟକଙ୍କ ଲଗେଜ୍ ବୋହିବା ଓ ଛୋଟ ପିଲାଙ୍କୁ ସ୍ଥାନାନ୍ତରରେ ସହାୟତା କରୁଛନ୍ତି । ତେବେ ପାଗ ଖରାପ ଥିବାରୁ ଲୋକଙ୍କ ନିରାପତ୍ତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।
ଅଧିକ ପଢ଼ନ୍ତୁ: ଦୁଇ ଦିନ ବିତିଲା, ସିକ୍କିମ୍ ଟ୍ରାଜେଡିରେ ନିଖୋଜ ୪ ଓଡ଼ିଆଙ୍କ ମିଳୁନି ପତ୍ତା
ମଙ୍ଗାନ୍ ଏସପି କହିଛନ୍ତି ଯେ, ପାଗ ଖରାପ ଥିବାରୁ ଲୋକଙ୍କୁ ସ୍ଥାନାନ୍ତରରେ ବିଳମ୍ୱ ହେଉଛି । ଫିଡାଙ୍ଗ ବ୍ରିଜ୍ କ୍ଷତିଗ୍ରସ୍ତ ହୋଇଥିବାରୁ ସେହି ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ତେବେ ଲୋକମାନେ ଚାଲି ଚାଲି ଯିବା ପାଇଁ ସୁବିଧା କରାଯାଇଛି ।
ନିଖୋଜମାନଙ୍କୁ ଠାବ କରିବା ପାଇଁ ଟିମ୍ କାର୍ଯ୍ୟ କରୁଛି । ଦୁଇ ଦିନ ତଳେ ନଦୀ କୂଳରେ ଦେଖାଯାଉଥିବା ଗାଡି ସବୁ ଏବେ ଆଉ ଦେଖାଯାଉନି । ଭୂସ୍ଖଳନ ସ୍ଥଳ ନିକଟରୁ କିଛି ମୋବାଇଲ୍ ଫୋନ୍ ଓ ପରିଚୟପତ୍ର ମିଳିଛି । ସେଗୁଡିକ ସବୁ ଥାନାରେ ରଖାଯାଇଛି । କିନ୍ତୁ ନିଖୋଜ ଲୋକଙ୍କ ଠାବ କରାଯାଇପାରିନାହିଁ ।
ଗତ ମୋ ୩୦ ତାରିଖରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ବାଂଲାଦେଶରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାର କୁହାଯାଇଥିଲା । ଆଗାମୀ ୫ ତାରିଖରେ ମଧ୍ୟ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Landslide_1748860703.jpg)