ଦୁର୍ବଳ ସିନା ହେଇଛି ‘ରେମାଲ’ କିନ୍ତୁ ପଛରେ ଛାଡ଼ି ଯାଇଛି ଅନେକ ଚିହ୍ନ । କୋଲକାତା ସମେତ ପୂରା ପଶ୍ଚିମବଙ୍ଗରେ ଅନେକ କ୍ଷୟକ୍ଷତି ଘଟାଇଛି ରେମାଲ୍ । କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି, କେଉଁଠି ନଦୀ ବନ୍ଧ ଭୁସୁଡ଼ି ଯାଇଛି । ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, ହାୱଡା, ହୁଗୁଳି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ପଡ଼ିଛି ।
ପରିସ୍ଥିତି ଅଧିକ ବିଗିଡ଼ିଛି କୋଲକାତାରେ । ସହରରେ ବିମାନ, ରେଳ ଓ ସଡ଼କ ପଥରେ ଯୋଗଯୋଗ ବ୍ୟାହତ ହୋଇଛି । ସହର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମିବା ସହ ଅନେକ ଅଞ୍ଚଳରେ ଘର ଭିତରେ ପାଣି ପଶି ଯାଇଛି । ଗତକାଲି ରାତିରେ ‘ରେମାଲ’ ଲ୍ୟାଣ୍ଡଫଲ୍ ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଥିଲା । ଏବେ ଏହା ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ।
Also Read
ଅଧିକ ପଢ଼ନ୍ତୁ: ବାତ୍ୟା ଆଣିଲା ସର୍ବନାଶ! ରେମାଲ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି
ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ବର୍ଷା ଲାଗି ରହିଛି । ଲ୍ୟାଣ୍ଡଫଲ୍ ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରେମାଲ ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି । ଖୁବଶୀଘ୍ର ଏହା ଏକ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଭୀଷଣ ବାତ୍ୟା ରୂପରେ ଆରମ୍ଭ ହୋଇଥିଲା ରେମାଲର ଲ୍ୟାଣ୍ଡପଲ ପ୍ରକ୍ରିୟା । ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହି ସମୟରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି । ତେବେ କିଛି କିଛି ସମୟରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୩୫ କିମି ।
ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ସାଗର ଆଇଲ୍ୟାଣ୍ଡ ଏବଂ ଖେପୁପାରା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିଛି । ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ।
ସେହିପରି ବାଂଲାଦେଶରେ ବାତ୍ୟା ପାଇଁ ତଳିଆ ଅଞ୍ଚଳରୁ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସେହିପରି ୨୭ରେ ମଧ୍ୟ ଉତ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ସୂଚନାଯୋଗ୍ୟ ମେ’୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁଛି । କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ସେନେଇ କୁହାଯାଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।