ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ତାରିଖରୁ ପ୍ରବଳ ବର୍ଷା ହୋଇପାରେ। ବଙ୍ଗୋପସାଗରରେ ସୃଷ୍ଟ ହେବାକୁ ଥିବା ଏହି ଲଘୁଚାପ କ୍ଷେତ୍ର ଯୋଗୁ ରାଜ୍ୟରେ ପୁଣି ଥରେ ଫେରିବ ବର୍ଷା।
ଗତକାଲି ଓ ଆଜି ଉପକୂଳରେ ବର୍ଷା ହୋଇନଥିଲା। ତେବେ ୧୮ ତାରିଖରୁ ପୁଣି ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ଫଳରେ ଏବେ ଉପକୂଳ ଜିଲ୍ଲାରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତି ଅଧିକ ଉତ୍କଟ ହୋଇପାରେ। ୧୯ ତାରିଖରେ ବର୍ଷାର ପରିମାଣ ବଢ଼ିବା ସହ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ସୂଚନାଥାଉ କି, ଗତକାଲିର ଅବପାତ ଆଜି ପୂର୍ବ ମଧ୍ୟପ୍ରଦେଶ ଏବଂ ତାର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୧୫ କି.ମି. ବେଗରେ ଏହା ଗତି କରୁଛି। ଏହା ନିଜର ଗତିର ଦିଗ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ବଜାୟ ରଖିବା ସହ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଏହି ଅବପାତର କୌଣସି ସିଧାସଳଖ ପ୍ରଭାବ ରାଜ୍ୟର ବର୍ଷା ଉପରେ ନାହିଁ।