ସର୍ବାଧିକ ଉତ୍ତପ୍ତ ସହର ଭୁବନେଶ୍ୱର : ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ

ଦିନ ୨ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି ।

ଜଳୁଛି ରାଜଧାନୀ

News Summary

ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ

ତତଲା କଢ଼େଇରେ ସିଝୁଛି କ୍ୟାପିଟାଲ । ଦୁଇ ଦିନର ରେକର୍ଡ ପାର୍ କରି ଆଜି ୪୩ ଡିଗ୍ରୀ ଛୁଇଁଲା ପାରଦ । ଡହ ଡହ ଖରାରେ ଡହଳ ବିକଳ ହୋଇଛନ୍ତି ଭୁବନେଶ୍ୱରବାସୀ । ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ରାଜଧାନୀ ସମେତ ରାଜ୍ୟର ଅନ୍ୟ ୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ୪୩ ଡିଗ୍ରୀ ସହ ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟି ଯାଇଛି । ସେହିପରି ଝାରସୁଗୁଡ଼ାରେ ପାରଦ ୪୧.୪, ସମ୍ବଲପୁରରେ ୪୦.୮, ଚାନ୍ଦବାଲିରେ ୪୦.୮ ଡିଗ୍ରୀ, ହୀରାକୁଦ ଓ କେନ୍ଦୁଝରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି ।

ସେହିପରି ଗତକାଲି ମଧ୍ୟ ରାଜଧାନୀରେ ନିଆଁ ବର୍ଷା ହୋଇଥିଲା । ଦିନ ସାଢେ ୧୧ଟା ବେଳେ ୪୦ ପାର ହୋଇଥିଲା, ଦିନ ସାଢ଼େ ୨ଟା ବେଳକୁ ୪୧ ଦଶମିକ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଗତକାଲି ସକାଳ ୮ଟା ପରଠୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ିଥିଲା ।

ତେବେ ଗରମ ଗୁଳୁଗୁଳି ମଧ୍ୟରେ କାଁ ଭାଁ କେଉଁଠି ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଥିଲା । ସେଥିପାଇଁ ରାସ୍ତାକଡ଼ ଲେମ୍ବୁପାଣି, ଆଖୁରସ ନହେଲେ ସରବତ ଦୋକାନରେ ଭିଡ଼ ଜମିଥିଲା । ଅନ୍ୟପଟେ ଖାଲି ଭୁବନେଶ୍ୱର ନୁହେଁ କଟକରେ ବି ତାତିରେ ଆକ୍ତାମାକ୍ତା ହୋଇପଡ଼ିଥିଲେ ଜନତା ।

ସେହିପରି ରାଜ୍ୟରେ ଆହୁରି ବଢ଼ିବ ତାତି । ଜଳିବ ଓଡ଼ିଶା । ରାଜ୍ୟରେ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ୩ ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।