କାଲି ରାତିରୁ ‘ଦାନା’ ଲ୍ୟାଣ୍ଡଫଲ୍, ୪ ଜିଲ୍ଲାକୁ ପ୍ରବଳ ପବନ ସହ ବର୍ଷା ଚେତାବନୀ

ସମୁଦ୍ର ଭିତରେ ଶକ୍ତିଶାଳୀ ହୋଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଦାନା। ଆସନ୍ତାକାଲି ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ନିକଟରେ ଦାନା ଅତିଭୀଷଣ ବାତ୍ୟାର ରୂପ ନେଇ କରିବ ଲ୍ୟାଣ୍ଡଫଲ୍।

Cyclone Dana

ଲ୍ୟାଣ୍ଡଫଲ୍ ପଏଣ୍ଟ, ଲ୍ୟାଣ୍ଡଫଲ୍ ଟାଇମ୍, ଲ୍ୟାଣ୍ଡଫଲ୍ ବେଳର ତୀବ୍ରତା ସବୁ ସ୍ପଷ୍ଟ । ଭିତରକନିକା ଓ ଧାମରା ପାଖରେ ହିଁ ସ୍ଥଳଭାଗ ପାର୍ କରିବ ଭୀଷଣ ବାତ୍ୟା- ‘ଦାନା’ । ସମୁଦ୍ର ଭିତରେ ଥାଇ ବି ଭୂ-ଭାଗକୁ ସଙ୍କେତ ଦେଲାଣି ସାଇକ୍ଲୋନ୍ । ଅଶାନ୍ତ ସମୁଦ୍ରରେ ପିଟି ହେଉଛି ଜୁଆର, ପବନ ବହୁଛି, ତା ସାଙ୍ଗକୁ କଳାହାଣ୍ଡିଆ ମେଘ ଆସି ତୁହାକୁ ତୁହା ବର୍ଷା ବି ହେଉଛି । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଦାନା ସଂପର୍କରେ ସୂଚନା ଦେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି- କାଲି ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ, ଏଇ ବେଳରେ ହିଁ ଲ୍ୟାଣ୍ଡଫଲ୍ କରିବ ସିଭିୟର ସାଇକ୍ଲୋନ୍ । ପୁରୀରୁ ସାଗରଦୀପ ମଝି ସ୍ଥଳ ଅର୍ଥାତ ଭିତରକନିକା ଓ ଧାମରା ନିକଟରେ ହିଁ ସ୍ଥଳଭାଗ ପାର୍ କରିପାରେ ବାତ୍ୟା । ସେତେବଳକୁ ତାହା ଭୀଷଣ ରୂପ ନେଇଥିବ ଓ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଥିବ। ପୁରା ଲ୍ୟାଣ୍ଡଫଲ ପ୍ରକ୍ରିୟା ପାଖାପାଖି ୫ ଘଣ୍ଟା ଧରି ଚାଲିବ ।

ସେପଟେ ସ୍ଥଳଭାଗ ଛୁଇଁ ସାରିଛି ବାତ୍ୟାର ବାହ୍ୟବଳୟ । ଯାହା ପ୍ରଭାବରେ ଧାମରା, ପାରାଦୀପ, ରାଜନଗର, ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ଆରମ୍ଭ ହୋଇଯାଇଛି । ତେବେ କେଉଁ ସବୁ ଜିଲ୍ଲାରେ ରହିବ ବାତ୍ୟାର ବେଶୀ କୋପ ? IMD ଡିଜି କହିଛନ୍ତି- ୪ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ରହିବ ସାଇକ୍ଲୋନର ଅଧିକ ପ୍ରଭାବ । ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ପବନ ବହିବ । ସେମିତି ପାର୍ଶ୍ୱବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଂଜ, କେନ୍ଦୁଝର ଓ ଢେଙ୍କାନାଳରେ ବି ପ୍ରବଳ ବର୍ଷିବ । ୨୪- ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିଯୋଗୁଁ ଗଛପଡ଼ି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ଖୁଣ୍ଟି ଭାଙ୍ଗିପାରେ। ମାଟି, ଆଜବେଷ୍ଟସ ଘର କ୍ଷତି ହେବା ସହ ଧାନ ଫସଲକୁ ବିପଦ ପହଞ୍ଚାଇବାର ଆଶଙ୍କା ରହିଛି।

ଖାଲି ବର୍ଷା-ପବନ ନୁହଁ, ଭୀଷଣ ବାତ୍ୟା ପ୍ରଭାବରେ ଉଠିବ ଉଚ୍ଚ ସାମୁଦ୍ରିକ ଜୁଆର । କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ୧ରୁ ୨ ମିଟର ଯାଏଁ ଜୁଆର ଆସିବା ନେଇ ବି ଚେତାଇ ଦେଇଛନ୍ତି ଆଇଏମଡି ଡିଜି । କହିଛନ୍ତି ଜଗତସିଂହପୁର ଉପକୂଳରେ ବି ଅଧରୁ ୧ ମିଟର ଉଚ୍ଚତାର ଜୁଆର ଆସିପାରେ। ବ୍ରାହ୍ମଣୀ ଓ ବୈତରଣୀ ନଦୀ ଜରିଆରେ ଲୁଣିପାଣି ପଶି ଆସିପାରେ । ଏପଟେ ବାତ୍ୟା ପାଇଁ ପୁରୀ, ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦରରେ ବିପଦ ସଙ୍କେତ ନମ୍ବର କ୍ରମାଗତ ବଢ଼ାଯାଉଛି ।

ଏଣେ ବାତ୍ୟା ମୁକାବିଲା ପାଇଁ ପୁରା ଆକ୍ସନ ମୋଡରେ ଅଗ୍ନିଶମ, ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ । ୧୩ ଜିଲ୍ଲାରେ ୧୮୨ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଥିବାବେଳେ ୫୧ ଓଡ୍ରାଫ୍ ଓ ୧୯ ଏନଡିଆରଏଫ୍ ଟିମ୍ ସାଜ ସରଞ୍ଜାମ ଧରି ସଜାଗ ହୋଇଗଲେଣି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀକୁ ଯାଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ଏବଂ ପୁରୀ ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଡେରା ପକାଇଛନ୍ତି।