ଓଟିଭିର ନନଷ୍ଟପ୍ କଭରେଜ୍: 'ଦାନା'ର ଦାନବ ଗର୍ଜନ, ଭୀତତ୍ରସ୍ତ ମଣିଷ; ବିବ୍ରତ ବୃକ୍ଷଲତା, ଅସ୍ତବ୍ୟସ୍ତ ଜୀବଜନ୍ତୁ

ମଝି ରାତିରେ ମାଡ଼ ହେଲା ଭୀଷଣ ବାତ୍ୟା ଦାନା । ଭିତରକନିକା ପାଖରେ ମାଟି ଛୁଇଁଲା, ଯେଉଁବାଟ ଦେଇ ଗଲା, ତାଣ୍ଡବ ରଚିଲା ।

Cyclone Dana

ମଝି ରାତିରେ ମାଡ଼ ହେଲା ଭୀଷଣ ବାତ୍ୟା ଦାନା । ଭିତରକନିକା ପାଖରେ ମାଟି ଛୁଇଁଲା, ଯେଉଁବାଟ ଦେଇ ଗଲା, ତାଣ୍ଡବ ରଚିଲା । ହବାଳିଖଟିରେ ଲ୍ୟାଣ୍ଡଫଲ୍ ପରେ ପ୍ରାୟ ୯ ଘଣ୍ଟା ଧରି ଚାଲିଲା ସ୍ଥଳଭାଗରେ ପ୍ରବେଶ ପ୍ରକ୍ରିୟା । ବର୍ଷା ଓ ପବନ ସାଙ୍ଗକୁ କୂଳରେ ପିଟି ହେଉଥିଲା ସମୁଦ୍ରର ଉଚ୍ଚ ଜୁଆର ।

ରାତି ସହ ତାଳ ଦେଇ ବଢ଼ୁଥାଏ ସୁ ସୁ ପବନ... ଘୋ ଘୋ ସମୁଦ୍ରରୁ ଶୁଭୁଥାଏ ଦାନାର ଦାନବ ଗର୍ଜନ । ଏପଟେ ଭୀତତ୍ରସ୍ତ ମଣିଷ... ବିବ୍ରତ ଗଛବୃଚ୍ଛ.. ଅସ୍ତବ୍ୟସ୍ତ ଜୀବଜନ୍ତୁ । ବାତ୍ୟା କେତେବେଳେ ଆସିବ, କେମିତି ଆସିବ । ସମୟ ପାଖେଇବା ସହ ବଢ଼ୁଥାଏ ଶଙ୍କା-ଆଶଙ୍କା । ଆଉ ମଧ୍ୟରାତ୍ର ପୂର୍ବରୁ ଆରମ୍ଭ ହେଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ରାତି ସାଢ଼େ ୧୧ଟା ବେଳେ ମାଟି ଛୁଇଁଲା ଦାନା ।

ଭିତରକନିକାର ହବାଳିଖଟି ନେଚରକ୍ୟାଂପ ନିକଟରେ ରାତି ଦେଢ଼ଟା ବେଳକୁ ପହଞ୍ଚିଥିଲା ବାତ୍ୟାର କେନ୍ଦ୍ରସ୍ଥଳ । ହେଲେ ତାର ପ୍ରଭାବ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୂଆ-ପେଣ୍ଠଠୁ... ଭଦ୍ରକର ଧାମରା, ବାଲେଶ୍ୱରର ଚାନ୍ଦିପୁର ଯାଏଁ । ରାତିର ଅନ୍ଧାରରେ ବାତ୍ୟା ରଚୁଥିଲା ଭୀଷଣ ତାଣ୍ଡବ । ବହୁଥିଲା ଅଣଚାଶ ପବନ, ଟଳିପଡ଼ୁଥିଲା ଗଛଲତା ।

ଦାନା ସିଧାସଳଖ ମାଡ଼ ହୋଇଥିବା ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ଥିଲା ପବନର ବେଗ । ଆଉ ତା ସହ ସମୁଦ୍ର ଜୁଆର ଓ ବର୍ଷା ବି ସାଧିଥିଲା ଦାଉ । ବାତ୍ୟା ଆଗକୁ ବଢ଼ିବା ସହ, ପ୍ରଭାବିତ ହୋଇଥିଲା ଅଧିକରୁ ଅଧିକ ଅଞ୍ଚଳ । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ରାତି ସାଢ଼େ ୧୧ଟାରୁ ଆଜି ସକାଳ ସାଢ଼େ ୮ଟା ଅର୍ଥାତ ପ୍ରାୟ ୯ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ।

ରାତି ତମାମ୍ ତାଉ ଦେଖାଇଥିଲା ଦାନା । ଆଉ ସେହି ଲ୍ୟାଣ୍ଡଫଲ୍ ବେଳର ତାଜା ଚିତ୍ରକୁ ଗ୍ରାଉଣ୍ଡରୁ ଥାଇ ଦର୍ଶକଙ୍କ ପାଖରେ ଲଗାତାର ପହଞ୍ଚାଇଥିଲେ ଓଟିଭି ରିପୋର୍ଟର ଓ ଭିଡିଓ ଜର୍ଣ୍ଣାଲିଷ୍ଟ । ପ୍ରତିକୂଳ ପରିବେଶରେ ବି ବର୍ଷା ପବନକୁ ସାହସର ସହ ମୁକାବିଲା କରି, ସାରାରାତି ନନଷ୍ଟପ୍ ରିପୋର୍ଟିଂ କରିଥିଲେ ଓଟିଭିର ଜାଗ୍ରତପ୍ରହରୀ ।

ବାତ୍ୟା ମୁକାବିଲା ପାଇଁ ଗ୍ରାଉଣ୍ଡରେ ସଜାଗ ଥିଲେ ଅଗ୍ନିଶମ, ଓଡ୍ରାଫ୍ ଓ NDRF ଯବାନଙ୍କ ଭଳି ବିଭିନ୍ନ ବିପର୍ଯ୍ୟୟ ଯୋଦ୍ଧା । ବାତ୍ୟା ଆଶ୍ରୟସ୍ଥଳରେ ଲୋକଙ୍କୁ ଖାଦ୍ୟ ବାଣ୍ଟିଥିଲେ ଦରଦୀ ଯୁବ ସଂଗଠନ । ଗଣମାଧ୍ୟମକୁ ଘନ ଘନ ଅପଡେଟ୍ ଦେଉଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଉ ଏପଟେ ରାଜ୍ୟ ସରକାର ବି ରାତି ସାରା ଥିଲେ ବାତ୍ୟା ପାଇଁ ଜାଗତିଆର । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର ଏମର୍ଜେନ୍ସି କଣ୍ଟ୍ରୋଲରୁମରେ ମୁଖ୍ୟ ଶାସନ ସଚିବ ଓ ରାଜସ୍ୱ ମନ୍ତ୍ରୀଙ୍କ ସହ ସ୍ଥିତି ଉପରେ ନଜର ରଖିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ ଦେଉଥିଲେ ପରାମର୍ଶ ।

ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପୂରା ସରିନଥିଲା, ହେଲେ ସରି ସରି ଆସିଥିଲା ପ୍ରଳୟର ରାତି । ଆକାଶ ଫର୍ଚ୍ଚା ହେବା ବେଳକୁ ଅନେକାଂଶରେ ଦୁର୍ବଳ ହୋଇସାରିଥିଲା ବାତ୍ୟା । ଅନ୍ଧାର ହଟିବା ପରେ, ସାମ୍ନାକୁ ଆସୁଥିଲା ବ୍ୟାପକ କ୍ଷୟକ୍ଷତିର ଚିତ୍ର ।