Cyclone Dana: ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, କ୍ୟାବିନେଟ ସଚିବଙ୍କୁ କଲେ ଅବଗତ

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ ଚାଲିଛି ।

Cyclone Dana

ଜିରୋ କାଜୁଆଲିଟି ଆମ ମିଶନ । ବାତ୍ୟାକୁ ନେଇ ଲୋକେ ଭୟଭୀତ ନହୁଅନ୍ତୁ । ଆଜି ସମ୍ଭାବ୍ୟ ବାତ୍ୟା ମୁକାବିଲା ସମୀକ୍ଷା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ‘ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ । ଅଗ୍ନିଶମ, ଓଡ୍ରାଫ୍, ଏନ୍ ଡିଆର୍ ଏଫ୍ ଟିମ୍ ପ୍ରସ୍ତୁତ ରହିଛନ୍ତି ।

ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ଶତ ପ୍ରତିଶତ ସ୍ଥାନାନ୍ତରଣ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯିବ । ହସ୍ପିଟାଲକୁ ନିରବଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା ହେବ । ଦରଦାମ ବୃଦ୍ଧି, କଳାବଜାରୀ ରୋକିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ଏହି ବାତ୍ୟା ମୁକାବିଲା ସମୀକ୍ଷା ବୈଠକରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏସଆରସି, କୃଷି ସଚିବ, ଅଗ୍ନିଶମ ଡିଜି, ଆଇନଶୃଙ୍ଖଳା ଏଡିଜି ଉପସ୍ଥିତ ରହିଥିଲେ ।

ସେପଟେ ବାତ୍ୟା ନେଇ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ଭିସି ମାଧ୍ୟମରେ କ୍ୟାବିନେଟ ସଚିବଙ୍କୁ ବାତ୍ୟା ନେଇ ଅବଗତ କରିଛନ୍ତି ମୁଖ୍ୟ ସଚିବ । ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଉପସ୍ଥିତ ଥିଲେ । ବାତ୍ୟା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସେ ଅବଗତ କରିଛନ୍ତି । ସେପଟେ ମଝି ସମୁଦ୍ରରେ ଥିବା ୧୧ ଡଙ୍ଗାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି ।

ସମୁଦ୍ରରେ ପୁରୀର ୨, ଜଗତସିଂହପୁରର ୯ ଡଙ୍ଗା ରହିଛି । ତୁରନ୍ତ କୂଳକୁ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା ବେଳେ ଏପରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏନେଇ ଘଟଣା ଉପରେ ନଜର ରଖିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ସଚିବ । ଭୀଷଣ ରୂପ ନେଉଛି ବାତ୍ୟା । ଆସିଛି ବାତ୍ୟା ଦାନାର ନୂଆ ଗତିପଥ । ଅତି ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶାକୁ ହିଟ୍‌ କରିପାରେ ସମ୍ଭାବ୍ୟ ବାତ୍ୟା ।

ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍‌ କରିପାରେ ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି । ଏହା ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଲ୍ୟାଣ୍ଡଫଲ୍‌ କରିପାରେ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଅତିବେଶୀରେ ଘଣ୍ଟାପ୍ରତି ୧୦୦- ୧୨୦ କିମି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୩୦ ଜିଲ୍ଲାରେ ଓଡ୍ରାଫ୍ ଟିମ୍ ମୁତୟନ ରହିବେ, NDRF ଟିମକୁ ଆଲର୍ଟ ରଖାଯାଇଛି । ସମୟ ଯେତେ ପାଖେଇ ଆସିବ, ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ଆବଶ୍ୟକ ହେଲେ ଯଥେଷ୍ଟ ଆଗରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ, କେହି ଭୟଭୀତ ହୁଅନ୍ତୁନି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ କଡ଼ା ବାରଣ କରାଯାଇଛି, ଯଦି ଟ୍ରଲର ମାଲିକ ଜୋର୍ କରି ସେମାନଙ୍କୁ ପଠାନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜସ୍ୱ ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି । ବାତ୍ୟାକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି କାଲି ସକାଳେ ଅବପାତ, ୨୩ରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୨୪ ରାତିରୁ ୨୫ ସକାଳ ମଧ୍ୟରେ ଉପକୂଳ ଛୁଇଁପାରେ ବାତ୍ୟା । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ । ଏକ ‘ଭୀଷଣ ବାତ୍ୟା’ର ରୂପ ନେଇ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।

ପ୍ରଭାବରେ ୨୩ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ । ତେବେ ୨୪ ଓ ୨୫ ତାରିଖରେ ବେଶୀ ବର୍ଷା ହେବ । ବାତ୍ୟା ହେଲେ ଜୁଆର ଆସିବା ସ୍ୱାଭାବିକ କଥା । ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଜୁଆର ଆସିବା ସମ୍ଭାବନା ରହିଛି ।