ଲଗାଣ ବର୍ଷାରେ ଉବୁଟୁବୁ ଆଭ୍ୟନ୍ତରୀଣ ଓଡ଼ିଶା: ସୁଧୁରୁନି ମାଲକାନଗିରି ମୋଟୁ ସ୍ଥିତି

ମୋଟୁ ଅଞ୍ଚଳର ବିନାୟକପୁର ଗାଁର ୩ ପଟେ ପାଣି, ଗୋଟିଏ ପଟେ ପାହାଡ଼ । ଆଜିକୁ ୪ଦିନ ହେବ ସମସ୍ତଆ ଜଳବନ୍ଦୀ ହୋଇଛନ୍ତି

ବର୍ଷା ପରେ ପାଣି ପାଣି

ବନ୍ୟା ବେଦନାରେ ଉପାନ୍ତ ମାଲିକାନଗିରି ମୋଟୁ ଏବେ ଛଟପଟ । କେଉଁଠି ବାସଘର ବୁଡ଼ିଯାଇଛି ତ ଆଉ କେଉଁଠି ବିଲ ମଝିରେ ସାହାରା ସାଜିଛି ଦେଶୀ ଡଙ୍ଗା । ଆନ୍ଧ୍ର ଗୋଦାବରୀର ପଛୁଆପାଣି ମାଡ଼ି ଆସି ଆଜିକୁ ପ୍ରାୟ ୫ ଦିନ ହେଲା ଉବୁଟୁବୁ ମୋଟୁ ଇଲାକା । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ବହୁ ଇଲାକା ।

ମୋଟୁ ଅଞ୍ଚଳର ବିନାୟକପୁର ଗାଁର ୩ ପଟେ ପାଣି, ଗୋଟିଏ ପଟେ ପାହାଡ଼ । ଆଜିକୁ ୪ଦିନ ହେବ ସମସ୍ତଆ ଜଳବନ୍ଦୀ ହୋଇଛନ୍ତି । ସେମାନଙ୍କ ପାଇଁ ଏଭଳି ଦେଶୀ ଡଙ୍ଗା ହିଁ ସାଜିଛି ଭରସା । କେବଳ ବିନାୟକପୁର ନୁହେଁ, ୧୧ ଖଣ୍ଡ ଗାଁରେ ଭାସୁଛି ବନ୍ୟାପାଣି । ପୁରୁଣା ମୋଟୁରୁ ତ ବନ୍ୟା ପାଣି ଖସିବାର ନାଁ ହିଁ ଧରୁନି । ୫ଶହରୁ ଅଧିକ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ଅପରପକ୍ଷେ ସପ୍ତାହେ ହେଲା, ଏନ୍ଏଚ୍ ଉପରୁ ପାଣି ଖସୁନଥିବାରୁ ଇଞ୍ଚେ ବି ଆଗକୁ ବଢୁନି ରାଜ୍ୟ ବାହାରର ମାଲବାହୀ ଟ୍ରକ ।

ସେପଟେ ଫୁଲବାଣୀରେ ରାତିତମାମ ପ୍ରବଳ ବର୍ଷାରେ ଜଳାର୍ଣ୍ଣବ ସାରା ସହର । ସାହି ବସ୍ତିରେ ପାଣି, ରାସ୍ତାଘାଟ ଉପରେ ପାଣି । ତେଣେ ସାଲୁଙ୍କି ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ସହରର ନଦୀଖଣ୍ଡିସାହିରୁ-ଡାକପାଲାକୁ ସଂଯୋଗ କରୁଥିବା ବ୍ରିଜ ଉପରେ ଚାଲୁଛି ୪/୫ ଫୁଟ ଉଚ୍ଚର ପାଣି । ନାରାୟଣୀ ମନ୍ଦିର ନିକଟ ଚିଲଡ୍ରେନ ପାର୍କର ପାଚେରୀ କାନ୍ଥ ଟଳିପଡ଼ିଛି । ଫୁଲବାଣୀ ଭଳି ସମାନ ସ୍ଥିତି ଉପୁଜିଛି ବଲାଙ୍ଗିର ସହରରେ ।

ରାସ୍ତାଘାଟ, ଘରଦ୍ୱାରଠୁ ଆରମ୍ଭ କରି ମେଡ଼ିକାଲ୍ ଯାଏଁ ଜଳାର୍ଣ୍ଣବ ସ୍ଥିତି । ଡ୍ରେନେଜ୍ ସମସ୍ୟା ଯୋଗୁ ବର୍ଷା ପାଣି ପଶି ନାକେଦମ୍ ଲୋକେ । ଶାସ୍ତ୍ରୀନଗର ପଡା, କୋଶଳ କଳାମଣ୍ଡଳ ପଡିଆ, ବଲାଙ୍ଗିର ଆରପିଏଫ ଅଫିସକୁ ପଶିଯାଇଛି ପାଣି । ଶାସ୍ତ୍ରୀନଗର ସହରାଞ୍ଚଳ ହସପିଟାଲରେ ଅବସ୍ଥା ତ ସାଂଘାତିକ ।

ସେପଟେ ଗଜପତି ବଡକଳାକୋଟ ପଞ୍ଚାୟତ ଜାଙ୍ଗିଡିତୁଲ୍ ଗାଁରେ ଘଟିଛି ଅଘଟଣ । ପାହାଡରୁ ଖସିଲା ମାଟି ଅତଡା । ଖଣ୍ଡ ଖଣ୍ଡ ହୋଇ ଗାଁରେ ପଶିଲା । ସୌଭାଗ୍ୟକୁ କାହାର କୌଣସି ପ୍ରାଣହାନୀ ହୋଜିନି । କିନ୍ତୁ ଭାଙ୍ଗିଯାଇଛି ଅନେକ ଘରଦ୍ୱାର ।

ସେପଟେ ଲଗାଣ ବର୍ଷାରେ ବେହାଲ ନୟାଗଡ଼ । ବର୍ଷା ଯୋଗୁଁ ଅଧିକାଂଶ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଲୁଣିଝରା ନଦୀ ଏବଂ ଓଡ଼ଗାଁ ବ୍ଳକର କୁସୁମି ନଦୀର ବନ୍ୟା ପାଣି ଗାଁ ଗାଁରେ ପଶିଛି । କୁରାଳ ଗୋଡିପଲ୍ଲୀ ରାସ୍ତା ଉପରେ ୩ ଫୁଟ୍ ଉଚ୍ଚରେ ପାଣି ଚାଲୁଛି ।ଏହାଦ୍ୱାରା ଯାତାୟାତ ତ ବନ୍ଦ ରହିଛି, ତାସହ ୨୦ଟି ଗାଁ ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛି । ଖୋର୍ଦ୍ଧା ଜିଲ୍ଲା ଛକଡ଼ିପୁର ତିନି ମୁହାଁଣି ଶଙ୍ଖରେ ଗାଧୋଇବାବେଳେ ଜଣେ ୧୪ ବର୍ଷର ନାବାଳକ ଭାସିଯାଇଛି । ସେହିପରି ବୌଦ୍ଧ ଗିରାସିଙ୍ଗା ଗାଁର ସାଲୁଙ୍ଖି ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିବା ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଆସନ୍ତାକାଲି ହୀରାକୁଦରୁ ଛଡ଼ାଯିବ ଏ ବର୍ଷର ପ୍ରଥମ ବନ୍ୟାଜଳ । ପୂର୍ବାହ୍ନ ୧୧ଟାବେଳେ ଖୋଲାଯିବ ହୀରାକୁଦର ଗେଟ୍ । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ, ଫଳରେ ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି ।