Weather Update: ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ! ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆଜି ୪ଟି ଜିଲ୍ଲାରେ ଛେଚିବ ବର୍ଷା । ବର୍ଷା ପବନ ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପ୍ରବଳ ବର୍ଷା ଆଲର୍ଟ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ଅଦିନିଆ ବର୍ଷା । କେଉଁଠି କୁଆପଥର ତ ଆଉ କେଉଁଠି ଘଡ଼ଘଡ଼ି ସହ ବର୍ଷା ପବନ ହେଉଛି । ଆଜି ୪ଟି ଜିଲ୍ଲାରେ ବର୍ଷା ପବନ ହେବାର ସମ୍ଭାବନା ରହିଛି । ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ପବନ ହୋଇପାରେ । ଏଥିପାଇଁ ଏହି ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଅଧିକ ପଢ଼ନ୍ତୁ: ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଓଲଟିଲା ବସ୍, ୨୦ ଯାତ୍ରୀ ଆହତ

ଏହାଛଡ଼ା ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ବର୍ଷା ସମ୍ଭାବନା ରହିଛି । ପୁରୀ, ନୟାଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଆଦି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିଭଳି ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲାଗୁଡିକ ହେଲେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା । ୨୪ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷାରେ ପ୍ରଭାବ ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଅନ୍ୟପଟେ ଅଦିନିଆ ବର୍ଷା ଉଜାଇ ଦେଇଛି ଚାଷୀର ଫସଲ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତୁହାକୁ ତୁହା ବର୍ଷାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ଏକର ଏକର ଜମିରେ ପରିବା ଫସଲ ନଷ୍ଟ ହୋଇଛି । ଏହାକୁ ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ । ସୁନ୍ଦରଗଡ ବିର୍ସା ବ୍ଲକ ସାରୁବାହାଲ ଓ ଫୁଲଝର ଅଞ୍ଚଳରେ ଅନେକ ପରିବା ଫସଲ ନଷ୍ଟ ହୋଇଛି । ଚାଷ ଜମିରେ ପାଣି ଜମି ରହିଛି । ନୂଆଗାଁ ବ୍ଲକ କୁଣ୍ଡରା ଗାଁରେ ପ୍ରବଳ କୁଆପଥର ମାଡରେ ବ୍ୟାପକ ଫସଲ ନଷ୍ଟ ହୋଇଛି । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅଞ୍ଚଳରେ ବଜ୍ରପାତ ଓ କୁଆପଥର ବର୍ଷା ବିଲାତି, କୋବି, କଖାରୁ ଭଳି ବ୍ୟାପକ ପନିପରିବା ଫସଲ କ୍ଷୟକ୍ଷତି ଘଟାଇଛି ।

ଅଧିକ ପଢ଼ନ୍ତୁ: ଆଜି 'ସୁଭଦ୍ରା ଶକ୍ତି ମେଳା' ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, SHG ମହିଳାଙ୍କୁ ଲକ୍ଷପତି ଦିଦି କରିବା ଲକ୍ଷ୍ୟ