ଜଳବନ୍ଦୀ ଜୀବନ ଭିତରେ ବାସହରା ଶହ ଶହ ପରିବାର, ପାଣି ଶୁଖିଛି ହେଲେ ବିପଦ ଟଳିନି

ବାଙ୍କିରୁ ଆଠଗଡ଼, କୋଣାର୍କରୁ ପାରାଦୀପ । ସବୁ ଅଞ୍ଚଳରେ ଏବେ ବି ମହାନଦୀର ଶାଖାନଦୀ ଗୁଡ଼ିକର ବଢ଼ି ପାଣି କମୁନଥିବାରୁ ବିପନ୍ନଙ୍କ ପିଛା ଛାଡୁନି ଦୁର୍ଦ୍ଦଶା ।

Flood

ମହାନଦୀ ସିଷ୍ଟମରେ ବନ୍ୟା ପରର ବେଦନା କହିଲ ନସରେ । ଜଳବନ୍ଦୀ ଜୀବନ ଭିତରେ ବାସହରା ଶହ ଶହ ପରିବାର । ବନ୍ୟାରେ ଧୋଇଯାଇଛି ହଜାର ହଜାର ଲୋକଙ୍କ ଦାନାପାଣି । ଆଜି ବି ବତୁରି ଯାଇଥିବା ଚୁଲି ଚାଳ ଅସଜଡ଼ା ହୋଇରହିଛି । ଅବଶ୍ୟ ବର୍ଷା ଛାଡ଼ିବା ପରେ କେଉଁଠି କିଏ ଅଣ୍ଟା ସଳଖି ଛିଡ଼ା ହେଉଛନ୍ତି ସତ, କିନ୍ତୁ ପାଣି ଛାଡୁନଥିବାରୁ ଅସମ୍ଭବ ହେଉଛି ସବୁକିଛି । ବାଙ୍କିରୁ ଆଠଗଡ଼, କୋଣାର୍କରୁ ପାରାଦୀପ । ସବୁ ଅଞ୍ଚଳରେ ଏବେ ବି ମହାନଦୀର ଶାଖାନଦୀ ଗୁଡ଼ିକର ବଢ଼ି ପାଣି କମୁନଥିବାରୁ ବିପନ୍ନଙ୍କ ପିଛା ଛାଡୁନି ଦୁର୍ଦ୍ଦଶା ।

କାହାର ବା ଧୈର୍ଯ୍ୟ ରହିବ ଉଜୁଡ଼ା କ୍ଷେତକୁ ଦେଖି । କେଉଁ ଚାଷୀ ବା ସହିପାରିବ ଏତେ ବଡ଼ ବିପର୍ଯ୍ୟୟକୁ । ଦିନ କେଇଟା ପରେ ଅମଳ ହୋଇଥାନ୍ତା । ତା ଆଗରୁ ସର୍ବଗିଳା ବନ୍ୟା ଯୋଗୁଁ ମାଟିରେ ମିଶିଯାଇଛି ଦାନାପାଣି । ସେତେବେଳେ ଚାଷୀର ପ୍ରତିକ୍ରିୟା ବା ଆଉ କଣ ହୋଇଥାନ୍ତା । ଆଠଗଡ଼ ବ୍ଲକ ରାଜନଗର ପଞ୍ଚାୟତର ଏକର ଏକର ଜମିରେ ଫଳିଥିଲା ବାଇଗଣ । କିନ୍ତୁ ବନ୍ୟା ମାଡ଼ରେ ଉଜୁଡ଼ିଗଲା ସବୁକିଛି । ମହାନଦୀର ପଛୁଆ ପାଣି ଆଠଗଡ଼, ତିଗିରିଆ ଆଦି ଅଞ୍ଚଳର ପରିବା ଫସଲ ଏଭଳି ଭାବେ ଉଜାଡ଼ି ଦେଇଛି ଯେ, ତାହା ନକହିବା ଭଲ । ଖାଲି ପରିବା ନୁହେଁ, ଧାନ ଚାଷ ବି ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।

ଆଠଗଡ଼ରେ ଉଜୁଡ଼ା ଚାଷକୁ ଦେଖି ଚାଷୀର ଛାତି ଫାଟିଯାଉଥିବା ବେଳେ ବାଙ୍କିରେ ବାସ ସଜାଡ଼ିବାକୁ ଅଣ୍ଟା ଭିଡ଼ିଛନ୍ତି ବିପନ୍ନ । ଯେଉଁ କୁଡ଼ିଆ ସପ୍ତାହେ ଧରି ଜଳବନ୍ଦୀ ହୋଇ ରହିଥିଲା, ପାଣି ଛାଡ଼ିବା ପରେ ସେହି ଝାଟିମାଟି ଘରକୁ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି ଗୃହିଣୀ । ବହୁ ଚାଳ ଛପର ଘର ମାଟିରେ ଲୋଟିପଡ଼ିଥିବା ବେଳେ ତାକୁ ପୁଣି ଥରେ ସଜାଡ଼ି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଛନ୍ତି ବିପନ୍ନ ।

ମହାନଦୀ ଓ ଏହାର ଶାଖା ନଦୀ ପାଇକାର ବନ୍ୟା ଜଳରେ ଏବେ ବି ଜଳବନ୍ଦୀ ଜଗତସିଂହପୁର ଜିଲ୍ଲାର ବହୁ ଇଲାକା । ଜଳସ୍ତର କମୁଥିବା ବେଳେ, ଯନ୍ତ୍ରଣା କିନ୍ତୁ ବଢ଼ିବାରେ ଲାଗିଛି । ବହୁ ଗାଁରେ ଜଳିନି ବିଜୁଳି । ମୋବାଇଲ୍‌କୁ ରିଚାର୍ଜ କରିବା ପାଇଁ କିଏ ଛାତିଏ ପାଣିରେ ପଶି ରାହାମା ବଜାରକୁ ଯାଉଛନ୍ତି ତ ଆଉ କିଏ ଖାଦ୍ୟ ସାମଗ୍ରୀ ପାଇଁ ଲୁଗା ବଦଳାଇ ପାଣି ଭିତରେ ପଶି ଯାଉଛନ୍ତି । କାରଣ କୁଜଙ୍ଗ, ତିର୍ତ୍ତୋଲ, ମଣିଜଙ୍ଗା ଆଦି ଅଞ୍ଚଳରେ ବାଟ ଓଗାଳିଛି ବନ୍ୟା ପାଣି ।

କେବଳ ଜଗତସିଂହପୁର ନୁହଁ, ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ପୁରୀ ଜିଲ୍ଲାର ବହୁ ଗାଁ ଆଜି ବି ଉବୁଟୁବୁ । ଉତ୍କଳମଣିଙ୍କ କର୍ମଭୁମି ଗୋପ ବ୍ଲକ ଡଭାର ଗାଁରେ ନଅଙ୍କ ଦୁର୍ଭିକ୍ଷ ହେଉ ବା ବନ୍ୟା, ସେହି ସମୟରେ ସହାୟତା ପାଇଁ ଗାଁରେ ରହୁଥିଲେ ଗୋପବନ୍ଧୁ । ଗତ ୫ଦିନ ହେଲା ଧନୁଆ ନଦୀର ବନ୍ୟା ପାଣି ଆଜି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଘେରି ରହିଛି ।

ଜିଲ୍ଲାର ନିମାପଡ଼ା ଓ ଗୋପ ସମେତ ବହୁ ଅଞ୍ଚଳର ବନ୍ୟା ପ୍ଲାବିତ ହୋଇଛି । ପ୍ରଭାବିତ ହୋଇଛନ୍ତି ୭ଟି ପଂଚାୟତର ୪୦ ହଜାରରୁ ଉର୍ଦ୍ଧ ଲୋକ । ଉତ୍କଟ ହୋଇଛି ପାନୀୟ ଜଳ ସମସ୍ୟା । ଗାଁ ଗାଁରେ ସରକାରଙ୍କ ପକ୍ଷରୁ ବିଶୁଦ୍ଧ ପିଇବା ପାଣି ଦିଆଯାଉଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ । ଆଗକୁ ପୁଣି ଏକ ବର୍ଷାର ସମ୍ଭାବନା । ଏଭଳି ସ୍ଥିତିରେ ବିପନ୍ନଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି ।