ରାଜଧାନୀରେ ନିଆଁ ବର୍ଷା : ୪୧.୭ ଡ଼ିଗ୍ରୀ ସହ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଭୁବନେଶ୍ୱର

ତତଲା ତାଓ୍ୱା, ତତଲା ହାଓ୍ୱା । ବର୍ଷୁଥିବା ନିଆଁରେ ଜଳୁଛି ରାଜଧାନୀ । ପଥଚାରୀଙ୍କ ପାଇଁ ପ୍ରାଣ ଛାଡ଼ିଗଲା ଭଳି ସ୍ଥିତି ।

ରାଜଧାନୀରେ ନିଆଁ ବର୍ଷା

ପଶ୍ଚିମ ଜଳୁଥିଲା ଏବ ଉପକୂଳ ଜଳୁଛି । ତତଲାଗଡ଼କୁ ବଳିଯାଇଛି ଭୁବନେଶ୍ୱର । ଆଜି ୪୧ ଦଶମିକ ୭ ଡିଗ୍ରୀ ସହ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ । ୪୨.୧ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ଥିବାବେଳେ କଟକରେ ବି ୪୧ଡିଗ୍ରୀ ତାତିରେ ସନ୍ତୁଳି ହୋଇଛନ୍ତି ଲୋକେ । ୨୧ରୁ ଅଧିକ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ସେପଟେ ପାଣିପାଗ ବିଭାଗ କହୁଛି ୨୫ରୁ ୨୭ଯାଏଁ ରାଜ୍ୟରେ ନିଆଁ ବର୍ଷିବ ।

ବର୍ଷୁଥିବା ନିଆଁରେ ଜଳୁଛି ରାଜଧାନୀ । ଦିନ ସାଢେ ୧୧ଟା ବେଳେ ୪୦ ପାର ହୋଇଥିଲା, ଦିନ ସାଢ଼େ ୨ଟା ବେଳକୁ ୪୧ ଦଶମିକ ୨ ଡିଗ୍ରୀ । ବାହାରକୁ ବାହାରିଲେ ଦେହ-ମୁହଁ ପୋଡ଼ି ଯାଉଛି । ଗଛ ନାହିଁ ତ ଛାଇ ନାହିଁ, ଖରାରେ ପଥଚାରୀ କାଉଲୁ ବାଉଲୁ । ଗତକାଲି ରାଜଧାନୀରେ ତାପମାତ୍ରା ୪୦.୮ ଡିଗ୍ରୀ ଛୁଇଁଥିଲା, ଆଜି ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର ।

ସକାଳ ୮ଟା ପରଠୁ ପଦାକୁ ବାହାରିବା ମୁସ୍କିଲ । କାଁ ଭାଁ କେଉଁଠି ଖୋଲିଛି ଜଳଛତ୍ର, ହେଲେ ପର୍ଯ୍ୟାପ୍ତ ନୁହେଁ । ସେଇଥିପାଇଁ ରାସ୍ତାକଡ଼ ଲେମ୍ବୁପାଣି, ଆଖୁରସ ନହେଲେ ସରବତ ଦୋକାନରେ ଭିଡ଼ । ଖାଲି ଭୁବନେଶ୍ୱର ନୁହେଁ କଟକରେ ବି ତାତିରେ ଆକ୍ତାମାକ୍ତା ଜନତା । ଅଧିକାଂଶ ସ୍ଥାନରେ ରାସ୍ତାଘାଟ ଶୂନଶାନ୍ତ, କାଁ ଭାଁ ଚଳାଚଳ । ଦିନ ୧୧ଟା ପରେ ପଦାକୁ ବାହାରିବାକୁ ବାରଣ କରାଯାଇଛି । ହେଲେ ଜରୁରୀକାମ ପାଇଁ ଖରାରେ ଯିବାଆସିବା କରୁଥିବା କହୁଛନ୍ତି ପଥଚାରୀ ।

ଗୋଟିଏ ପଟେ ରାଜଧାନୀରେ ନିଆଁଝୁଲ ଖସୁଛି, ତ ଅନ୍ୟପଟେ ସହର ଉପକଣ୍ଠ ଚନ୍ଦକା ଜଙ୍ଗଲ ଜଳୁଛି । କାହିଁକି ରାଜଧାନୀରେ ଏଭଳି ନିଆଁବର୍ଷା ? ପାଣିପାଗରେ ପରିବର୍ତ୍ତନ, ଜଙ୍ଗଲ ଅବକ୍ଷୟ ଏବଂ କଂକ୍ରିଟ ଜଙ୍ଗଲ ସୃଷ୍ଟି ଏବଂ ଯାନବାହନ ସଂଖ୍ୟା ବୃଦ୍ଧି ଯୋଗୁଁ ଏଭଳି ସ୍ଥିତି ଉପୁଜି ଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ । ତେବେ ତାପମାତ୍ରା ଅଧିକ ରହୁଥିବାରୁ କାଳବୈଶାଖୀ ସମ୍ଭାବନା ମଧ୍ୟ ନାହିଁ ।

ତେଣେ ଆଞ୍ଚଳିକ ପାଣିପାଗ ବିଭାଗର କହିବା କଥା, ଗଲା ସପ୍ତାହେ ହେଲାଣି ଆଉ ସମୁଦ୍ର ପବନ ଆସୁନି । କେବଳ ପଶ୍ଚିମା ପବନ ବୋହୁଥିବାରୁ ଗରମ ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି । ଏଭଳି ସ୍ଥିତି ଆହୁରି ୪ରୁ ୫ଦିନ ଲାଗି ରହିବ । ଆସନ୍ତା ୨୫, ୨୬, ୨୭ରେ ଓଡ଼ିଶା ସମେତ ୬ଟି ରାଜ୍ୟକୁ ହିଟେଓ୍ୱଭ ଓ୍ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ତାପମାତ୍ରା ବଢୁଥିବାରୁ, ଅଂଶୁଘାତ ରୋଗୀଙ୍କ ସଂଖା ବଢିବା ଆଶଙ୍କା ଦେଖାଦେଲାଣି । ଏଭଳି ସ୍ଥଳେ ମ଼େଡିକାଲ ମାନଙ୍କରେ ସ୍ୱତନ୍ତ୍ର ବେଡ ପ୍ରସ୍ତୁତ ସହ ଔଷଧ ମହଜୁଦ ରଖାଯାଇଛି । କଟକ ଏସସିବିରେ ମଧ୍ୟ ସ୍ୱତନ୍ତ୍ର ବେଡ୍ ପ୍ରସ୍ତୁତ ଥିବା ବେଳେ ଆବଶ୍ୟକସ୍ଥଳେ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରଖାଯାଇଛି ।