Advertisment

ମେ’ ମାସରେ କାହିଁକି ହେଉଛି ବାତ୍ୟା ?

ଏବେ ଅକ୍ଟୋବର ନୁହେଁ ବରଂ ମେ’ମାସକୁ ନେଇ ଲାଗିଲାଣି ଡର । ବାରମ୍ବାର ଏଇ ମାସରେ ସମୁଦ୍ରରେ ସୃଷ୍ଟି ହେଉଛି ବାତ୍ୟା । ଜାଣନ୍ତୁ ଏଥର ବାତ୍ୟାର କଣ ରହିଛି ଅପଡେଟ୍‌...

ଅଦ୍ୟତନ ହୋଇଛି
Cyclone In Odisha

Cyclone

Advertisment

ପୁଣି ମେ’ମାସ । ପୁଣି ବାତ୍ୟାର ଆଭାସ୍‌ । ବାତ୍ୟା କଥା ଶୁଣିବା ପରେ ଓଡିଶା ଲୋକଙ୍କ ମନରେ ପଶିଲାଣି ଛନ୍‌କା । କାରଣ ପୂର୍ବରୁ ମଧ୍ୟ ମେ’ ମାସରେ ଅନେକବାର ଓଡ଼ିଶାକୁ ଛୁଇଁଛି ବାତ୍ୟା । ୨୦୦୯ରେ ବାତ୍ୟା ଆସିଥିଲା ଓ ଦକ୍ଷିଣ ଓଡ଼ିଶା ଛୁଇଁ ଆନ୍ଧ୍ର ଯାଇଥିଲା। ସେହିପରି ୨୦୧୦ରେ ବାତ୍ୟା ‘ଲୈଲା’ ଓଡିଶା ଉପକୂଳ ଅତିକ୍ରମ କରିଥିଲା। ଖାଲି ଏତିକି ନୁହେଁ ୨୦୧୯ ମେ’ ୩ରେ ଫନି ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ତାଣ୍ଡବ ରଚିଥିଲା । ସ୍ଥିତି ଏପରି ହୋଇଥିଲା, ସପ୍ତାହରୁ ଅଧିକ ସମୟ ଧରି ଅନ୍ଧକାରରେ ଥିଲା ରାଜଧାନୀ । ବିଶେଷ କରି ‘ଫନି’ ପୁରୀ ବାଲୁଖଣ୍ଡରେ ଲ୍ୟାଣ୍ଡଫଲ କରିଥିବା ବେଳେ ମାଟିରେ ଲୋଟି ପଡିଥିଲା ବିଦ୍ୟୁତ୍‌ ଖୁଣ୍ଟ ଓ ଲକ୍ଷ ଲକ୍ଷ ଗଛ । ରାସ୍ତାଘାଟ ସଫା କରିବା ସହ ବିଦ୍ୟୁତ୍‌ ସରବରାହକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ମାସାଧିକ ସମୟ ଲାଗିଥିଲା।

Advertisment

ଠିକ୍‌ ସେହିପରି ୨୦୨୦ ମେ’ ୧୯ରେ ଉତ୍ତର ଓଡ଼ିଶାର ବାଲେଶ୍ୱର-ଚାନ୍ଦବାଲି ମଝିରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟ ‘ଅମ୍ଫାନ’। ଉତ୍ତର ଓଡ଼ିଶାରେ ତାଣ୍ଡବ ରଚିବା ପରେ ପଶ୍ଚିମବଙ୍ଗ ମୁହାଁ ହୋଇଥିଲା ଅମ୍ଫାନ। ସେହିପରି ୨୦୨୧ ମେ’ ୨୬ ରେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିଥିଲା ବାତ୍ୟା ‘ୟଶ’। ଯଦିଓ ‘ୟଶ’ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିଥିଲା, ମାତ୍ର ଓଡ଼ିଶା ଦେଇ ଅତିକ୍ରମ କଲାବେଳେ ପ୍ରବଳ ବର୍ଷା ହୋଇଥିଲା। ଆଉ ଏବେ ପୁଣି ଥରେ ମେ’ ମାସରେ ବାତ୍ୟା ଆସୁଥିବାରୁ ଏହାକୁ ନେଇ ଆଶଙ୍କା ଭିତରେ ଉପକୂଳବାସୀ ।

ତେବେ ଆସନ୍ତା ମେ’ ୯ ତାରିଖ ପାଖାପାଖି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି । ପୂର୍ବ ଆକଳନ ଅନୁସାରେ, ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବାନା ରହିଛି । ୬ରେ ସୃଷ୍ଟ ଘୂର୍ଣ୍ଣିବଳୟ ୭ରେ ଲଘୁଚାପର ରୂପ ନେବ । ପରେ ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ରେ ଅବପାତର ରୂପ ନେଇପାରେ। ଅବପାତର ରୂପ ନେଇ କ୍ରମେ ଏହା ଉତ୍ତର ଦିଗକୁ ଗତି କରିବ।

Advertisment

ଏହା ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ବାତ୍ୟା ରୂପ ନେଇପାରେ। ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଏଯାଏଁ କିଛି ସ୍ପଷ୍ଟ ହୋଇନି । ବାତ୍ୟା କୁଆଡ଼େ ଯିବ? କେତେ ତୀବ୍ରତା ରହିବ? ସେନେଇ ଆକଳନ ହୋଇନି ବୋଲି IMD ଡିଜି ସୂଚନା ଦେଇଛନ୍ତି । ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ। ହେଲେ ୭ରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ତେବେ ମେ’ମାସରେ ବାତ୍ୟା ଆସିବାର ଖବର ମିଳିବା ପରେ ଚିନ୍ତାରେ ଓଡ଼ିଶାବାସୀ ।

ବ୍ୟୁରୋ ରିପୋର୍ଟ, ଓଟିଭି

IMD Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ