ଉତ୍ତର ଭାରତରେ ଶୀତର ଲହରୀ : ରାଜସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଲା

ପାହାଡ଼ରେ ତୁଷାରପାତ ହେତୁ ଉତ୍ତର ଭାରତର ଅନେକ ସହରରେ ଶୀତଳ ପ୍ରକୋପ। ଏହି କାରଣରୁ ଦିଲ୍ଲୀ ସମେତ ଅନେକ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଡିସେମ୍ବର ୨୧ପର୍ଯ୍ୟନ୍ତ ଉତ୍ତର ଭାରତର ଅନେକ ସହରରେ ଥଣ୍ଡା ଆହୁରି ଥରାଇବ ବୋଲି ପାଣିପାଗ ବିଭାଗ କହିଛି ।

hindustantimes

News Summary

ଚୁରୁ, ଶିକରରେ ପ୍ରବଳ ଥଣ୍ଡା ସାଙ୍ଗକୁ ତୁଷାରପାତ

ଦିଲ୍ଲୀ ଲୋଧି ରୋଡ଼ରେ ତାପମାତ୍ରା ୩ ଡିଗ୍ରୀକୁ ଖସିଲା

ନୂଆଦିଲ୍ଲୀ : ଦିଲ୍ଲୀ ସମେତ ଉତ୍ତର ଭାରତରେ ଥଣ୍ଡାର ଲହରୀ । ଗତ ତିନି ଦିନ ହେଲା ଦିଲ୍ଲୀ, ରାଜସ୍ଥାନ, ହରିଆଣା, ପଞ୍ଜାବ, ଉତ୍ତରପ୍ରଦେଶରେ ତାପମାତ୍ରା ହ୍ରାସ ପାଇବା ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । କେତେକ ସ୍ଥାନରେ ମାଇନସ ତଳକୁ ପାରଦ ଖସି ଆସିଛି । ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜସ୍ଥାନର ଚୁରୁ ଓ ଗଙ୍ଗାନଗରରେ ସର୍ବନିମ୍ନ ତାପମାତ୍ରା ଆଜି ମାଇନସ୍ ଶୂନ ଦଶମିକ ୫ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସିକରରେ ମାଇନସ୍ ଶୂନ ଦଶମିକ ୧ ଡିଗ୍ରୀ ଓ ଫତେପୁର କରୋଲିରେ ମାଇନସ୍ ୧.୮ ଡିଗ୍ରୀରେ ପାରଦ ରହିଛି । ଫଳରେ ସକାଳୁ ଗଛର ପତ୍ର ଓ ଘର ଅଗଣାରେ ବରଫ ଜମା ହୋଇଥିବା ଦେଖିବାକୁ ମିଳିଥିଲା ।

ସେହିପରି ହରିଆଣାର ନରନଉଲ ଓ ହିସାରରେ ବରଫ ପଡ଼ିଛି ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇଥିଲେ । ସକାଳୁ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଥିଲା । ଉତ୍ତର-ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେବାରୁ ଦିଲ୍ଲୀ-ଏନସିଆାର ଓ ଉତ୍ତର ଭାରତରେ ଶୀତର ପ୍ରଭାବ ଦେଖିବାକୁ ମିଳିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏପରି ସ୍ଥିତି ଆହୁରି କିଛି ଦିନ ଲାଗି ରହିବ ବୋଲି ଆଇଏମଡି କହିଛି । ଦିଲ୍ଲୀ ଲୋଧି ରୋଡ଼୍ ଅଞ୍ଚଳରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ଥିବା ଆଇଏମଡି କହିଛି । ପ୍ରବଳ ଥଣ୍ଡା ସାଙ୍ଗକୁ ଦିଲ୍ଲୀ-ନୋଏଡ଼ା ଅଞ୍ଚଳରେ ଆଜି ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଡିସେମ୍ବର ମାସର ଗତ ସପ୍ତାହରେ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୨୨.୫ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୮.୦ ଡିଗ୍ରୀ ହେବା ଉଚିତ ଥିଲା । କିନ୍ତୁ ରବିବାର ଦିନ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୧୭.୮ ଏବଂ ସର୍ବନିମ୍ନ ତାପମାତ୍ରା ୪.୬ ରେକର୍ଡ କରାଯାଇଛି । ଉତ୍ତର ଭାରତରେ ଶୀତଳ ଲହରୀ ପାଇଁ ପାଣିପାଗ ବିଭାଗ ଅତୀତରେ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା । ଏଥି ସହିତ ପାଣିପାଗ ବିଭାଗ ଡିସେମ୍ବର ୨୧ ପର୍ଯ୍ୟନ୍ତ କୋହଲା ପାଗ ଜାରି ରହିବ ବୋଲି ଘୋଷଣା କରିଛି ।