Low pressure over Bay of Bengal likely to turn into depression today
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ଏହା ଅବପାତରେ ପରିଣତ ହୋଇପାରେ। ଆସନ୍ତାକାଲି ସନ୍ଧ୍ୟାରେ ଏହା ବାତ୍ୟାରେ ରୂପାନ୍ତରିତ ହୋଇପାରେ। ଅବପାତରେ ପରିଣତ ହେବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
୧୦ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି। ଆଜି ଅବପାତରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ। ବାତ୍ୟା କେଉଁ ଉପକୂଳ ଛୁଇଁବ ? କେବେ ଛୁଇଁବ ? ସେନେଇ ଆକଳନ କରି ହେବ। ତେବେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି।
ସେପଟେ ସମ୍ଭାବ୍ୟ ବାତ୍ୟା ଏବଂ ଏହାର ମୁକାବିଲା ସମ୍ପର୍କରେ ପ୍ରେସ୍ମିଟ୍ କରି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଆଜି ସନ୍ଧ୍ୟାରେ ଆମେ NDRF, ଓଡ୍ରାଫ୍ ଟିମ୍ ମୁତୟନ ପାଇଁ ପ୍ଲାନ କରିବୁ। ୧୦ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି SRC କହିଛନ୍ତି।
ନୌସେନା, କୋଷ୍ଟଗାର୍ଡକୁ ମଧ୍ୟ ମୁକାବିଲା ପାଇଁ କୁହାଯାଇଛି। ସେମାନେ ମତ୍ସ୍ୟଜୀବୀଙ୍କ ପ୍ରତି ନଜର ରଖିବେ। ୮ ତାରିଖ ସକାଳ ଠାରୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଆଉ ପ୍ରବେଶ କରାଇ ଦିଆଯିବନି। ଚାଷ ସମ୍ପର୍କିତ ପରାମର୍ଶ ପାଇଁ କୃଷି ବିଭାଗକୁ ଗାଇଡଲାଇନ ପାଇଁ କୁହାଯାଇଛି। ସେହିପରି ଟେଲିକମ୍ କମ୍ପାନୀମାନଙ୍କ ସହ ମଧ୍ୟ ଆଲୋଚନା ହୋଇଥିବା SRC କହିଛନ୍ତି। ଯଦି କିଛି ଟାୱାର ଭାଙ୍ଗେ, ତା’ହେଲେ ତ୍ୱରିତ ସେବା ଦେବାକୁ ବ୍ୟବସ୍ଥା କରିବେ। ଜଳ ସମ୍ପଦ, ପୂର୍ତ୍ତ, ଜଙ୍ଗଲ ବିଭାଗ ସହ ବି ଆଲୋଚନା ହୋଇଛି। ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛୁ। କିଛି ପରିସ୍ଥିତି ଉପୁଜିଲେ ମୁକାବିଲା ପାଇଁ ସକ୍ଷମ ହେବୁ ବୋଲି SRC କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651890820.jpg)