Cyclone Dana: ମାଡ଼ି ଆସିବ ଜୁଆର! ୨୩ରୁ ଢ଼ାଳିବ ବର୍ଷା: IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

୨୩ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ । ତେବେ ୨୪ ଓ ୨୫ ତାରିଖରେ ବେଶୀ ବର୍ଷା ହେବ ।

IMD DG

ବାତ୍ୟାକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି କାଲି ସକାଳେ ଅବପାତ, ୨୩ରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୨୪ ରାତିରୁ ୨୫ ସକାଳ ମଧ୍ୟରେ ଉପକୂଳ ଛୁଇଁପାରେ ବାତ୍ୟା । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ । ଏକ ‘ଭୀଷଣ ବାତ୍ୟା’ର ରୂପ ନେଇ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।

ପ୍ରଭାବରେ ୨୩ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ । ତେବେ ୨୪ ଓ ୨୫ ତାରିଖରେ ବେଶୀ ବର୍ଷା ହେବ । ବାତ୍ୟା ହେଲେ ଜୁଆର ଆସିବା ସ୍ୱାଭାବିକ କଥା । ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଜୁଆର ଆସିବା ସମ୍ଭାବନା ରହିଛି ।

ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ଏହାର ପ୍ରଭାବ ନେଇ IMD ଡିଜି ଓଟିଭିକୁ ସୂଚନା ଦେଇଛନ୍ତି । ସେପଟେ ବାତ୍ୟାକୁ ନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଲୋକେ ଆଦୌ ଭୟଭୀତ ହୁଅନ୍ତୁନି, ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟ ଶାସନ ସଚିବ, ଏସଆରସି ସମୀକ୍ଷା କରିଛନ୍ତି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ସମୀକ୍ଷା କରୁଛନ୍ତି ଓ ଜରୁରୀ ବୈଠକ ଡାକିଛନ୍ତି । କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ନୁହେଁ ପୂରା ୩୦ ଜିଲ୍ଲାରେ ପ୍ରସ୍ତୁତି ରହିବ । ଯଦି, ସମ୍ଭାବ୍ୟ ବାତ୍ୟାର ଗତିପଥ ବଦଳିବ ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ୩୦ ଜିଲ୍ଲାରେ ଓଡ୍ରାଫ୍ ଟିମ୍ ମୁତୟନ ରହିବେ, NDRF ଟିମକୁ ଆଲର୍ଟ ରଖାଯାଇଛି । ସମୟ ଯେତେ ପାଖେଇ ଆସିବ, ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ।

ଆବଶ୍ୟକ ହେଲେ ଯଥେଷ୍ଟ ଆଗରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ, କେହି ଭୟଭୀତ ହୁଅନ୍ତୁନି ବୋଲି କହିଛନ୍ତି ମନ୍ତ୍ରୀ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ କଡ଼ା ବାରଣ କରାଯାଇଛି, ଯଦି ଟ୍ରଲର ମାଲିକ ଜୋର୍ କରି ସେମାନଙ୍କୁ ପଠାନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜସ୍ୱ ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି ।

ଏପଟେ ଭୀଷଣ ରୂପ ନେଉଛି ବାତ୍ୟା । ଆସିଛି ବାତ୍ୟା ଦାନାର ନୂଆ ଗତିପଥ । ଅତି ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶାକୁ ହିଟ୍‌ କରିପାରେ ସମ୍ଭାବ୍ୟ ବାତ୍ୟା । ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍‌ କରିପାରେ ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି । ଏହା ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଲ୍ୟାଣ୍ଡଫଲ୍‌ କରିପାରେ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଅତିବେଶୀରେ ଘଣ୍ଟାପ୍ରତି ୧୦୦- ୧୨୦ କିମି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।