ଅଧା ରାତିରେ କାଚିଲା କାଳବୈଶାଖୀ, ବର୍ଷା ତାଣ୍ତବରେ ବୁଡ଼ିଲା ଟ୍ୱିନ୍ ସିଟି

ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଯୋଗୁ ତାତିରୁ ମିଳିଛି ଆଶ୍ୱସ୍ତି । ହେଲେ ଗତକାଲି ବିଳମ୍ବିତ ରାତିରେ ଏହି କାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି । ହଠାତ କିଛି ସମୟ ପାଇଁ ଘଡଘଡ଼ି ବିଜୁ ସହ ପ୍ରବଳ ବର୍ଷା ହୋଇଥିଲା ।

Weather Update

ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଯୋଗୁ ତାତିରୁ ମିଳିଛି ଆଶ୍ୱସ୍ତି । ହେଲେ ଗତକାଲି ବିଳମ୍ବିତ ରାତିରେ ଏହି କାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି । ହଠାତ କିଛି ସମୟ ପାଇଁ ଘଡଘଡ଼ି ବିଜୁ ସହ ପ୍ରବଳ ବର୍ଷା ହୋଇଥିଲା । ଏମିତିକି ତୁହାକୁ ତୁହା ଜୋରରେ ପବନ ବହିଥିଲା । ଫଳରେ ବିଦ୍ୟୁତ୍ କାଟ ହେବା ସାଙ୍ଗକୁ ରାସ୍ତାରେ କିଛି ସମୟ ପାଇଁ ଗାଡିମୋଟର ଚଳାଚଳରେ ବାଧା ଉପୁଜିଥିଲା ।

ଏମିତିକି କିଛି କିଛି ତଳିଆ ସ୍ଥାନରେ ପାଣି ଜମି ରହିଥିଲା । ତଳିଆ ଅଞ୍ଚଳରେ ଘରେ କରି ରହୁଥିବା ଲୋକଙ୍କ ଘରେ ପାଣି ମଧ୍ୟ ପଶିଯାଇଥିଲା । କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ଭାରି ବର୍ଷା ହୋଇଛି । ଭୁବନେଶ୍ୱରରେ ୭୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଚଳିତ ବର୍ଷ ଏହା ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଭାରି ବର୍ଷା ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ସେହିପରି ପାରାଦ୍ୱୀପରେ ୫୧.୪, ପୁରୀରେ ୩୭.୮, ବାଲେଶ୍ୱରରେ ୩୫ ଏବଂ ଚାନ୍ଦବାଲିରେ ୩୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏପଟେ ଆସନ୍ତା ୧୫ ତାରିଖ ଯାଏ ଝଡ଼ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ପାଇଁ ୪ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ବାକି ୧୫ ଜିଲ୍ଲାରେ ୩୦ରୁ ୫୦ କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ହେଲେ ୧୭ ତାରିଖ ବେଳକୁ ପୁଣି ରାଜ୍ୟକୁ ତାତି ଫେରିବ । ମେ' ୧୭ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ବୃଦ୍ଧି ସାଙ୍ଗକୁ ତାତି ଫେରିବା ସମ୍ଭାବନା ରହିଛି । ସୂଚନା ଅନୁଯାୟୀ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି ।

ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ପବନ । ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ । ଆସନ୍ତା ୩-୪ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ସାରା ରାଜ୍ୟକୁ ଆଲର୍ଟ ଜାରି ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ । ଏଥିପାଇଁ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।