ବାତ୍ୟା ସିତ୍ରାଙ୍ଗ ପ୍ରଭାବ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଓଡ଼ିଶାକୁ ନଛୁଇଁ ଉପକୂଳର କିଛି ଦୂରରୁ ବଙ୍ଗ ଯିବ ବାତ୍ୟା । ପାଣିପାଗ ବିଭାଗର ସୂଚନା, ରାଜ୍ୟରେ ପବନ କମ୍, ଅଧିକ ବର୍ଷା

Cyclone Sitrang

ସମୁଦ୍ରରେ ଦାନା ବାଧୁଛି ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ । ଏବେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନିଭୂତ ହୋଇ ଲଘୁଚାପ ରୂପରେ ରହିଛି । ଆଗାମୀ କିଛି ଘଣ୍ଟାରେ ଏହା ଅବପାତ ଓ ପରେ ଗଭୀର ଅବପାତର ରୂପ ନେବ । ଭାରତୀୟ ପାଣିପାଗ ବିଭାଗର ଆକନଳ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରୁ କିଛି ଦୂରରେ ରହି ବଙ୍ଗ ମୁହାଁ ହୋଇ ୨୫ ତାରିଖରେ ସ୍ଥଳଭାଗ ଛୁଇଁପାରେ । ଏହା ପ୍ରଭାବରେ ୨୩ ରାତିରୁ ଉପକୂଳରେ ବର୍ଷା ଆରମ୍ଭ ହେବ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକରେ ପ୍ରବଳ ବର୍ଷା ଲାଗି ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

ସେହିପରି ୨୪ରୁ ୨୫ ତାରିଖ ଭିତରେ ଓଡିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବା ସମୟରେ ଉପକୂଳରେ ବର୍ଷାର ପରିମାଣ ବଢିବା ସହ ପବନ ବି ବଢିବ । ତେଣୁ ୨୪ରେ ୫ ଜିଲ୍ଲା ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ତାସହ ୨୫ରେ ଉତ୍ତର ଉପକୂଳର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିଭଳି ତଟବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିବାର ଆକଳନ କରାଯାଇଛି ।

ଅନ୍ୟପଟେ ଓଡ଼ିଶାକୁ ନଛୁଇଁଲେ ବି ଉପକୂଳ ଜିଲ୍ଲା ଗୁଡିକରେ ଦାଉ ସାଧିବ ବାତ୍ୟା । IMDର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟାରେ ଅପବପାତର ରୂପ ନେବା । ପରେ ୨୩ରେ ଗଭୀର ଅବପାତର ରୂପ ନେବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୁତ ଲଘୁଚାପ ୨୪ରେ ବାତ୍ୟାର ରୂପ ନେବା ପରେ ଆନ୍ଧ୍ର ଉପକୂଳରୁ ରିକର୍ଭ କରି ବାଲାଂଦେଶ ମୁହାଁ ହେବ । ଆକଳନ ଅନୁଯାୟୀ, ୨୫ ସୁଦ୍ଧା ଓଡିଶା ଉପକୂଳ ନିକଟ ଦେଇ ବାତ୍ୟା ଅତିକ୍ରମ କରିବାକୁ ଥିବାରୁ ପ୍ରଭାବରେ ୨୩ ରାତିରୁ ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ ।

୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି ସମ୍ଭାବ୍ୟ ବର୍ଷା ନେଇ ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ମତରେ ବାତ୍ୟା ଓଡିଶା ଉପକୂଳ ଠାରୁ ମାତ୍ର ୭୫ କିଲୋମିଟର ଦୂରରେ ଯାଉଥିବାରୁ ଉତ୍ତର ଉପକୂଳର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜରେ ଏହାର ସର୍ବାଧିକ ପ୍ରଭାବ ପଡ଼ିପାରେ । ଏପରିକି ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନର ବେଗ ୮୦ରୁ ୧୦୦ କିଲୋମିଟର ହୋଇପାରେ । ତେଣୁ ସ୍ଥିତିକୁ ଦେଖି ମୁକାବିଲା ପାଇଁ ଜିଲ୍ଲାସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗକୁ ବର୍ଷା ଭୟ ଭିତରେ, ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ଫେରିଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛି ।