Weather Update: ୧୭ ଯାଏ ତାତିରୁ ନାହିଁ ନିସ୍ତାର, ଆଜି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଉପାନ୍ତରୁ ଉପକୂଳ, ପୁଣି ପଶ୍ଚିମରୁ ଦକ୍ଷିଣ ସବୁଠି କଲବଲ କଲାଣି ତାତି । ଆଜିଠୁ ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା । ଆସନ୍ତା ୧୭ ତାରିଖ ଯାଏ ତାତିରୁ ନିସ୍ତାର ମିଳିବନି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜିଠୁ ବଢିବ ତାତି

ଡେଉଁଛି ପାରଦ, ଉତ୍ତପ୍ତ ହେଉଛି ଓଡ଼ିଶା । ସାରା ରାଜ୍ୟରେ ଏବେ ଉପରମୁହାଁ ତାତି । ମାର୍ଚ୍ଚ ଅଧାରୁ ଆକାଶରୁ ନିଆଁ ପିଣ୍ଡୁଳା ଖସିଲା ଭଳି ଲାଗିଲାଣି । ଉପାନ୍ତରୁ ଉପକୂଳ, ପୁଣି ପଶ୍ଚିମରୁ ଦକ୍ଷିଣ ସବୁଠି କଲବଲ କଲାଣି ତାତି । ଆଜିଠୁ ତାପମାତ୍ରା ଆହୁରି ବଢ଼ିବ । ନୟାନ୍ତ କରିବ ଗ୍ରୀଷ୍ମଲହରୀ । ରାଜ୍ୟର କିଛି ସ୍ଥାନରେ ପାରଦ ୪୧ ଡିଗ୍ରୀ ଛୁଇଁପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । 

ଅଧିକ ପଢ଼ନ୍ତୁ: କଳିଙ୍ଗା ଘାଟିରେ ଓଲଟିଲା ବସ୍, ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ଅନୁଗୋଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଟିଟିଲାଗଡ଼ରେ ଆଜି ପାରଦ ୪୧ ଡିଗ୍ରୀ ସେଲସିୟସ୍ ଛୁଇଁପାରେ । ହିଟୱେଭ ସ୍ଥିତି ନେଇ ଆଜି ୧୦ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ। କାଲି ଆହୁରି ଜାଳିବ । ବିଶେଷ କରି ତାତି ତାଉରେ ସିଝିବ ପଶ୍ଚିମ ଓଡ଼ିଶା । 

ଗ୍ରୀଷ୍ମଲହରି ନେଇ ଆସନ୍ତାକାଲି ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଆସନ୍ତା ୧୭ ତାରିଖ ଯାଏ ତାତିରୁ ନିସ୍ତାର ମିଳିବନି ।

ଗତକାଲି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ୪୧.୪ ଡିଗ୍ରୀ ସେଲିସିୟସ୍ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡା । ୮ ସହରରେ ପାରଦ ୪୦ ଡିଗ୍ରୀ ଛୁଇଁଥିବା ବେଳେ ୧୫ ସହରରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିଲା । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପିକ୍ ସମୟ ସକାଳ ୧୧ଟାରୁ ଦିନ ୩ଟା ଯାଏଁ ନିହାତି କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । 

ଅଧିକ ପଢ଼ନ୍ତୁ: ଆଜି ଦୋଳ ପୂର୍ଣ୍ଣିମା, ସୁନାବେଶରେ ସଜେଇ ହେବେ ଶ୍ରୀଜୀଉ