Advertisment

ବର୍ଷା ସାଜିଛି ଦାଉ; କାନ୍ଥ ଭୁଶୁଡ଼ି ୫ ଜୀବନ ଗଲାଣି

ଭୟଙ୍କର ଦୁର୍ଦ୍ଦଶା ଆଣିଛି ଲଘୁଚାପ ବର୍ଷା। ଦିନ ଦିନ ଧରି ବତୁରି ରହିଥିବା କାନ୍ଥ ଭୁଶୁଡ଼ି ଜୀବନ ଯାଇଛି। ପାଞ୍ଚ ଜଣଙ୍କ ପ୍ରାଣହାନୀ ହୋଇଥିବା ଅଭିଯୋଗ ହେଉଛି। ଲଗାଣ ବର୍ଷାରେ ରାସ୍ତାଘାଟ ଧୋଇଯାଇ ବହୁ ଗାଁ ବିଚ୍ଛିନ୍ନ ହୋଇଛି।

5 life lost due to heavy rain

5 life lost due to heavy rain

Advertisment

ସାମ୍ନାକୁ ଆସିଛି ଏମିତି ଏକ କରୁଣ ଦୃଶ୍ୟ ଯାହାକୁ କହି ହେଉନି କି ସହି ହେଉନି। ଦୁଇ ଦୁଇଟି ଛୁଆଙ୍କୁ ହରାଇଥିବା ପରିବାରର ଆଖିର ଲୁହ ଆଉ କୋହ କୋରି ପକାଉଛି ମନ ଆଉ ପ୍ରାଣକୁ। ମୃତକ ହେଲେ ଦୁଇ ଭଉଣୀ। ମୟୁରଭଞ୍ଜ ଜିଲ୍ଲା ଲୁହାକାନି ପଞ୍ଚାୟତ ଭୋଳବେଡ଼ା ଗାଁର ଅନୀଲ ଗିରିଙ୍କ ନାବାଳିକା ଝିଅ ସ୍ୱିଟି ଏବଂ ନିହାରିକା ଗତରାତିରେ ଶୋଇଥିବାବେଳେ ବର୍ଷା ଯୋଗୁଁ ଘଟିଛି ଅଘଟଣ। ଘର ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଚାପି ହୋଇଯାଇଥିଲେ ସପରିବାର। ତା’ଭିତରୁ ଗାଁ ଲୋକେ ଅନୀଲ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରିଥିଲେ, କିନ୍ତୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ଦୁଇ ଝିଅ।

Advertisment

ଆଉ ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ମଧୁପୁରା ଗାଁରେ। କାଲି ପ୍ରବଳ ବର୍ଷା ସହ ପବନ ହୋଇଥିଲା। ରାତିରେ ଘରକୁ ଲାଗିଥିବା ଏକ ସ୍କୁଲ ପାଚେରି କାନ୍ଥ ପଡ଼ିଥିଲା ତାଙ୍କ ଘର ଉପରେ। ସେଥିରେ ଚାପି ହୋଇଯାଇଥିଲେ ସପରିବାର। କିନ୍ତୁ ଦୁର୍ଭାଗ୍ୟ, ପ୍ରାଣ ଚାଲିଯାଇଥିଲା ୪ ବର୍ଷିୟା ଝିଅ ସମିନାର। ଆହତ ଅନ୍ୟ ୨ ଶିଶୁଙ୍କୁ ବାଲିଆପାଳ ମେଡ଼ିକାଲ୍ ସ୍ଥାନାନ୍ତର କରାଯାଇଛି।

ବର୍ଷାର ବୀଭିଷିକା ଭିତରେ ମୃତ୍ୟୁର ତାଣ୍ଡବ ଏତିକିରେ ସରିନି। କେନ୍ଦୁଝର ସଦର ବ୍ଲକ୍‌ ମହାଦେଇଯୋଡା ପଞ୍ଚାୟତ ଟିକରପଡା ଗାଁରେ ବି ଘର କାନ୍ଥ ଭୁଶୁଡ଼ି ପତ୍ନୀ ଦୂତିକା ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ କାହ୍ନୁଚରଣ ବେହେରା ଗୁରୁତର ଅଛନ୍ତି। ସେହିପରି କୋରାପୁଟ ଗାନ୍ଧୀନଗରସ୍ଥିତ ପିଏଚ୍‌ଡି କଲୋନୀରେ କାନ୍ଥ ପଡି ୯ ବର୍ଷର ବାଳକ ପ୍ରିୟାଂଶୁ ରାଜଭତ୍ରାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳୁଆ ସ୍କୁଲ ଥିବାରୁ ଗାଧୁଆ ଘରକୁ ଯାଇଥିବାବେଳେ କାନ୍ଥ ଭୁଶୁଡି ପଡିଥିଲା।

Advertisment

ସେପଟେ ଲଘୁଚାପ ବର୍ଷାରେ କେଉଁଠି ଅତଡ଼ା ଧସି ରାସ୍ତା ବନ୍ଦ ତ କେଉଁଠି ଭାସିଯାଇଛି ପୋଲା। ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଉପକଣ୍ଠ ଜୁଡିଆଘାଟିରେ। ବିଭିନ୍ନ ଜାଗାରେ ଧସିଥିଲା ମାଟି। ଫଳରେ ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଥିଲା। କନ୍ଧମାଳ ବତେଡ଼ିମୁଣ୍ଡାରେ ପୋଲ ଭାସିଯାଇଥିବାରୁ କୁର୍ତ୍ତମଗଡ଼ରୁ ପାରିଗଡ଼ ଓ ସିର୍ଲା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ସେହିପରି ଜିଲ୍ଲାର କୋଟଗଡ ବ୍ଲକ ରଢ଼ିଗୁମା ଓ ସିନାଗୁଡାକୁ ସଂଯୋଗ କରୁଥିବା ଚାଉଳଧୁଆ ନଦୀ ଉପରେ ନିର୍ମିତ ବିଜୁ ସେତୁର ଆପ୍ରୋଚ୍‌ ରୋଡ୍ ଧୋଇଯାଇଛି। ସେମିତି ଏକ ଦୃଶ୍ୟ କଳାହାଣ୍ଡି ଧର୍ମଗଡ ନିକଟ କାଶିବାହାଲରେ। ସ୍କୁଲର କାନ୍ଥ ଭାଙ୍ଗି ଭୁଶୁଡି ପଡ଼ିଛି ଛାତ। ତେବେ ବିଳମ୍ବିତ ରାତିରେ ଘଟଣା ଘଟିଥିବାରୁ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ।

Advertisment

ତେବେ ଏସ୍ଆର୍‌ସିଙ୍କ କହିବା କଥା, ବର୍ଷାରେ କାନ୍ଥ ପଡ଼ି ୩ଟି ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଜଣଙ୍କର ମୃତ୍ୟୁ ସଂପର୍କରେ ସଠିକ୍ ତଥ୍ୟ ଆସିନାହିଁ। ବର୍ଷା ଓ ବନ୍ୟାରେ ଯାହା ବି କ୍ଷୟକ୍ଷତି ହୋଇଛି, ପାଣି ଛାଡ଼ିବା ପରେ ସମ୍ପୂର୍ଣ୍ଣ ଆକଳନ କରିବୁ ବୋଲି ଏଏସ୍ଆର୍‌ସି କହିଛନ୍ତି।

ଅନ୍ୟପଟେ ଓଡ଼ିଶାରୁ ଗଭୀର ଅବପାତ ବିପଦ ହଟିଥିଲେ ବି ଏହାର ପ୍ରଭାବ ଏବେ ବି ରହିଛି। ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଓଡ଼ିଶାରେ ଏହା ବର୍ତ୍ତମାନ କେନ୍ଦ୍ରୀଭୂତ ହୋଇରହିଛି। ଗତ ୬ ଘଣ୍ଟାରେ ଗଭୀର ଅବପାତ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି। ଏହା ଝାରସୁଗୁଡ଼ାଠାରୁ ପୂର୍ବ ଓ ଉତ୍ତର-ପୂର୍ବ ଦିଗରେ ୧୨୦ କିମି ଦୂରରେ ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଏହାକ୍ରମେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୪ ଘଣ୍ଟା ମଧ୍ୟରେ ଦୁର୍ବଳ ହେବ। ଏହାର ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ଯାଏଁ ୧୨ ଜିଲ୍ଲାକୁ ଅରେଞ୍ଜ୍‌ ୱ୍ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୬ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ। ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା ଏବଂ କଳାହାଣ୍ଡି। ସେହିପରି ମୟୂରଭଞ୍ଜ, ଅନୁଗୁଳ, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ