ସରିନି ବାତ୍ୟାର ପ୍ରଭାବ, କାଲି ଯାଏଁ ପ୍ରବଳ ବର୍ଷା! ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ବାତ୍ୟା ଦାନାର ପ୍ରଭାବ ଯୋଗୁଁ ବର୍ଷା ଏବଂ ପବନ ଜାରି ରହିଛି । ଏଥିପାଇଁ ଆସନ୍ତାକାଲି ସକାଳ ୮ଟା୩୦ ପର୍ଯ୍ୟନ୍ତ ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Cyclone Dana

ବାତ୍ୟା ଦାନାର ପ୍ରଭାବ ଯୋଗୁଁ ବର୍ଷା ଏବଂ ପବନ ଜାରି ରହିଛି । ଏଥିପାଇଁ ଆସନ୍ତାକାଲି ସକାଳ ୮ଟା୩୦ ପର୍ଯ୍ୟନ୍ତ ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର । ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ଅତି ପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେପଟେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ଅନୁଗୁଳ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏଠାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଅର୍ଥାତ୍ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ଲାଗି ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଆସନ୍ତା ୨୬ ଓ ୨୭ ତାରିଖରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି । ପ୍ରଭାବିତ ଜିଲ୍ଲାରେ ଫସଲ କ୍ଷତି ଆକଳନ ପାଇଁ ଛୁଟି ବାତିଲ କରାଯାଇଛି ।

ମୁଖ୍ୟାଳୟ ନ ଛାଡ଼ିବାକୁ ଅଧିକାରୀଙ୍କୁ ବିଭାଗର ନିର୍ଦ୍ଦେଶ ରହିଛି । ଏନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସେପଟେ ଆହୁରି ଦୁର୍ବଳ ହୋଇଛି ବାତ୍ୟା ଦାନା । ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇଛି ‘ଦାନା’ । ଦୁର୍ବଳ ହୋଇ ଘଣ୍ଟାକୁ ୭ କିମି ବେଗରେ ଉତ୍ତରପଶ୍ଚିମ ଆଡ଼େ ଗତି କରୁଛି ।

ଏହି ସମୟରେ ସ୍ଥଳଭାଗରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୭୫ କିଲୋମିଟର ରହିଛି । ପରବର୍ତ୍ତୀ ୧୨ ଘଣ୍ଟାରେ ଦୁର୍ବଳ ହୋଇ ଏହା ଅବପାତ ହେବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।