Advertisment

ଡହ ଡହ ଖରାରେ ଡହଳବିକଳ ଜଙ୍ଗଲୀ ଜନ୍ତୁ; ନୂଆପଡ଼ାରେ ବାଘ ଚେତାଶୂନ୍ୟ, ନରସିଂହପୁରରେ ହାତୀ ମୃତ୍ୟୁ

ପାଣି ଅଭାବରୁ ହାତୀ ମୃତ୍ୟୁ ଘଟଣାକୁ କିନ୍ତୁ ଅସ୍ୱୀକାର କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ସେ କହିଛନ୍ତି, ହାତୀ ମରିଥିବା ଅଞ୍ଚଳରେ ୩ଟି ପୋଖରୀରେ ପାଣି ଅଛି।

ଅଦ୍ୟତନ ହୋଇଛି
undefined

Animal like Elephant, Tiger Struggle Due To Heat Wave

Advertisment

ଜଙ୍ଗଲରେ ଜଳକଷ୍ଟ । ବିପଦରେ ବନ୍ୟପ୍ରାଣୀ । ଗାଁ ମୁହାଁ ଜଙ୍ଗଲୀ ଜୀବଜନ୍ତୁ । ପ୍ରଚଣ୍ଡ ଖରା ଯୋଗୁଁ ଜଙ୍ଗଲ ଜଳାଶୟରେ କମିଗଲାଣି ଜଳ । ପାଣି ମୁନ୍ଦେ ପାଇଁ ଡହଳ ବିକଳ ଜଙ୍ଗଲୀ ଜୀବଜନ୍ତୁ । ଜଙ୍ଗଲରେ ଜଳସ୍ତର କମିଯାଇଛି, ଦୂର ଦୂର ଯାଏଁ ଦେଖାଯାଉନି ପାଣି । ମାଟି ଫାଟି ଆଁ କଲାଣି । ଆମେ କହୁଛୁ କୁଳଡିହା ଅଭୟାରଣ୍ୟ ଭିତରେ ଥିବା ରିଷିଆ ଡ୍ୟାମ୍‌ ଓ କୁଳଡିହା ଅଭୟାରଣ୍ୟରେ ଥିବା ପଞ୍ଚଲିଙ୍ଗେଶ୍ୱର ନିକଟ ଜଙ୍ଗଲର କଥା । ଜଙ୍ଗଲ ଭିତର ଦେଇ ବୋହି ଯାଇଥିବା ଝରଣା ଶୁଖିଗଲାଣି । ଏବେ ଯାହା ନାମକୁ ମାତ୍ର ସ୍ରୋତ ଅଛି, ସେଥିରୁ ଜଙ୍ଗଲୀ ଜୀବ ପାଣି ପିଇବା ସମ୍ଭବ ନୁହେଁ ।

Advertisment

ଏପଟେ ଶିମିଳିପାଳ ଅଭୟାରଣ୍ୟର ସୀତାକୁଣ୍ଡ ଜଳପ୍ରପାତ ନଈ ଧାର ଅବସ୍ଥା ନ କହିଲେ ଭଲ। ନଈରେ ପାଣିର ଚିହ୍ନ ବର୍ଣ୍ଣ ନାହିଁ, କେବଳ ପଡ଼ିରହିଛି ପଥର ଖଣ୍ଡ। ଜଙ୍ଗଲରେ ପାଣି ଅଭାବ ଯୋଗୁ ଗାଁ ମୁହାଁ ହେଲେଣି ଜୀବଜନ୍ତୁ। ଉତ୍କଟ ଜଳାଭାବ ସ୍ଥିତି ଯୋଗୁଁ ଦିନକ ତଳେ ଆଠଗଡ଼ ନରସିଂହପୁରରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପାଣି ଅଭାବରୁ ୩ ବର୍ଷିୟା ହାତୀଟି ମରିଥିବା ସ୍ୱୀକାର କରିଛନ୍ତି ରେଞ୍ଜର । ଆଉ ଏପାଖେ ନୂଆପଡ଼ା ସିଲିଆରିବାହାରା ଗାଁ ନିକଟ ଜଙ୍ଗଲରେ ଗତକାଲି ଧରା ପଡ଼ିଥିବା କଲରାପତରିଆ ବାଘଟି ମଧ୍ୟ ସନ୍‌ଷ୍ଟ୍ରୋକର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ପାଣି ଅଭାବରୁ ହାତୀ ମୃତ୍ୟୁ ଘଟଣାକୁ କିନ୍ତୁ ଅସ୍ୱୀକାର କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ସେ କହିଛନ୍ତି, ହାତୀ ମରିଥିବା ଅଞ୍ଚଳରେ ୩ଟି ପୋଖରୀରେ ପାଣି ଅଛି। ପୋଷ୍ଟମର୍ଟମ୍ ପରେ ମୃତ୍ୟୁର ବାସ୍ତବ କାରଣ ଜଣାପଡ଼ିବ। ସେହିପରି ନୂଆପଡ଼ାରେ ଉଦ୍ଧାର କଲରାପତରିଆ ବାଘ ଧିରେ ଧିରେ ସୁସ୍ଥ ହେଉଛି। ଅଂଶୁଘାତ ନା ଅନ୍ୟ କେଉଁ କାରଣରୁ ବାଘ ଅସୁସ୍ଥ ହୋଇଛି, ଯାଞ୍ଚ ଚାଲିଛି । ହେଲେ ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁ ଜଙ୍ଗଲରେ ଜଳାଭାବ ସ୍ଥିତିକୁ ଗୁରୁତର ସହ ନେଇ ବନ୍ୟପ୍ରାଣୀଙ୍କ ଲାଗି ପର୍ଯ୍ୟାପ୍ତ ଜଳବ୍ୟବସ୍ଥା କରିବାକୁ ସବୁ ଡିଏଫ୍ଓଙ୍କୁ ଚିଠି ଲେଖିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ପୁରୁଣା ଜଳାଶୟକୁ ଅଧିକ ଗଭୀର କରିବା ସହ ଯେଉଁଠି ଅଭାବ ଅଛି, ଟ୍ୟାଙ୍କରରେ ପାଣି ଆଣି ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଣି ଅଭାବରୁ ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ବି କୁହାଯାଇଛି। 

Advertisment

ଏସବୁ ଭିତରେ ଚନ୍ଦକା ଜଙ୍ଗଲରେ ଜଳାଶୟରୁ ହାତୀପଲ ପାଣି ପିଉଥିବାର ଦୃଶ୍ୟ ଓ ନନ୍ଦନକାନନ ଚିଡ଼ିଆଖାନାରେ ଜଙ୍ଗଲୀ ଜନ୍ତୁଙ୍କ ଜଳକ୍ରୀଡ଼ାର ଚିତ୍ର ବନ୍ୟପ୍ରାଣୀ ପ୍ରେମୀଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି ।

Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ