ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଜାଡ଼ ! ଥଣ୍ଡାରୁ ବର୍ତ୍ତିବାକୁ ଲୋକେ ଜାଳୁଛନ୍ତି ନିଆଁ

ଓଡ଼ିଶାବାସୀଙ୍କୁ ଥରାଉଛି ଶୀତ । ସକାଳ କୁହୁଡ଼ି ଓ କୋହଲା ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି ।

WINTER

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତର ସବୁଠି ଥରାଉଛି କୋହଲା ପବନ । ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ଡା ବାୟୁ ଫଳରେ ରାଜ୍ୟରେ ପାରଦ ଖସୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ଆଉ ଏହି ସମୟରେ ରାଜ୍ୟରେ ତାପମାତ୍ରା ସାଧାରଣ ଠାରୁ ୨ରୁ ୩ ଡିଗ୍ରୀ କମ କମ ରହିବ ।

ସେହିପରି ଜାଡରେ ଥରହର କୋଇଡା । ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଳକରେ ଲଗାତାର ଗୋଟିଏ ସପ୍ତାହ ହେଲା ହାଡ଼ଭଙ୍ଗା ଶୀତ ସହିତ ଘନ କୁହୁଡି ଜାରି ରହିଛି । ଲୋକେ ପ୍ରାତଃହ ଭ୍ରମଣ କରିବା ସହିତ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳୁଛି । କେହି କେହି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗରମ ଚା ର ମଜା ମଧ୍ୟ ନେଉଛନ୍ତି । ଏଠାରେ ରାତ୍ରିରେ ପାରଦ ତଳକୁ ଖସିବା ପରେ ତାପ ମାତ୍ରା ୧୦ ଡିଗ୍ରୀ ତଳେ ରହୁଛି ।

କୋଇଡା ବ୍ଳକର ଟେନସା ପଂଚାୟତରେ ଥିବା ଡିରୋ ପଏଣ୍ଟରେ ରାତିର ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ଫଳରେ କିଛି ସ୍ଥାନରେ ପଚଳା ବରଫର ଆସ୍ତରଣ ଦେଖିବାକୁ ମିଳିଛି । ଅସହ୍ୟ ଜାଡ଼ ଯୋଗୁଁ ଜନଜୀବନ ଏକପ୍ରକାର ଠପ ହୋଇଯାଇଛି ।