ଲାଗି ରହିବ ତୁହାକୁ ତୁହା ବର୍ଷା; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Heavy Rainfall Alert

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ । ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପର ରୂପ ନେଇପାରେ । ଫଳରେ ଆସନ୍ତା କିଛି ଦିନ ବର୍ଷା ଜାରି ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୧ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।

ସେହିପରି ୧୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ମାତ୍ର ଗୋଟିଏ ଦିନର ବର୍ଷା ଯୋଗୁଁ ଚାଷବାସରେ ଜୀବନ ଭରିଛି । ହେଲେ ଡ୍ରେନେଜ୍ ସମସ୍ୟା ଯୋଗୁଁ ନର୍ଦ୍ଦମା ପାଣିରେ ଭାସୁଛି ସହର । ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ଝାରସୁଗୁଡ଼ାରେ ପ୍ରବଳ ବର୍ଷା ।

କଟକ ସହରରେ ତ ସାଂଘାତିକ ସ୍ଥିତି । ଗଳି, ମୁଖ୍ୟ ରାସ୍ତା-ଡ୍ରେନ୍ ସବୁ ଏକାକାର। ବକ୍ସଡ୍ରେନ୍ କାମ ପାଇଁ ପଟ୍ଟାପୋଲ, ରାଉସାପାଟଣା, ମେରିଆବଜାର,  ସାଆନ୍ତସାହି, କେଶରପୁର, ସୂତାହାଟ ଭଳି ଅଞ୍ଚଳରେ ସାଂଘାତିକ ଅବସ୍ଥା। ନର୍ଦ୍ଦମା ପାଣି ଉଚ୍ଛୁଳି ଘରେ ଘରେ ପଶିଯାଇଛି । ଆସନ୍ତା ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ଆଶଙ୍କାକୁ ନେଇ ସବୁ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ SRCଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି ।