ପୁଣି ଅକ୍ଟୋବର, ପୁଣି ବାତ୍ୟା! ପ୍ରବଳ ବେଗରେ ବହିବ ପବନ, ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ବାତ୍ୟା । ଆସନ୍ତା ୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବାତ୍ୟା, ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସିବ ।

Cyclone Dana

ଆସୁଛି ବାତ୍ୟା । ଆସନ୍ତା ୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବାତ୍ୟା, ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସିବ । IMD ଡିଜି ଆଜି ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ୨୪ ଓ ୨୫ ତାରିଖ ବେଶୀ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ ।

ସେପଟେ ୨୪ରୁ ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା କେଉଁ ଉପକୂଳ ଅତିକ୍ରମ କରିବ, କେତେ ବେଳେ ଅତିକ୍ରମ କରିବ, ଅବପାତ ସୃଷ୍ଟି ହେବାପରେ ତାର ପୂର୍ବାନୁମାନ କରିବ ପାଣିପାଗ ବିଭାଗ ।

୨୩ରେ ବାତ୍ୟା! ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟକୁ ଆସିବ ସାଇକ୍ଲୋନ୍ । ଅକ୍ଟୋବରରେ ପୁଣି ଏକ ବାତ୍ୟାର ସ୍ପଷ୍ଟ ଆକଳନ କରି ଆଜି ଏମିତି ସତର୍କ କରିଛି ଆଇଏମ୍‌ଡି । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓଟିଭିକୁ ବିସ୍ତୃତ ସୂଚନା ଦେଇ କହିଛନ୍ତି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।

୨୨ ତାରିଖ ସକାଳ ବେଳକୁ ତାହା ଅବପାତରେ ପରିଣତ ହୋଇ ୨୩ ତାରିଖରେ ସାଇକ୍ଲୋନିକ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟାର ରୂପ ନେବ । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ ତାରିଖ ଅର୍ଥାତ୍ ଆସନ୍ତା ଗୁରୁବାର ଦିନ ଓଡ଼ିଶା-ପଶ୍ଚିମବଙ୍ଗକୁ ଲାଗି ରହିଥିବା ବଙ୍ଗୋପସାଗରରେ ପହଞ୍ଚିବ । ସେତେବେଳକୁ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିପାରେ ।

ତେବେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ପର୍ଯ୍ୟନ୍ତ ଯିବ ବୋଲି ଆକଳନ କରାଯାଇଛି । ଏହା ପ୍ରଭାବରେ ଖାଲି ପବନ କି ବର୍ଷା ନୁହେଁ ତାସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି ବି ଚେତାଇ ଦେଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ତେଣୁ ସମୁଦ୍ର ଭିତରେ ଥିବା ଲୋକଙ୍କୁ ଆସନ୍ତାକାଲି ସୁଦ୍ଧା ଫେରି ଆସିବାକୁ ଦେଇଛନ୍ତି ପରାମର୍ଶ ।

ବାତ୍ୟା ପ୍ରଭାବରେ କେମିତି କୋପ ଦେଖାଇବ ବର୍ଷା? ଏ ସଂପର୍କରେ ସୂଚନା ଦେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି- ରାଜ୍ୟରେ ୨୪ରୁ ୨୭ ଯାଏଁ ବର୍ଷାର ପ୍ରକୋପ ରହିବ । ୨୪ରେ ଉପକୂଳବର୍ତ୍ତୀ ପ୍ରାୟ ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ ରହିଛି । ସେଦିନ ଗଂଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରକୁ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ଗଜପତି, କନ୍ଧମାଳ, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ତାସହିତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେମିତି ୨୫ ତାରିଖରେ ବି ପୁରୀ, ଖୋର୍ଦ୍ଧା, ଗଂଜାମ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ୨୬ ଓ ୨୭ ତାରିଖରେ ମଧ୍ୟ ସମ ପରିମାଣର ବର୍ଷା ହୋଇପାରେ ।

ଅକ୍ଟୋବରରେ ପୁଣି ଏକ ବାତ୍ୟା ଆସୁଛି । ଯାହାକି ରାଜ୍ୟବାସୀଙ୍କୁ ପୁଣି ମନେ ପକାଇ ଦେଇଛି ୧୯୯୯ ମହାବାତ୍ୟାଠୁ ୨୦୧୩ର ଫାଇଲିନ୍, ୨୦୧୪ର ‘ହୁ଼ଡହୁଡ୍’ ଓ ୨୦୧୮ର ‘ତିତଲି’ କୋପ ।