ସକ୍ରିୟ ରହିଛି ଲଘୁଚାପ !! ଢାଳିବ ବର୍ଷା, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଉତ୍ତର ବଙ୍ଗୋପସାଗର ଓ ଆଖପାଖରେ ସକ୍ରିୟ ରହିଛି ଲଘୁଚାପ । ଆଗାମୀ ୨ ଦିନ ଭିତରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୱେଲମାର୍କଡ ଲୋ ପ୍ରେସରର ରୂପ ନେବାପରେ ବାଂଲାଦେଶ ଉପକୂଳ ମୁହାଁ ହେବ ।

Weather

ଉତ୍ତର ବଙ୍ଗୋପସାଗର ଓ ଆଖପାଖରେ ସକ୍ରିୟ ରହିଛି ଲଘୁଚାପ । ଆଗାମୀ ୨ ଦିନ ଭିତରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୱେଲମାର୍କଡ ଲୋ ପ୍ରେସରର ରୂପ ନେବାପରେ ବାଂଲାଦେଶ ଉପକୂଳ ମୁହାଁ ହେବ । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଆଜି ପାଇଁ ୬ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏପଟେ ରାଜ୍ୟରେ ଘାତକ ସାଜିଛି ବଜ୍ରାଘାତ । ଗତକାଲି ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୦ ଜଣଙ୍କ ପ୍ରାଣହାନୀ ହୋଇଛି । ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ପ୍ରାୟ ୨୦ ଜଣ । ମୃତାହତମାନେ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ।

ଏହା ସହ ଅନେକ ଗୃହପାଳିତ ପ୍ରାଣୀଙ୍କ ଜୀବନବାନି ହୋଇଛି । ତେବେ ଅଧିକାଂଶ ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ସୂଚନା ଅନୁସାରେ ପ୍ରାଥମିକ ଚିକିତ୍ସା ପରେ ୭ ଜଣ ସମ୍ପୂର୍ଣ୍ଣ ସୁସ୍ଥା ହୋଇଯାଇଥିବା ବେଳେ ଅନ୍ୟ ପାଞ୍ଚଜଣ ଚିକିତ୍ସାଧୀନ ଅଛନ୍ତି । ଆସନ୍ତା ୨୦ ତାରିଖ ଯାଏଁ ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ଏଥିପାଇଁ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏହି ୧୪ ଜିଲ୍ଲା ହେଉଛି ଅନୁଗୁଳ, ବରଗଡ଼, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଦେବଗଡ଼, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ।

ବର୍ଷା ଯୋଗୁଁ ଅଚାନକ ପାଣି ମାଡ଼ି ଆସିପାରେ ଏବଂ ଜଳବନ୍ଦୀ ସ୍ଥିତି ହେବା ସମ୍ଭାବନା ରହିଛି । ପାହାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଧସିବାର ଆଶଙ୍କା ଥିବାରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ କେନାଲ ଓ ନଦୀବନ୍ଧ ଉପରେ ନଜର ରଖିବାକୁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।