Astrospeak
  • Live TV
  • Read In English

ସୂର୍ଯ୍ୟ ଉପରେ ଇସ୍ରୋର ଆଖି; ସେପ୍ଟେମ୍ବର ଆରମ୍ଭରେ ଆଦିତ୍ୟ-L1 ଲଞ୍ଚ ପାଇଁ ପ୍ରସ୍ତୁତି

ମିଶନ ଗଗନାୟନ ପରେ ରହିଛି ଭାରତର ଦ୍ୱିତୀୟ ମଙ୍ଗଳୟାନ ବା ମାର୍ସ ଅର୍ବିଟର ମିଶନ-୨ । ୨୦୨୪ କିମ୍ବା ୨୫ରେ ଏହି ମିଶନ ପୂରା କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଆସନ୍ତାବର୍ଷ ଶୁକ୍ର ଗ୍ରହର ରହସ୍ୟ ଉପରୁ ପରଦା ହଟାଇବାକୁ ଅଭିଯାନ ପାଇଁ ଇସ୍ରୋ ଯୋଜନା କରିଛି।

ISRO eyeing missions to the Sun and Venus
ଚନ୍ଦ୍ର ପରେ ସୂର୍ଯ୍ୟ ଉପରେ ଇସ୍ରୋର ଆଖି

ଚନ୍ଦ୍ର ପରେ ଇସ୍ରୋର ସୂର୍ଯ୍ୟ ଅଭିଯାନ । ଆଉ ଦୂର ନୁହେଁ, ଶୁକ୍ର ଓ ମଙ୍ଗଳ । ମୁନ୍ ମିଶନ ସଫଳ ହେବା ପରେ ମିଶନ ସୂର୍ଯ୍ୟ ପାଇଁ ଅଣ୍ଟା ଭିଡିସାରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଜାରି ହୋଇଛି ସୂର୍ଯ୍ୟ ଅଭିଯାନ ପାଇଁ ପ୍ରସ୍ତୁତ ହେଉଥିବା ଆଦିତ୍ୟ-L1ର ଫଟୋ । ବେଙ୍ଗାଳୁରୁ ସ୍ଥିତ ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ, ଏହାକୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ଭାରତର ପ୍ରମୁଖ ସ୍ପେଶପୋର୍ଟ ସତୀଶ ଧାୱନ୍ ସ୍ପେଶ୍ ସେଣ୍ଟରକୁ ଅଣାଯାଇଛି ।

ସେଠାରୁ PSLV- C57 ରକେଟ୍ ସହାୟତାରେ ଏହାକୁ ଉତକ୍ଷେପଣ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ଏହି ମିଶନ ରହିଛି । ଅଭିଯାନ ସଫଳ ହେଲେ ଏହା ସୂର୍ଯ୍ୟ ଉପରେ ଗବେଷଣା ପାଇଁ ମହାକାଶରେ ଅବସ୍ଥାପିତ ପ୍ରଥମ ଭାରତୀୟ ଅବଜର୍ଭେଟରି ହେବ ।

ପୃଥିବୀରୁ ସୂର୍ଯ୍ୟର ହାରାହାରି ଦୂରତା ପ୍ରାୟ ୧୫ କୋଟି କିଲୋମିଟର । ତେବେ ପୃଥିବୀଠୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି ସୂର୍ଯ୍ୟ-ପୃଥିବୀ ସିଷ୍ଟମର ପ୍ରଥମ ଲ୍ୟାଗରେଞ୍ଜ ପଏଣ୍ଟ ବା L-1 । ଉତକ୍ଷେପଣର ୪ ମାସ ପରେ ସେଠାରେ ଏକ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବ ଆଦିତ୍ୟ L-1 । ସେଠାରେ କୌଣସି ଗ୍ରହଣ କିମ୍ବା ପରାଗର ପ୍ରଭାବ ପଡ଼ୁନଥିବାରୁ, ଏହା ଅହରହ ସୂର୍ଯ୍ୟ ଉପରେ ଅଧ୍ୟୟନ ଜାରି ରଖିବ ।

ବୈଜ୍ଞାନିକ ଗବେଷଣା ପାଇଁ ଏଥିରେ ୭ଟି ପେ'ଲୋଡ୍ ବା ଯନ୍ତ୍ର ସୂର୍ଯ୍ୟ ନିକଟକୁ ପଠାଯିବ । ସୂର୍ଯ୍ୟର ହାଇ ଡେଫିନେସନ୍ ବା HD ଫଟୋ ଉଠାଇବା ସହ, ଆଦିତ୍ୟ L-1ର ମୁଖ୍ୟ ଉଦ୍ଦେଶ୍ୟ ରହିବ ସୂର୍ଯ୍ୟର ବାହ୍ୟସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସୂର୍ଯ୍ୟର ପୃଷ୍ଠଦେଶ ସଂପର୍କରେ ତଥ୍ୟ ସଂଗ୍ରହ କରିବ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୪ଶହ କୋଟି ଟଙ୍କା ।

ମହାକାଶକୁ ମଣିଷ ବି ପଠାଇବ ଇସ୍ରୋ । ଏଥିପାଇଁ ଜୋରସୋରରେ ଚାଲିଛି ମିଶନ ଗଗନାୟନ କାମ । ୨ ଥର ମାନବବିହୀନ ଯାନ ପଠାଇବା ପରେ, ଶେଷରେ ଅନ୍ତରୀକ୍ଷକୁ ଯିବେ ଭାରତୀୟ ମହାକାଶଚାରୀ । ମିଶନ ପାଇଁ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ କ୍ର୍ୟୁ ମଡ୍ୟୁଲ ଏବଂ କ୍ର୍ୟୁ ଏସକେପ୍ ପ୍ରଦର୍ଶନ ପାଇଁ କାର୍ଯ୍ୟ ଚାଲିଛି । ସବୁ କିଛି ଠିକଠାକ ଚାଲିଲେ ୨୦୨୫ ବେଳକୁ ପ୍ରଥମ ଥର ପାଇଁ ମନୁଷ୍ୟକୁ ନେଇ ମହାକାଶଯାନ ପ୍ରେରଣ ପାଇଁ ଇସ୍ରୋ ଯୋଜନା କରୁଛି । ମିଶନ ପାଇଁ ୩ ଜଣଙ୍କୁ ମହାକାଶର ୪ଶହ କିଲୋମିଟର ଦୂରକୁ ପଠାଯିବ ।

ପରେ ସୁରକ୍ଷିତ ଭାବେ ସେମାନଙ୍କୁ ପୃଥିବୀପୃଷ୍ଠକୁ ଫେରାଇଆଣିବାକୁ ଯୋଜନା ରହିଛି । ରୁଷରେ ଭାରତୀୟ ବାୟୁସେନାର ୩ଜଣ ପାଇଲଟଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଉଛି । ମିଶନ ଗଗନାୟନ ପାଇଁ ଭୁବନେଶ୍ବର ସ୍ଥିତ ସିଟିଟିସିରୁ ଅନେକ ଯନ୍ତ୍ରାଂଶ ଇସ୍ରୋକୁ ପଠାଯାଇଛି ।

ମିଶନ ଗଗନାୟନ ପରେ ରହିଛି ଭାରତର ଦ୍ୱିତୀୟ ମଙ୍ଗଳୟାନ ବା ମାର୍ସ ଅର୍ବିଟର ମିଶନ-୨ । ୨୦୨୪ କିମ୍ବା ୨୫ରେ ଏହି ମିଶନ ପୂରା କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଆସନ୍ତାବର୍ଷ ଶୁକ୍ର ଗ୍ରହର ରହସ୍ୟ ଉପରୁ ପରଦା ହଟାଇବାକୁ ଅଭିଯାନ ପାଇଁ ଇସ୍ରୋ ଯୋଜନା କରିଛି। ମିଶନ ଶୁକ୍ରୟାନ-୧ରେ ଅର୍ବିଟରକୁ ଶୁକ୍ର ଗ୍ରହର କକ୍ଷପଥରେ ଅବସ୍ଥାପିତ କରାଯାଇ ଶୁକ୍ରର ସତ୍ତା ଏବଂ ଜଳବାୟୁ ଉପରେ ଅଧ୍ୟୟନ କରାଯିବ । ୨୦୨୪ରେ ଇସ୍ରୋର ପୁଣି ଚନ୍ଦ୍ର ମିଶନ ପାଇଁ ଯୋଜନା ରହିଥିବା ସୂଚନା ମିଳିଛି ।

ଲୁପେକ୍ସ ବା ଲୁନାର ପୋଲାର ଏକ୍ସପ୍ଲୋରେସନ୍ ମିଶନରେ ଇସ୍ରୋ ଏବଂ ଜାପାନର ଜାକ୍ସ ମିଳିତ ଭାବେ କାମ କରିବେ । ମିଶନରେ ନାସା ଏବଂ ୟୁରୋପିଆନ୍ ସ୍ପେଶ୍ ଏଜେନ୍ସିର ଉପକରଣ ମଧ୍ୟ ଲାଗିବ । ଏଥିରେ ଅର୍ବିଟର, ଲ୍ୟାଣ୍ଡର ଏବଂ ରୋଭର ରହିବ । ଏଥିସହ ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିବାକୁ ଇସ୍ରୋ ଏବଂ ନାସା ମିଳିତ ଭାବେ ଆସନ୍ତା ବର୍ଷ ନିସାର ସାଟେଲାଇଟ୍ ଲଂଚ୍ କରିବେ । ସେହିପରି ଅନ୍ତରୀକ୍ଷରେ ମହାକାଶ ଗବେଷଣା କେନ୍ଦ୍ର ନିର୍ମାଣ ଦିଗରେ ସ୍ପାଡେକ୍ସ ବା ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ଯୋଜନା ବି ରହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ।