Astrospeak
  • Live TV
  • Read In English

Digital Overload Effects on Mental Health: ମାନସିକ ସ୍ୱାସ୍ଥ୍ୟ ଉପରେ ସାଂଘାତିକ ପ୍ରଭାବ ପକାଉଛି ‘ଲକ୍ଷ୍ୟହୀନ ମୋବାଇଲ୍ ସ୍କ୍ରୋଲିଂ’ !

ପ୍ରଯୁକ୍ତିବିଦ୍ୟା ଆପଣଙ୍କର ସେବା କରିବା ଉଚିତ, ଆପଣଙ୍କୁ ଉପରେ ଶାସନ ଚଳେଇବା ନୁହେଁ। ଯେଉଁ ମୁହୂର୍ତ୍ତରେ ଆପଣ ଆପଣଙ୍କ ସ୍କ୍ରିନ୍‌ର ଦାସ ହୋଇଯାଇଛନ୍ତି ବୋଲି ଅନୁଭବ କରିବେ, ସେତେବେଳେ ଜାଣିନିଅନ୍ତୁ ଯେ ପୁନର୍ବାର ଆପଣଙ୍କୁ ନିଜର ଏକାଗ୍ରତା ଓ ଶାନ୍ତି ଖୋଜିବାର ସମୟ ଆସିଯାଇଛି।

ଡିଜିଟାଲ ଓଭରଲୋଡ
ଡିଜିଟାଲ ଓଭରଲୋଡ

ସମସ୍ତଙ୍କ ପରି ଆପଣଙ୍କର ହୁଏତ ଏହି ଅଭ୍ୟାସ ବେଶ୍ ସାଧାରଣ ଭାବରେ ଆରମ୍ଭ ହୋଇଥିଲା- କେବଳ ଦ୍ବିପହର ଖାଇବା ବେଳେ ନୋଟିଫିକେସନ ସବୁ ଦେଖିବାରୁ। କିନ୍ତୁ ୩୦ ବର୍ଷୀୟ ଗ୍ରାଫିକ୍ ଡିଜାଇନର୍ ନୀହାରିକା ପାଇଁ, ସେହି ବିରତି ପ୍ରାୟତଃ ଏକ ଘଣ୍ଟା ଧରି ଆପ୍ ରୁ ଆପ୍ କୁ ଡେଇଁ ଏଣୁତେଣୁ ସ୍କ୍ରୋଲିଂ କରିବା ପାଖରେ ପହଞ୍ଚି ଗଲା। ଦିନ ଶେଷ ବେଳକୁ, ତା' ମସ୍ତିଷ୍କ କୁହୁଡ଼ିଆ ଲାଗିବା ସହ ଶରୀର କ୍ଳାନ୍ତ ହୋଇଯାଉଥିଲା ଏବଂ ତଥାପି ସେ ରାତିରେ ପୁଣି ଫୋନ୍ ଦେଖିବାରୁ ନିଜକୁ ଅଟକାଇ ନ ଥିଲା। ଏହା ଏକ ଆଧୁନିକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଯାହାକୁ ଆମ ମଧ୍ୟରୁ ଅନେକ ଅଜାଣତରେ ବହନ କରି ଚାଲୁଛନ୍ତି। ଏହି ସମସ୍ୟାଟି "ଡିଜିଟାଲ୍ ଓଭରଲୋଡ୍" ନାମରେ ପରିଚିତ। 

ଡିଜିଟାଲ୍ ଓଭରଲୋଡ୍ କ’ଣ?

ଡିଜିଟାଲ୍ ଓଭରଲୋଡ୍ ହେଉଛି ଏମିତି ଏକ ଅବସ୍ଥା ଯାହା ସେତେବେଳେ ଦେଖା ଦିଏ ଯେତେବେଳେ ଜଣେ ବ୍ୟକ୍ତି ଦୈନନ୍ଦିନ ବହୁତ ଅଧିକ ମାତ୍ରାରେ ଡିଜିଟାଲ୍ ବିଷୟବସ୍ତୁ ଏବଂ ସ୍କ୍ରିନ୍ ସମୟ ସଂସ୍ପର୍ଶରେ ଆସେ। ଏହା ସ୍ମାର୍ଟଫୋନ୍, କମ୍ପ୍ୟୁଟର, ଟାବଲେଟ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଡିଭାଇସ୍ ସହିତ ନିରନ୍ତର ଜଡିତ ରହିବାରୁ ତିଆରି ହେଉଥିବା ମାନସିକ କ୍ଳାନ୍ତି, ମାନସିକ ଅବସାଦ ଏବଂ ବୌଦ୍ଧିକ କ୍ଷମତା ହ୍ରାସକୁ ବୁଝାଏ।

ଏହା ସୋସିଆଲ ମିଡିଆରେ ନିରନ୍ତର ସ୍କ୍ରୋଲ୍ କରିବା ହେଉ କି ନନଷ୍ଟପ୍ ନୋଟିଫିକେସନ୍‌ର ଉତ୍ତର ଦେବା ଅବା ପଛକୁ ପଛ ଭର୍ଚୁଆଲ୍ ମିଟିଂରେ ଯୋଗ ଦେବା, କିମ୍ବା ପ୍ରଚୁର ପରିମାଣରେ ଅନଲାଇନ୍ ବିଷୟବସ୍ତୁ ବ୍ୟବହାର କରିବା ହେଉ; ଏହି ନିରନ୍ତର ସଂଯୋଗ ମସ୍ତିଷ୍କକୁ ଅତ୍ୟଧିକ ଉତ୍ତେଜିତ ଏବଂ ଚାପଗ୍ରସ୍ତ କରେ। ସମୟ ବିତିବା ସହିତ, ଡିଜିଟାଲ୍ ଓଭରଲୋଡ୍ ମନଯୋଗ, ନିଦ୍ରା, ଭାବନା ଏବଂ ସାମଗ୍ରିକ ସୁସ୍ଥତାକୁ ପ୍ରଭାବିତ କରିପାରେ। ଏହା ଫଳରେ ଅଲଗା ହୋଇଯିବା ଏବଂ ବାସ୍ତବ ଦୁନିଆରେ ଉପସ୍ଥିତ ରହିଛନ୍ତି ବୋଲି ଅନୁଭବ କରିବା କଷ୍ଟକର ହୋଇଯାଏ।

ଆପଣ ଜାଣିଛନ୍ତି କି?

ଗୋଟିଏ ରିପୋର୍ଟ ଅନୁସାରେ ଜଣେ ସାଧାରଣ ବୟସ୍କ ବ୍ୟକ୍ତି ଦିନକୁ ୩୪୪ ଥର ନିଜ ଫୋନ୍ ଯାଞ୍ଚ କରନ୍ତି - ପ୍ରାୟ ପ୍ରତି ଚାରି ମିନିଟରେ ଥରେ। ଆଖି ଖୋଲିବା ମୁହୂର୍ତ୍ତରୁ ଆମ ଉପରେ ପିଙ୍ଗ, ପୋଷ୍ଟ ଏବଂ ଅପଡେଟ୍ ରହିବା ପାଇଁ ଚାପ ପଡ଼ିବା ଆରମ୍ଭ ହୁଏ। ଏବଂ ପ୍ରତ୍ୟେକ ସ୍ୱାଇପ୍, ସ୍କ୍ରୋଲ୍ କିମ୍ବା ନୋଟିଫିକେସନ ସହିତ, ଆମର ମାନସିକ ସ୍ଥାନ ଟିକେ ଅଧିକ ସଙ୍କୁଚିତ ହୋଇ ହୋଇଯାଏ।

ଡିଜିଟାଲ୍ ଓଭରଲୋଡ୍ ପଛରେ ଥିବା କେତେକ ମୂଳ ଧାରଣା:

୧. ବ୍ରେନ୍ ରଟ୍:

ଏହା ଏମିତି ଏକ ଶବ୍ଦ ଯାହା ଅତ୍ୟଧିକ ନିମ୍ନମାନର ବିଷୟବସ୍ତୁ ଯେପରିକି ଭିଡିଓ, ରିଲ୍, ମିମ୍, ଖବର ଆଦି ଦେଖିବା ଦ୍ୱାରା ଅନୁଭବ ହେଉଥିବା ଧୀର ମାନସିକ ନିସ୍ତେଜତାକୁ ବର୍ଣ୍ଣନା କରେ । ସମୟ ସହିତ, ଆପଣଙ୍କ ମସ୍ତିଷ୍କ କୁହୁଡ଼ିଆ ଅନୁଭବ କରିବା ଆରମ୍ଭ କରେ, ଆପଣଙ୍କ ଚିନ୍ତାଧାରା ଅଗଭୀର ହୋଇଯାଏ, ଏବଂ ନୂଆ ସୂଚନା ଉପରେ ଏକାଗ୍ର ହେବା କିମ୍ବା ତାକୁ ଧରି ରଖିବାର କ୍ଷମତା ହ୍ରାସ ପାଏ। ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କ ଭର୍ତ୍ତି ହେଲା ପରି ତ ଲାଗେ କିନ୍ତୁ ସେଥିରେ ପୋଷଣ ନଥାଏ - ଠିକ୍ ସାରା ଦିନ ଜଙ୍କ୍ ଫୁଡ୍ ଖାଇବା ପରି।

"ଏହା ଏପରି ନୁହେଁ ଯେ ଆପଣ "କିଛି ବି କରୁନାହାଁନ୍ତି" - ଏହା ହେଉଛି ଆପଣ ବହୁତ କିଛି କରୁଛନ୍ତି ଯାହା ଅର୍ଥହୀନ ।"

୨. ଡୁମସ୍କ୍ରୋଲିଂ:

ଏହା ନକାରାତ୍ମକ ଖବର କିମ୍ବା ଦୁଃଖଦାୟକ ବିଷୟବସ୍ତୁକୁ ଅନବରତ ସ୍କ୍ରୋଲ୍ କରିବାର ଅଭ୍ୟାସକୁ ବୁଝାଏ, ଯଦିଓ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ଏହା ପ୍ରାୟତଃ ଖବର ରଖିବାର ଅଭିପ୍ରାୟରୁ ଆରମ୍ଭ ହୁଏ, କିନ୍ତୁ ଶୀଘ୍ର ଭୟ, ଦୁଃଖ ଏବଂ ଅବସନ୍ନତାରର ଏକ ଚକ୍ରରେ ପରିଣତ ହୁଏ। ବିପଦକୁ ନିୟନ୍ତ୍ରଣ କରିବାକୁ ତିଆରି ହୋଇଥିବା ମସ୍ତିଷ୍କ ଏହି ଚକ୍ରରେ ଫସିଯାଏ - ଏବଂ ଆମେ ଯେତେ ଅଧିକ ସ୍କ୍ରୋଲ୍ କରନ୍ତି, ସେତେ ସେତେ ଅଧିକ ଖରାପ ଅନୁଭବ କରନ୍ତି।

"ଆପଣ ଉତ୍ତର ଖୋଜୁ ଥାଆନ୍ତି, କିନ୍ତୁ ଏହି ପ୍ରକ୍ରିୟାରେ ଆପଣଙ୍କୁ ଉଦବେଗ ମିଳେ।"

3. କଗ୍ନିଟିଭ୍ ଓଭରଲୋଡ୍:

ଯେତେବେଳେ ଆପଣଙ୍କ ମସ୍ତିଷ୍କ ନିରନ୍ତର ଇନପୁଟ୍ - ଖବର, ଇମେଲ୍, ରିଲ୍, ଟେକ୍ସଟ୍ ଆଦିରେ ଭରିଯାଏ, ସେତେବେଳେ ଏହା ଏପରି ଏକ ସ୍ଥାନରେ ପହଞ୍ଚିଯାଏ ଯେଉଁଠାରେ ଏହା କିଛି ଗୋଟିଏ କଥାକୁ ପ୍ରକ୍ରିୟାକରଣ କରିବାକୁ ସଂଘର୍ଷ କରେ। ଆପଣ ମାନସିକ ଭାବରେ କ୍ଳାନ୍ତ ଅନୁଭବ କରିପାରନ୍ତି, ନିଷ୍ପତ୍ତି ନେବା ଲାଗି ସଂଘର୍ଷ କରିପାରନ୍ତି, କିମ୍ବା ସରଳ ଜିନିଷ ଭୁଲିଯାଇପାରନ୍ତି। ଏହା ଏକାଥରେ ଦଶ ଜଣଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିବା ପରି - ଯାହା ଆପଣ କେବେ ବି କରିପାରିବେ ନାହିଁ।

"ଆପଣଙ୍କ ମସ୍ତିଷ୍କ ମନଯୋଗ ପାଇଁ ତିଆରି ହୋଇଛି - ଏକାଥରେ ୫୦୦ଟି ଟ୍ୟାବ୍ ଖୋଲି ରଖିବା ପାଇଁ ନୁହେଁ।"

୪. ଡିଜିଟାଲ୍ ଡିମେନ୍ସିଆ:

ଡିଜିଟାଲ୍ ଡିଭାଇସ୍ ଉପରେ ଆମର ଅତ୍ୟଧିକ ନିର୍ଭରଶୀଳତା ଆମର ସ୍ମୃତି ଏବଂ ମାନସିକ ତୀକ୍ଷ୍ଣତାକୁ କିପରି ଦୁର୍ବଳ କରୁଛି ତାହା ଦର୍ଶାଇବା ପାଇଁ ଏହି ଶବ୍ଦଟି ବ୍ୟବହୃତ ହୁଏ। ଯେହେତୁ ଆମେ ଆଉ ଫୋନ୍ ନମ୍ବର, ଦିଗନିର୍ଦ୍ଦେଶ କିମ୍ବା ତାରିଖ ମନେ ରଖିପାରୁନାହୁଁ, ତେଣୁ ଆମେ ସବୁକିଛି ପାଇଁ ଫୋନ୍ ଉପରେ ନିର୍ଭର କରୁଛନ୍ତି। ମସ୍ତିଷ୍କ ମୌଳିକ ସ୍ମୃତି କାର୍ଯ୍ୟ ନକରିବାରୁ ଠିକ୍ ରେ ପ୍ରଶିକ୍ଷିତ ହୋଇ ପାରେନି, ଯେମିତି ମାଂସପେଶୀର ବ୍ୟବହାର ନକଲେ ତାହା ଦୁର୍ବଳ ହୋଇଯାଏ ।

"ଯେତେବେଳେ ଆମେ ଆମର ସ୍ମୃତିଶକ୍ତିକୁ ଆମ ଫୋନକୁ ଦେଇ ଦିଅନ୍ତି, ସେତେବେଳେ ନିଜେ ଏହାକୁ ବ୍ୟବହାର କରିବା ବନ୍ଦ କରିଦିଅନ୍ତି।"

୫. ଜୁମ୍ ଫାଟିଗ୍:

ଅତ୍ୟଧିକ ଭିଡିଓ କଲ୍, ବିଶେଷକରି ବିନା ବିରତିରେ - ଏକ ପ୍ରକାରର କ୍ଳାନ୍ତି ସୃଷ୍ଟି କରେ ଯାହାକୁ "ଜୁମ୍ ଫାଟିଗ୍" କୁହାଯାଏ। ବ୍ୟକ୍ତିଗତ ସାକ୍ଷାତର ପୁରା ବିପରୀତ ହେଉଛି ଭିଡିଓ କଲ୍। ଏଥିପାଇଁ ନିରନ୍ତର ଆଖିର ଯୋଗାଯୋଗ, ଅତିରଞ୍ଜିତ ଅଭିବ୍ୟକ୍ତି ଏବଂ ଆତ୍ମ-ସଚେତନତା ଆବଶ୍ୟକ (ବିଶେଷକରି ଯେତେବେଳେ ଆପଣ ସ୍କ୍ରିନରେ ନିଜର ମୁହଁ ଦେଖନ୍ତି)। ଏହା ଖୁବ ଶୀଘ୍ର ବର୍ନଆଉଟ୍ ଆଡ଼କୁ ନେଇଯାଏ, ବିଶେଷକରି 'ରିମୋଟ୍ ୱାର୍କ କଲଚର୍'ରେ।

"ଅନ୍ୟମାନଙ୍କୁ ଓ ନିଜକୁ ଦେଖିବା, ଏବଂ ସାରା ଦିନ "ସକ୍ରିୟ" ରହିବାର ଅଭିନୟ କରିବା - ଆପଣଙ୍କୁ ମାନସିକ ଭାବରେ କ୍ଳାନ୍ତ କରିଦିଏ।"

କାହିଁକି ଏହା ଅଧିକ ଖରାପ ହେଉଛି?

ଆଧୁନିକ ଜୀବନରେ ଅନେକ ପରିବର୍ତ୍ତନ ଆମକୁ ଡିଜିଟାଲ୍ ଚାହିଦା ପ୍ରତି ଆମର ନିର୍ଭରଶୀଳତା ବଢ଼େଇଛି:

• ଦୂରରେ ରହି କାମ କରିବା ଏବଂ ୨୪/୭ ଉପଲବ୍ଧ ରହିବା ଦ୍ବାରା କାମର ସମୟସୀମା ଆଉ ରହୁନାହିଁ। 

• ଅନ୍ତହୀନ ଭାବେ ସ୍କ୍ରୋଲ୍ କରିବା ବ୍ୟବସ୍ଥା ଆମକୁ ବିନା ବାଧାରେ ବାନ୍ଧି ରଖୁଛି।

• ଆମେ କ୍ଳାନ୍ତ ଥିବା ବେଳେ ମଧ୍ୟ ମିସିଂ ଆଉଟ୍ (FOMO) ହେବାର ଡର ଆମକୁ ବାନ୍ଧି ରଖୁଛି।

• ସାମାଜିକ ସ୍ଥିତି ଏବଂ ମାନ୍ୟତା, ଅନଲାଇନ୍ ଉପସ୍ଥିତି ସହିତ ଏତେ ଜଡ଼ିତ ତ ଆମେ ତାକୁ ଏଡ଼ାଇ ପାରୁନାହାଁନ୍ତି। 

ଭାରତରେ ଇଣ୍ଟରନେଟ୍ ବ୍ୟବହାର ଦ୍ରୁତ ଗତିରେ ବଢ଼ୁଥିବା ବେଳେ, ଡିଜିଟାଲ୍ ସୁସ୍ଥତା ପ୍ରତି ସଚେତନତା ତିଆରି ହୋଇନାହିଁ । ଯେଉଁଥିପାଇଁ ଏହା ସ୍ବାଭାବିକ ମନେହେଉଛି, ଯଦିଓ ଏହା ସେପରି ଆଦୌ ନୁହେଁ।

ଡିଜିଟାଲ୍ ଓଭରଲୋଡ୍ ମନ ଏବଂ ଶରୀରକୁ କିପରି ପ୍ରଭାବିତ କରେ

କ. ମାନସିକ ଏବଂ ଭାବନାତ୍ମକ ପ୍ରଭାବ:

• ଧ୍ୟାନ କେନ୍ଦ୍ରିତ କରିବା କିମ୍ବା କାର୍ଯ୍ୟ ସମାପ୍ତ କରିବାରେ ଅସୁବିଧା।

• ନିଷ୍ପତ୍ତି ନନେବା, ଚିନ୍ତା ଓ ଅସ୍ଥିରତା ଆଦି ବୃଦ୍ଧି।

• ଚିଡ଼ିଚିଡ଼ା ଓ ମାନସିକ ଭାବେ ଦୂରେଇଯିବା।

• ପ୍ରେରଣା ନମିଳିବା ଓ ଜଲଦି ଥକିଯିବା।

ଖ.ଶାରୀରିକ ପ୍ରଭାବ:

• ନୀଳ ଆଲୋକ ସଂସ୍ପର୍ଶରେ ଆସିବା ଯୋଗୁଁ ନିଦ ହେବାରେ ଅସୁବିଧା।

• ଆଖି କାଟିବା, ବେକ ବଥା ହେବା ସହ ଅନ୍ୟାନ୍ୟ ଶାରୀରିକ ପୀଡ଼ା।

• ନିଷ୍କ୍ରିୟ ଜୀବନଶୈଳୀ ପାଇଁ ଥକ୍କା ଲାଗିବା କ୍ରୋନିକ ହୋଇଯାଏ।

• ବିଶ୍ରାମର ଅଭାବ ଏବଂ ଅତ୍ୟଧିକ ଉତ୍ତେଜନା ଯୋଗୁଁ ହରମୋନ ଅସନ୍ତୁଳନ।

ଆମେ କ'ଣ କରିପାରିବା?

ଆମକୁ ପ୍ରଯୁକ୍ତିବିଦ୍ୟା ପରିତ୍ୟାଗ କରିବାକୁ ପଡ଼ିବ ନାହିଁ - କିନ୍ତୁ ଆମକୁ ଏହା ସହିତ ଆମର ସୁସ୍ଥ ସମ୍ପର୍କ ପୁନର୍ବାର ହାସଲ କରିବାକୁ ପଡ଼ିବ।

1. ଡିଜିଟାଲ୍ ଜିନିଷର ଗୋଟିଏ ସୀମା ସ୍ଥିର କରନ୍ତୁ।

• ଅଯଥା ସୂଚନା ସଂଗ୍ରହ କରିବା ବନ୍ଦ କରନ୍ତୁ।

• ଖାଇବା ସମୟରେ କିମ୍ବା ଉଠିବା/ଶୋଇବାର ଗୋଟିଏ ଘଣ୍ଟା ମଧ୍ୟରେ ସ୍କ୍ରିନ୍ ଦେଖିବା ଏଡାନ୍ତୁ।

• ସଚେତନ ରହିବା ପାଇଁ ଡିଜିଟାଲ୍ ୱେଲବିଂ ଭଳି ଆପ୍ ଲିମିଟର ବ୍ୟବହାର କରନ୍ତୁ।

2. ଡିଜିଟାଲ୍ ଡିଟକ୍ସ ଦିବସର ସୂଚୀ ତିଆରି କରନ୍ତୁ।

• ପ୍ରତି ସପ୍ତାହରେ ଅଧା ଦିନ ପାଇଁ ସ୍କ୍ରିନ୍-ମୁକ୍ତ ହୁଅନ୍ତୁ।

• ସେହି ସମୟକୁ ପଢ଼ିବା, ପ୍ରକୃତି ଭିତରେ ଚାଲିବା, ସ୍କେଚ୍ କରିବା କିମ୍ବା ପ୍ରକୃତ କଥାବାର୍ତ୍ତା ପାଇଁ ବ୍ୟବହାର କରନ୍ତୁ।

3. ଆପଣ ଯାହା ବ୍ୟବହାର କରିବେ, ତାହା ନିଜେ ବାଛନ୍ତୁ।

• ଉଦବେଗ କିମ୍ବା ତୁଳନା ସୃଷ୍ଟି କରୁଥିବା ଆକାଉଣ୍ଟଗୁଡ଼ିକୁ ଅନଫଲୋ କରନ୍ତୁ।

• ଏପରି ବିଷୟବସ୍ତୁ ଦେଖନ୍ତୁ ଯାହା କିଛି ଶିକ୍ଷା ଦିଏ, ଶାନ୍ତ କରେ କିମ୍ବା ପ୍ରେରଣା ଦିଏ।

• ଆପଣଙ୍କ ଘର କିମ୍ବା ଅଫିସରେ "ସ୍କ୍ରୋଲ୍ ନକରିବା" ଜୋନ୍ ଗୋଟିଏ ସେଟ୍ କରନ୍ତୁ।

4. କାର୍ଯ୍ୟ ପ୍ରଣାଳୀକୁ ପୁନଃଚିହ୍ନଟ କରନ୍ତୁ।

• କମ୍ ଭିଡିଓ ମିଟିଂ କରନ୍ତୁ; ଅଡିଓ ଯୋଗାଯୋଗକୁ ପ୍ରାଥମିକତା ଦିଅନ୍ତୁ।

• ଖରାବେଳ ଖାଇବା ସମୟ ଏବଂ ଶନିବାର, ରବିବାର ଓ ଅନ୍ୟାନ୍ୟ ଛୁଟିଦିନକୁ ଖାଲି ରଖନ୍ତୁ।

• ନିଜ ସାଙ୍ଗସାଥୀଙ୍କ ଓ ଦଳ ମଧ୍ୟରେ ଡିଜିଟାଲ୍ ବିରତିକୁ ଉତ୍ସାହିତ କରନ୍ତୁ।

ଆଜି ହିଁ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ

• ଆପଣ ବହୁତ ଥର ଦେଖୁଥିବା ଗୋଟିଏ ଆପ୍ ର ନୋଟିଫିକେସନ ବନ୍ଦ କରନ୍ତୁ।

• ସ୍କ୍ରିନ୍ ନଦେଖି ଥରେ ଖାଦ୍ୟ ଖାଆନ୍ତୁ।

• ଆପଣଙ୍କର ସ୍କ୍ରିନ୍ ସମୟ ଟ୍ରାକ୍ କରନ୍ତୁ ଏବଂ ବିଚାର କରନ୍ତୁ, ଆଜି ପ୍ରକୃତରେ କେତେ ସମୟ ମୋ ନିଜର ଥିଲା?

ଡିଜିଟାଲ୍ ଓଭରଲୋଡ୍ ହୁଏତ ଆଧୁନିକ ସୁବିଧା ପାଇଁ ଆମେ ଦେଉଥିବା ମୂଲ୍ୟ ହୋଇପାରେ - କିନ୍ତୁ ଏହା ଆମର ସୁସ୍ଥତାର ମୂଲ୍ୟ ହେବା ଉଚିତ ନୁହେଁ।

ପ୍ରଯୁକ୍ତିବିଦ୍ୟା ଆପଣଙ୍କର ସେବା କରିବା ଉଚିତ, ଆପଣଙ୍କୁ ଉପରେ ଶାସନ ଚଳେଇବା ନୁହେଁ। ଯେଉଁ ମୁହୂର୍ତ୍ତରେ ଆପଣ ଆପଣଙ୍କ ସ୍କ୍ରିନ୍‌ର ଦାସ ହୋଇଯାଇଛନ୍ତି ବୋଲି ଅନୁଭବ କରିବେ, ସେତେବେଳେ ଜାଣିନିଅନ୍ତୁ ଯେ ପୁନର୍ବାର ଆପଣଙ୍କୁ ନିଜର ଏକାଗ୍ରତା ଓ ଶାନ୍ତି ଖୋଜିବାର ସମୟ ଆସିଯାଇଛି।

ଛୋଟ କରି ଆରମ୍ଭ କରନ୍ତୁ ଏବଂ ବାରବାର ବିରତି ନିଅନ୍ତୁ।

ଆପଣଙ୍କ ମନକୁ ସୁରକ୍ଷିତ ରଖନ୍ତୁ - କାରଣ ଥରେ ଆପଣ ଏକାଗ୍ରତା ହରାଇଲେ, ଆପଣ ନିଜକୁ ମଧ୍ୟ ହରାଇବେ।